କାଲିମେଳା: ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଯେ କେତେ ବିପତ୍ତି ଆଣିପାରେ, ଓଡ଼ିଶାର ମାଲକାନଗିରି ସୀମାନ୍ତ ମୋଟୁ ଗ୍ରାମବାସୀ ତାହାକୁ ଅଙ୍ଗେ ନିଭାଇଲେଣି। ଆନ୍ଧ୍ରର ଏହି ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମୋଟୁ ଗ୍ରାମର ପୁରୁଣା ବସ୍ତି ବନ୍ୟା ପାଣିରେ ସଂପୂର୍ଣ୍ଣ ବୁଡ଼ିଯାଇଥିବାର ଦେଖିବାକୁ ମିଳିଛି। ପୁରୁଣା ବସ୍ତିରେ ଥିବା ପ୍ରାୟ ୧୫ରୁ ଅଧିକା ଘର ଏବେ ବନ୍ୟାପାଣିରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ମୋଟୁ ତହସିଲ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଥିବା ସୟଦ ରଫିକଙ୍କ ଘର ଭିତରେ ବନ୍ୟାପାଣି ପଶିଥିଲା। ଫଳରେ ସେ ନିଜ ଘରର ଆସବାବପତ୍ର ସବୁ ଟ୍ରାକ୍ଟରରେ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରୁଥିବାର ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ପୁରୁଣା ବସ୍ତି ସହିତ ବିଦେଶୀ ମଦ ଦୋକାନ, ଇଣ୍ଡେନ ଗ୍ୟାସ୍ ଗୋଦାମ ଘର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବୁଡ଼ିଯାଇଥିବାର ଦେଖିବାକୁ ମିଳିଥିଲା। ତହସିଲ କାର୍ଯ୍ୟାଳୟ ଦେଇ ମୋଟୁ ମୁଗି ପଏଣ୍ଟକୁ ଲମ୍ବିଥିବା ପିଚୁ ରାସ୍ତା ଉପରେ ୧୦ ଫୁଟ ବନ୍ୟାପାଣି ଲହଡ଼ି ଭାଙ୍ଗୁଛି। ରାସ୍ତା ଉପରେ ଏବେ ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି।
ସେହିପରି, ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଯେ ଓଡ଼ିଶାର ମୋଟୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ତାହା ନୁହେଁ, ଆନ୍ଧ୍ରପ୍ରଦେଶର ଚିନ୍ତୁର ମଣ୍ତଳ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଏବେ ସଂପୂର୍ଣ୍ଣ ବୁଡ଼ି ଯାଇଥିବାର ସୂଚନା ମିଳିଛି। ଚିନ୍ତୁର ମୁଖ୍ୟ ବଜାର ମଧ୍ୟ ସଂପୂର୍ଣ୍ଣ ଭାବରେ ବୁଡ଼ିଯାଇଛି। ସେହିପରି କାଲେରୁ ଗ୍ରାମ ବନ୍ୟାପାଣି ଘେରରେ ରହିଥିବାବେଳେ ଘର ଗୁଡ଼ିକ ମଧ୍ୟ ବୁଡ଼ିଯାଇଥିବାର ଦେଖିବାକୁ ମିଳିଛି। ଦୀର୍ଘ ୪ ଦିନ ହେଲା ବନ୍ୟାପାଣିରେ ୩୨୬ନଂ ଜାତୀୟ ରାଜପଥ ବୁଡ଼ି ରହିଥିବାରୁ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର ଆଦି ରାଜ୍ୟକୁ ଯିବା ପାଇଁ ଶହଶହ ଟ୍ରକ୍ ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିବାର ଦେଖିବାକୁ ମିଳିଛି। ସେମାନଙ୍କ ନିକଟରେ ଯାହାକିଛି ଖାଦ୍ୟପଦାର୍ଥ ରହିଥିଲା ତାହା ଏବେ ଶେଷ ହେବାକୁ ବସିଲାଣି। ମୋଟୁରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଏସପିଙ୍କ ସମେତ ଅନେକ ଅଧିକାରୀ ମୋଟୁ ଗସ୍ତ କରି ପରିସ୍ଥିତି ସଂପର୍କରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ସହିତ ଆଲୋଚନା କରିଥିଲେ। ମୋଟୁର ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ଜିଲ୍ଲାପାଳ କହିଥିଛନ୍ତି।