ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାର ଉପରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକକୁ ସ‌ଂଯୋଗ କରିବାକୁ ଥିବା ବହୁ ପ୍ରତୀକ୍ଷିତ ପୂଜାରୀପାଲି-ଜରିମୂଳି ସେତୁ ପାଇଁ ଟେଣ୍ଡର ପ୍ରକାଶ ପାଇଛି। ବିଶ୍ବ ବ୍ୟାଙ୍କ୍‌ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ଏହି ପୋଲ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ମଧ୍ୟରେ ‌ସମ୍ପର୍କର ସେତୁ ପାଲଟିବ। ପ୍ରକାଶଥାଉ କି, ହୀରାକୁଦ ଜଳଭଣ୍ଡାର ନିର୍ମାଣ ପରଠୁ ଉଭୟ ଜିଲ୍ଲାର ଏହି ୨ ବ୍ଲକ୍‌ ପାଇଁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଜଳପଥ ରହିଥିଲା। ଡଙ୍ଗାରେ ବିପଦସଂକୁଳ ଯାତ୍ରା ପାଇଁ ଅନେକ ସମୟରେ ଅଘଟଣ ବି ଘଟିଛି। ତେଣୁ ଏହି ସେତୁ ହେଲେ ଉଭୟ ଅଞ୍ଚଳବାସୀଙ୍କ ବହୁ ବର୍ଷର ଦୁଃଖ ଲାଘବ ହୋଇପାରିବ।

Advertisment

ଜଳଭଣ୍ଡାର ଉପରେ ପୂଜାରୀପାଲି ଡଙ୍ଗାଘାଟରୁ ଜରିମୂଳି ଡଙ୍ଗାଘାଟକୁ ସଂଯୋଗ କରିବାକୁ ଥିବା ଏହି ସେତୁର ‌ଦୈର୍ଘ୍ୟ ୩ କିମି। ଏଥିରେ ୧.୬ କିମିର ଆପ୍ରୋଚ୍‌ ରୋଡ୍‌ ମଧ୍ୟ ରହିବ। ଆପ୍ରୋଚ୍‌ ରୋଡ୍‌ ପୂଜାରୀପାଲି ପାର୍ଶ୍ବରେ ୬୦୦ ମିଟର ଜରିମୂଳି ପଟେ ୧ କିମି ରହିଛି। ମୋଟ ୨୬୮.୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପୋଲର ନିର୍ମାଣ କାମ ୩ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୬୬ଟି ପିଲର ବିଶିଷ୍ଟ ଏହି ସେତୁରେ ୩ ଥାକିଆ ରାସ୍ତା ସାଙ୍ଗକୁ କ୍ୟାରେଜ୍‌ ୱେ ବି ରହିବ। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପ୍ରସ୍ତାବ କ୍ରମେ ୨୦୨୧-୨୨ ମସିହା ବଜେଟ୍‌ରେ ଏହି ପ୍ରକଳ୍ପକୁ ସିଆଇଆର୍‌ଏଫ୍‌ ଯୋଜନାରେ ମଞ୍ଜୁରି ମିଳିଥିଲା। ନାବାର୍ଡ ପକ୍ଷରୁ ସର୍ଭେ ସମୟରେ ପ୍ରକଳ୍ପ ବରଗଡ଼ ପାର୍ଶ୍ବରୁ ଆରମ୍ଭ କରିବା କଷ୍ଟକର ଥିବାରୁ ଝାରସୁଗୁଡ଼ା ପଟୁ ଆରମ୍ଭ ପାଇଁ ପ୍ରସ୍ତାବ ଦିଆଯାଇଥିଲା‌।

ପ୍ରକାଶଥାଉ କି, ବରଗଡ଼ ଜିଲ୍ଲା ଅମ୍ବାଭୋନାରୁ ଝାରସୁଗୁଡ଼ା ଜିଲ୍ଲା ଭିକମପାଲିକୁ ଜଳଭଣ୍ଡାର ମଧ୍ୟ ଦେଇ ଦୂରତା ମାତ୍ର ୯ କିମି ହେଉଥିବା ବେଳେ ସଡ଼କ ଯୋଗେ ଅନ୍ୟୂନ ୧୦୦ କିମି ଅତିକ୍ରମ କରିବାକୁ ପଡ଼ିଥାଏ। ତେଣୁ ଆଜି ବି ପ୍ରତିଦିନ ଉଭୟ ଡଙ୍ଗାଘାଟରୁ ୧୦ରୁ ଅଧିକ ଡଙ୍ଗା ବିପଦସଂକୁଳ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ଯିବାଆସିବା କରିଥାଏ। ଏହାର ସମାଧାନ ପାଇଁ ବାରମ୍ବାର ଦାବି ପରେ ୬.୪.୨୦୨୨ରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପ୍ରକଳ୍ପକୁ ମଞ୍ଜୁରି ଦେବା ସହ ୨୭୪ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥିଲା। ଅଗଷ୍ଟ ୩ ତାରିଖରେ ରାଜ୍ୟ ମୁଖ୍ୟ ଯନ୍ତ୍ରୀ (ୱାର୍ଲଡ ବ୍ୟାଙ୍କ୍‌ ପ୍ରକଳ୍ପ) ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ପୂଜାରୀପାଲି-ଜରିମୂଳି ପୋଲ ବାବଦ ୩୨୭.୧୫ କୋଟି ଟଙ୍କାର ଟେଣ୍ଡର ପାଇଁ ପ୍ରକଳ୍ପ ରିପୋର୍ଟ ପହଞ୍ଚିଥିବା କହିଥିଲେ। ଯେହେତୁ ପ୍ରକଳ୍ପ ମୂଲ୍ୟ ନିର୍ଦ୍ଧାରିତ ଅଟକଳଠାରୁ ୫୦ କୋଟି ଟଙ୍କା ଅଧିକ, ତେଣୁ ଇପିସି ମୋଡରେ ଏହାର ଟେଣ୍ଡର ହେବ ବୋଲି ଦର୍ଶାଇଥିଲେ। କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ପାଣ୍ଠି ମଞ୍ଜୁର କରିବାର ଦେଢ଼ ବର୍ଷ ପ‌ରେ ରାଜ୍ୟ ସରକାରଙ୍କ ବି ସମାନ୍ତରାଳ ଉଦ୍ୟମ ଆରମ୍ଭ କରିଥିଲେ। ତେଣୁ ଏହି ପ୍ରକଳ୍ପ ଏବେ କେନ୍ଦ୍ର ସରକାରଙ୍କ ସିଆରଆଇଏଫ (କେନ୍ଦ୍ରୀୟ ରାସ୍ତା ଓ ଭିତ୍ତିଭୂମି) ପାଣ୍ଠିରୁ ନୁହେଁ ବରଂ ରାଜ୍ୟ ସରକାରଙ୍କ ୱାର୍ଲଡ ବ୍ୟାଙ୍କ୍‌ ପାଣ୍ଠିରୁ କରାଯିବା ନେଇ ସ୍ଥିର ହୋଇଥିଲା।