ଆନନ୍ଦପୁର: ଘସିପୁରା ବ୍ଲକ୍‌ ଖଲଣା ହତ୍ୟାକାଣ୍ଡର ପୀଡ଼ିତ ପରିବାର ସଦସ୍ୟଙ୍କୁ ଗିରଫ ପ୍ରତିବାଦରେ ଆଜି ରାମଚନ୍ଦ୍ରପୁର ଥାନା ଆଗରେ ସତ୍ୟାଗ୍ରହ କରିଥିଲେ ଘସିପୁରାର ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। କିଛିସମୟ ସତ୍ୟାଗ୍ରହରେ ବସିବାପରେ ଶ୍ରୀ ପଟ୍ଟନାୟକ ପୀଡ଼ିତ ପରିବାର ସଦସ୍ୟଙ୍କ ସହ ଆଲୋଚନା ପାଇଁ ଥାନାକୁ ଯାଇଥିଲେ। ମାତ୍ର, ଶ୍ରୀ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ପୁଲିସ କୌଣସି ଉତ୍ତର ଦେଇନଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଥାନା ବାହାରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଘସିପୁରା ଥାନା ଅଧିକାରୀ ସୁନୀଲ କର, ଆନନ୍ଦପୁର ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ରାମଚନ୍ଦ୍ରପୁର ଥାନା ଅଧିକାରୀ ବିଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପଟ୍ଟନାୟକ ଖଲଣା ଗିରଫଦାରୀ ନେଇ ପୁଲିସକୁ ପ୍ରଶ୍ନ କରିଥିଲେ। ହାଇକୋର୍ଟ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଏହି ପରିବାର ସଦସ୍ୟଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏହିସମୟରେ ପୁଲିସକୁ ମେଡିକାଲ ରିପୋର୍ଟ ଓ କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦେଶ ଥିଲା। ପୁଲିସ କାହିଁକି ଏହାର କେସ୍‌ ଡାଏରୀ ଓ ମେଡିକାଲ ରିପୋର୍ଟ ଦାଖଲ କଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ପୁଲିସ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନଥିଲା। ଏହାପରେ ଶ୍ରୀ ପଟ୍ଟନାୟକ କହିଥିଲେ, ‘ମୁଁ ଦୁଃଖିତ। ଆପଣଙ୍କଠାରୁ ଆମେ ନ୍ୟାୟ ଆଶା କରିବୁ ନାହିଁ’। ଏହାର ନ୍ୟାୟ ଘସିପୁରାର ସାଧାରଣ ଜନତା କରିବେ ବୋଲି ସେ କହିଥିଲେ।