ହନୁମାନ ପଇସା ନିଶାରେ ପୁଲିସ ବାବୁ: ଲୋକଙ୍କୁ ଠକିଛନ୍ତି ହଜାର ହଜାର ଟଙ୍କା

ସମ୍ବଲପୁର: ହନୁମାନ ପଇସା ନିଶାରେ ଏବେ ଜଣେ ପୁଲିସ ବାବୁ। ଅନେକ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇ ହନୁମାନ ପଇସା ପାଇଁ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ସମ୍ବଲପୁରର ଜଣେ ବ୍ୟବସାୟୀଙ୍କୁ  ହନୁମାନ ପଇସା ପାଇଁ ଏହି ଟଙ୍କା ଦେଉଥିବା କହାଯାଇଛି।  ସବୁଠାରୁ ବଡ଼ କଥା ହେଲା ଝାରସୁଗୁଡ଼ାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଏହି ପୁଲିସ ବାବୁ ତାଙ୍କ ବିରୋଧରେ ଅଭିଯୋଗ କଲେ ଆଉ ଟଙ୍କା ପାଇବ ନାହିଁ ବୋଲି ଲୋକଙ୍କୁ ଡରାଉଛନ୍ତି। ଏହି କାରଣରୁ ଅନେକ ଲୋକ ଟଙ୍କା ହରାଇବା ଭୟରେ ବର୍ତ୍ତମାନ ସୁଦ୍ଧା ଅଭିଯୋଗ କରିନାହାନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କନ୍‌ଷ୍ଟେବଳ ଜଣକ ଭଲ ସମ୍ପର୍କ ରଖିଥିବା ଲୋକଙ୍କୁ ବିଭିନ୍ନ ବାହାନା କରି ହଜାର ହଜାର ଧାନ ଆଣିଛନ୍ତି। କିନ୍ତୁ, ତାକୁ ସୁଝିବା କଥା ଭୁଲି କେବଳ ବାହାନା କରୁଛନ୍ତି। ହନୁମାନ ପଇସା ଜରିଆରେ ରାତାରାତି ଧନୀ ହେବା ପାଇଁ ସ୍ବପ୍ନ ଦେଖୁଥିବା ପୁଲିସ ବାବୁ କେତେକ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ ଚୂନା ଲଗାଇଥିବା ଚର୍ଚ୍ଚା ଚାଲିଛି।  କେବଳ ସେତିକି ନୁହେଁ ଅନେକ ଲୋକଙ୍କୁ ଅଧିକ ଟଙ୍କା କରାଇଦେବି କହି ପର୍ସନାଲ୍‌ ଲୋନ୍‌ ମାଧ୍ୟମରେ ହଜାର ହଜାର ଟଙ୍କା ଠକିଛନ୍ତି। ତେବେ ପ୍ରଥମେ କିଛି ଲୋକଙ୍କୁ ସେ ଟଙ୍କା ଫେରାଇ ଥିବା ବେଳେ ବର୍ଷେ ହେବ ଆଉ କାହାକୁ ଟଙ୍କା ଫେରାଉନାହାନ୍ତି। ଅନ୍ୟପଟେ ବୁଝାସୁଝା କରିବା ବେଳେ କନ୍‌ଷ୍ଟେବଳ ଜଣକ ହନୁମାନ ପଇସା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରିଥିବା ଶୁଣିବାକୁ ମିଳିଛି। କିଛି ଲୋକ ନିଜ ପରିଚୟ ପ୍ରକାଶ ନକରି ଝାରସୁଗୁଡ଼ା ପୁଲିସ ଏହାର ତଦନ୍ତ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର