କଟକ: ଓଡ଼ିଶା ପୁଲିସ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଖୋଲିଥିବା ପୁଲିସ ଅଫିସର୍ସ କ୍ଲବ୍‌କୁ ଜଣେ ଅବସରପ୍ରାପ୍ତ ପୁଲିସ ଏସ୍‌ଆଇ ଜବରଦଖଲ କରିନେଇଛନ୍ତି। ପୁଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଖୋଲିଥିବା ଏହି କ୍ଲବ୍‌କୁ ଘରୋଇ ଲୋକଙ୍କ ହାତରେ ଟେକି ଦିଆଯାଇଛି। ଗଲା ୮ବର୍ଷ ହେବ ଏଥିରୁ ଆଦାୟ ହେଉଥିବା ଲକ୍ଷାଧିକ ଟଙ୍କାର କୌଣସି ହିସାବ ନଥିବାରୁ ବଡ଼ଧରଣର ଆର୍ଥିକ କେଳେଙ୍କାରୀ ଅଭିଯୋଗ ଆସିଛି। ଏଭଳି ଅଭିଯୋଗକୁ କେନ୍ଦ୍ର କରି କିଛି ପୁଲିସ କର୍ମଚାରୀ ଉକ୍ତ କ୍ଲବ୍‌କୁ ରବିବାର ତାଲା ପକାଇଦେବା ସହିତ କେଳେଙ୍କାରୀର ତଦନ୍ତ ଦାବି କରିବା ଘଟଣା ଓଡ଼ିଶା ପୁଲିସରେ ଚର୍ଚ୍ଚା ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସ ଅଫିସର୍ସ ସଂଘ ଗଠନ ପରେ ଲାଲବାଗ ଥାନା ଅନ୍ତର୍ଗତ ବେଲ୍‌ଭ୍ୟୁ ଛକ ନିକଟରେ ଏକ ପୁଲିସ ଅଫିସର୍ସ କ୍ଲବ୍‌ ଖୋଲାଯାଇଥିଲା। ଜିଲ୍ଲା ବାହାରୁ ପୁଲିସ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟରେ କଟକ ଆସିବା ବେଳେ, ସେମାନଙ୍କ ଉଦ୍ଦେଶ୍ୟରେ ଏଠାରେ ରହଣୀର ବ୍ୟବସ୍ଥା କରାଯାଇଥିଲା। ଏହି କ୍ଲବ୍‌ ଲାଲବାଗ ଥାନା ଆଇଆଇସିଙ୍କ ଦାୟିତ୍ବରେ ରହିଥିଲା। ଯେଉଁ ପୁଲିସ ଅଧିକାରୀମାନେ ଏଠାରେ ରହିବାକୁ ଇଚ୍ଛା କରୁଥିଲେ, ସେମାନେ ଲାଲବାଗ ଆଇଆଇସିଙ୍କ ନିକଟରୁ ଚାବି ନେଇ ରହୁଥିଲେ। ତେବେ ଏହି କ୍ଲବ୍‌ର ରକ୍ଷଣାବେକ୍ଷଣ ପାଇଁ ବିବାହ, ବ୍ରତଘର କରିବାକୁ ମଧ୍ୟ ବ୍ୟାବସାୟିକ ଉଦ୍ଦେଶ୍ୟରେ ଦିଆଯାଉଥିଲା। ଏଥିରୁ ଆୟ ହେଉଥିବା ଅର୍ଥରାଶି ଲାଲବାଗ ଥାନା ଆଇଆଇସିଙ୍କ ନିକଟରେ ଜମା ରହୁଥିଲା। ପୂର୍ବରୁ ଅନେକ ପ୍ରାକ୍ତନ ଆଇଆଇସିଙ୍କ ନିକଟରେ ଲକ୍ଷାଧିକ ଟଙ୍କା ଜମା ହୋଇଥିବା ବେଳେ ଏହି ଟଙ୍କା କୁଆଡ଼େ ଗଲା, ଏହାର ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ୨୦୧୬ରୁ ଅଫିସର୍ସ ସଂଘ ଅକାମୀ ହୋଇଯାଇଥିବା ବେଳେ ଜଣେ ଅବସରପ୍ରାପ୍ତ ପୁଲିସ ଏସ୍‌ଆଇ ପରବର୍ତ୍ତୀ ସମୟରେ ଏହି ପୁଲିସ ଅଫିସର୍ସ କ୍ଲବ୍‌କୁ ଏକ ମଣ୍ଡପରେ ପରିଣତ କରିଦେଇଥିଲେ। ଉକ୍ତ କ୍ଲବ୍‌ରେ ଏହି ବ୍ୟକ୍ତି ନିଜର ଟେଣ୍ଟ ହାଉସ୍‌, କ୍ୟାଟେରିଂ, ଘରୋଇ ପାର୍କିଂ, ଯୋଗ ସେଣ୍ଟର୍‌ ଇତ୍ୟାଦି ଖୋଲିଦେଇଥିଲେ। ଜଣେ ଘରୋଇ ବ୍ୟକ୍ତିଙ୍କୁ ଏହି ପୁଲିସ କ୍ଲବ୍‌କୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସେଠାରେ ବିଳମ୍ବିତ ରାତିଯାଏ ଅସାମାଜିକ ବ୍ୟକ୍ତିମାନେ ନିଶା ସେବନ କରୁଥିବା ବେଳେ ରାଜନୈତିକ ବୈଠକ ବସୁଛି। ଏହି କ୍ଲବ୍‌ରୁ ପ୍ରତି ମାସରେ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିବା ବେଳେ ଏହି ଟଙ୍କା ପୁଲିସ ଡିଜିଙ୍କ କାର୍ଯ୍ୟାଳୟରେ ଜମା ହେଉଥିବା ସମ୍ପୃକ୍ତ ଅବସରପ୍ରାପ୍ତ ପୁଲିସ କର୍ମଚାରୀ କହିଥିଲେ। ଚାକିରିରେ ଥିବା ପୁଲିସ କର୍ମଚାରୀମାନେ ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରେ ଖୋଳତାଡ଼ କରିଥିଲେ। ତେବେ ଡିଜିଙ୍କ କାର୍ଯ୍ୟାଳୟରେ ସେଭଳି କୌଣସି ଅର୍ଥ ଜମା ହୋଇ ନଥିବା ଉତ୍ତର ମିଳିଥିଲା।

ତେବେ ଜବରଦଖଲରେ ଥିବା ପୁଲିସ ଅଫିସର୍ସ କ୍ଲବ୍‌କୁ ଉଦ୍ଧାର ସହିତ ଟଙ୍କା ହେରଫେର ଘଟଣାର ତଦନ୍ତ ପାଇଁ ଗଲା ୭ ତାରିଖରେ ଲାଲବାଗ ଥାନାରେ କଟକ କମିସନରେଟ୍ ପୁଲିସର ଏସ୍‌ଆଇ ଅସିତ୍‌ କୁମାର ଜେନା, ଭୁବନେଶ୍ବର ସ୍ପେସାଲ୍‌ ବ୍ରାଞ୍ଚର ବିଶ୍ବଜିତ ବେହେରା, ଅଂଶୁମାନ ପ୍ରଧାନ ଲିଖିତ ଭାବେ ଜଣାଇଥିଲେ। ଏହି ମଣ୍ଡପକୁ ଅକ୍ତିଆର କରିଥିବା ସମ୍ପୃକ୍ତ ଅବସରପ୍ରାପ୍ତ ପୁଲିସ ଏସ୍‌ଆଇ ଜୁନ ୩୦ ସୁଦ୍ଧା ଆର୍ଥିକ କାରବାର ସଂକ୍ରାନ୍ତ ସମସ୍ତ ତଥ୍ୟ ଓ କ୍ଲବ୍‌ର ଚାବି ଫେରସ୍ତ ପାଇଁ ଲାଲବାଗ ଥାନା ଆଇଆଇସିଙ୍କ ସାମନାରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜୁଲାଇ୍ ୨୧ ତାରିଖ ପରେ ବି ସମ୍ପୃକ୍ତ ପୂର୍ବତନ ଏସ୍‌ଆଇ କୌଣସି ଆର୍ଥିକ କାରବାର ସଂକ୍ରାନ୍ତ ତଥ୍ୟ କି କ୍ଲବ୍‌ର ଚାବି ଉପସ୍ଥାପନ କଲେ ନାହିଁ। ତେଣୁ ରବିବାର ସକାଳ ପ୍ରାୟ ୧୦ଟା ବେଳେ ଓଡ଼ିଶା ପୁଲିସର ୮ରୁ ଅଧିକ କର୍ମଚାରୀ ଉକ୍ତ କ୍ଲବ୍‌ରେ ପହଞ୍ଚି ତାଲା ପକାଇବା ସହିତ ଜଉମୁଦ ଦେଇ ବନ୍ଦ କରି ଦେଇଛନ୍ତି। ଏହାପରେ ସେମାନେ ଲାଲବାଗ ଥାନାରେ ଚାବି ହସ୍ତାନ୍ତର କରିବା ସହିତ ଆର୍ଥିକ କେଳେଙ୍କାରୀର ତଦନ୍ତ କରିବାକୁ ଲିଖିତ ଭାବେ ଦାବି କରିଥିବା ସୂଚନା ମିଳିଛି। ପୁଲିସ ଅଫିସର୍ସ କ୍ଲବ୍‌ ବେଆଇନ ଦଖଲ ଘଟଣାରେ ଲାଗଲାଗ ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି ଯେ ବେଆଇନ ଭାବେ ଏହି କ୍ଲବ୍‌କୁ ଦଖଲ କରିବା ସହିତ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରାଯିବା ସହିତ ସତ୍ୟାସତ୍ୟ ସାମନାକୁ ଅଣାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।