କୋରାପୁଟ : ରାତି ପ୍ରାୟ ୧୨ଟା ୪୦। କିଏ କିଛି ବୁଝିବା ପୂର୍ବରୁ ଘର ଭିତରୁ ଜଣେ ଇଂଜିନିୟର ଛାତ୍ରଙ୍କୁ ଉଠାଇ ନେଲା ଗଜପତି ଜିଲ୍ଲାର ସେରଙ୍ଗ ପୁଲିସ। ସାଙ୍ଗରେ ସାଧା ପୋଷାକରେ ଥିଲେ କୋରାପୁଟ ଥାନା ଆଇଆଇସି ଓ କିଛି ପୁଲିସ କର୍ମଚାରୀ। ଜଣେ କନିଷ୍ଠ ଯନ୍ତ୍ରୀ ନ୍ୟୁଡ୍ ଭିଡିଓ ଭାଇରାଲ କରିବା ନେଇ ବ୍ଲାକମେଲ୍ କରିବା ଅଭିଯୋଗରେ ଛାତ୍ର ଜଣଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ପୁଲିସ ଉଠାଇ ନେଇଥିବା ଛାତ୍ର ଜଣଙ୍କ କୋରାପୁଟ ସହର କହ୍ନେଇପୁଟ ଗ୍ରାମର ବିଶାଲ ମିଶ୍ର ଏବଂ ରାୟଗଡ଼ା ଜିଲ୍ଲାର ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିଲେ ବୋଲି ପୁଲିସ କହିଛି।
ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧିକାରୀ ଏ.କେ ହାଁସଦାଙ୍କ କହିବା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ନେହୁରୁ ନଗରର ଭି. ନିଖିଲେଶ ନାମକ ଜଣେ ଯୁବକ ନିଜର ଦୁଇ ଭଉଣୀଙ୍କ ସହଯୋଗରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ନ୍ୟୁଡ୍ ଭିଡିଓ କଲ୍ କରିଥିଲେ। ପରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଧମକ ଦେଇ ଗତ ବର୍ଷ ଜୁନ୍ ମାସରୁ ବ୍ଲାକମେଲ୍ କରି ଆସୁଥିଲେ। ଏହି କ୍ରମରେ ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ନିଖିଲେଶ ଓ ତାଙ୍କ ଦୁଇ ଭଉଣୀ ୬ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ। ଏହାପରେ ଲୋକଲଜ୍ଜା ଭୟରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ନିଖିଲେଶଙ୍କ କହିବା ଅନୁସାରେ କୋରାପୁଟର କହ୍ନେଇପୁଟରେ ରହୁଥିବା ବିଶାଲଙ୍କ ମାଧ୍ୟମରେ ପ୍ରାୟ ୫୦ ହଜାର ଟଙ୍କା ଦେଇଥିଲେ। ପରେ ପର୍ଯ୍ୟାୟକ୍ରମେ କନିଷ୍ଠ ଯନ୍ତ୍ରୀ ଜଣଙ୍କ ବିଭିନ୍ନ ଲୋକଙ୍କ ମାଧ୍ୟମରେ ୬ଲକ୍ଷ ଟଙ୍କା ଦେଇଥିଲେ।
ପୁଣିଥରେ ଟଙ୍କା ମାଗିବାରୁ ବାଧ୍ୟହୋଇ ଏନେଇ କନିଷ୍ଠ ଯନ୍ତ୍ରୀ କିଛିଦିନ ତଳେ ସେରଙ୍ଗ ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ମାମଲାକୁ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ନିଖିଲେଶ ଓ ତାଙ୍କର ଦୁଇ ଭଉଣୀଙ୍କୁ ଅଟକ ରଖିଥିବା ବେଳେ ଟଙ୍କା ନେଣଦେଣରେ ସଂପୃକ୍ତ ବିଶାଲଙ୍କୁ ଗତକାଲିରେ ଘରୁ ଉଠାଇ ନେଇଥିଲା। ଆସନ୍ତାକାଲି ଏନେଇ ଗଜପତି ଜିଲ୍ଲା ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସବିସ୍ତୃତ ସୂଚନା ଦେବେ ବୋଲି ଜଣାପଡ଼ିଛି।