ରାତିଅଧରେ ପୁଅକୁ ଉଠାଇନେଲା ପୁଲିସ, ଫାଶୀ ଲଗାଇ ଝୁଲିପଡ଼ିଲେ ବାପା

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ହଳଦିଆ ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଶୁଳିଆପଦା ପୁଲିସ ଏକ ମାମଲାରେ ରାତି ଅଧରେ ଘରୁ ଉଠାଇ ନେବାର କିଛି ସମୟ ପରେ ତ‌ାଙ୍କ ବାପା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ରହସ୍ୟମୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ; ଏହି ଗ୍ରାମର ସୁଗଦା ମୁର୍ମୁ(୪୮)ଙ୍କ ପୁଅ ଯୁକ୍ତ ୨ର ଛାତ୍ର। ଏବେ ଯୁକ୍ତ ୨ ପରୀକ୍ଷା ଚାଲିଥିବା ବେଳେ ଗତକାଲି ରାତିରେ ହଠାତ୍‌ ସୁଦଗାଙ୍କ ଘରେ ପହଞ୍ଚିଥିଲା ଶୁଳିଆପଦା ପୁଲିସ। ତାଙ୍କ ପୁଅକୁ ଏକ ପ୍ରେମଜନିତ ମାମଲାର ଅଭିଯୁକ୍ତ ଦର୍ଶାଇ ଘରୁ ଉଠାଇ ନେଇଥିଲା। ସେତେବେଳକୁ ସୁଗଦାଙ୍କ ଏକମାତ୍ର ଝିଅ ପଡ଼ୋଶୀ ଘରକୁ ଶୋଇବାକୁ ଚାଲି ଯାଇଥିଲା। ପୁଅକୁ ପୁଲିସ ନେଇଯିବା ପରେ ସୁଗଦାଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା। ତାଙ୍କ ପରିସ୍ଥିତି ଦେଖି ସେହି ଗାଁର ଜଣେ ବ୍ୟକ୍ତି ରାତିରେ ତାଙ୍କ ଘରକୁ ଆସି ରହିଥିଲେ। ତେବେ ତାଙ୍କ ଆଖି ଲାଗି ଯାଇଥିବା ବେଳେ ଭୋର୍‌ ପ୍ରାୟ ୪ଟା ସମୟରେ ସୁଗଦା ଘରୁ ବାହାରି ଯାଇ ନିକଟସ୍ଥ ଏକ ଖୁଣ୍ଟରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ସକାଳେ ସ୍ଥାନୀୟ ଲୋକ ସୁଗଦାଙ୍କ ଝୁଲନ୍ତା ଶବ ଦେଖି କୁଳିଅଣା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିଲା। ଏଥିସହ ଶୁଳିଆପଦା ପୁଲିସ ସହ କଥାହୋଇ ତାଙ୍କ ପୁଅକୁ ମଧ୍ୟ ଘରକୁ ଆଣିବାର ବ୍ୟବସ୍ଥା କରିଛି କୁଳିଅଣା ପୁଲିସ। ୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି।

ତେବେ କଲେଜ ଛାତ୍ରୀଙ୍କ ଅଭିଯୋକ୍ରମେ ପୁଲିସ କେବଳ ଉକ୍ତ ଯୁବକଙ୍କୁ ପଚରାଉଚରା ପାଇଁ ଘରୁ ଆଣିଥିଲା, ତାଙ୍କୁ ଗିରଫ କରାଯାଇନଥିଲା ବୋଲି ଶୁଳିଆପଦା ଥାନାର ଜଣେ କର୍ମଚାରୀ କହିଛନ୍ତି। ଉକ୍ତ ମାମଲା ଏତେଟା ଗମ୍ଭୀର ହୋଇନଥିଲେ ବି ପୁଲିସ ତାଙ୍କୁ ରାତିଅଧରେ କଣପାଇଁ ଉଠାଇ ଆଣିଲା ଓ ସୁଗଦାଙ୍କ ଆତ୍ମହତ୍ୟା ପଛରେ ଆଉ କିଛି ରହସ୍ୟ ରହିଛି କି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ଦିଗରେ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର