ଝାରସୁଗୁଡ଼ା : ଝାରସୁଗୁଡ଼ା ମଙ୍ଗଲବଜାରଠାରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା, ଗ୍ଲୋବ, ବିପି ବ୍ଲେଡ ଆଦି ଗାଏବ ଘଟଣାରେ ପୁଲିସ ଗୁରୁବାର ଏକ ମାମଲା ରୁଜୁ କରିଛି। କେସ୍‌ ନମ୍ବର ୧୫/୨୦୨୩ରେ ଆଇପିସିର ୩୮୦ ଦଫାରେ ଏହି ମାମଲା ରୁଜୁ କରାଯାଇଛି। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ସହରଠାରୁ ୫ କିମି ଦୂର ବାଲିଯୋରି‌ଠାରେ ଥିବା ବେଳେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଠାରେ ଏବେବି ଶବ ବ୍ୟବଚ୍ଛେଦ ଗୃହ ରହିଛି। ଏଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ସଂଦେହଜନକ ମୃତ୍ୟୁ ହୋଇଥିବା ଶବର କିଛି ଅଂଶ (ଭିସେରା)କୁ ଏଠାରେ କେମିକାଲ ଦେଇ କାଚ ଜାର୍‌ ମାନଙ୍କରେ ରଖା ଯାଇଥାଏ। ଆବଶ୍ୟକ ପଡ଼ିଲେ ଏହି ଭିସେରାକୁ ପୁଲିସ ବିଭିନ୍ନ ପରୀକ୍ଷାଗାରକୁ ପଠାଇ ମୃତ୍ୟୁର କାରଣ ନେଇ ତଥ୍ୟ ସଂଗ୍ରହ କରିଥାଏ। ‌ଏହି ଭିସେରା କାହାରି କିଛି କାମରେ ଲାଗୁନଥିବା ବେଳେ ଏଠାରେ ଗଚ୍ଛିତ ଥିବା ଶତାଧିକ ଭିସେରା ଜାର ସହିତ କାହିଁକି ଚୋରି ହେଲା ସେ ନେଇ ଏବେ ନାନା ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ଗତ ଡିସେମ୍ବର ମାସ ୨ ତାରିଖ ଦିନ ଏକ ଶବ ବ୍ୟବଚ୍ଛେଦ କରିବା ପାଇଁ ଶବ ବ୍ୟବଚ୍ଛେଦ ଇନ୍‌ଚାର୍ଜ ଯେତେବେଳେ ତାଲା ଖୋଲିଲେ ‌ସେତେବେଳେ ଭିତରେ ଉପରୋକ୍ତ ଜିନିଷ ନଥିବା ଦେଖି ସେହି ଦିନ ହିଁ ସିଡିଏମ୍ଓଙ୍କୁ ଲିଖିତ ଭାବରେ ଜଣାଇଥିଲେ। ସିଡିଏମ୍‌ଓ ଏହି ଲେଖା ଉପରେ ତହିଁ ପର ଦିନ ଅର୍ଥାତ ଡିସେମ୍ବର ୩ ତାରିଖ ଥାନାରେ ଏଫ୍‌ଆଇର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଡିଏମ୍‌ଓ ତଥା ଅଧୀକ୍ଷକ ମହେଶ ମୋହନ ପଣ୍ଡା ୫ ଦିନ ପରେ ଅର୍ଥାତ ୮ ତାରିଖ ଦିନ ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଥାନାରେ ଏହି ଅଭିଯୋଗ ପାଇବା ପରେ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିନଥିଲା କିମ୍ବା ଏହି ଅଭିଯୋଗ ଉପରେ ମାମଲା ଦାୟାର କରିନଥିଲା। ଏ ‌ସଂପର୍କରେ ‘ସମ୍ବାଦ’ରେ ଗତ ଦୁଇ ଦିନ ଧରି ଲଗାତାର ପ୍ରକାଶ ପାଇବା ପରେ ପୁଲିସ ଆଜି ସକାଳେ ଏଫ୍ଆଇର ପଞ୍ଜୀକରଣ କରିଛି।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ଓ ଭିସେରାରେ ଅନେକ ଲୋକଙ୍କ ମୃତ୍ୟୁର କାରଣ ଛପି ରହିଥିବା ବେଳେ ପୁଲିସ କେମିତି ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲା ଓ ଅଭିଯୋଗ ପାଇଲା ପରେ ବି ଏହାକୁ  ମାସ‌େ ହେଲା ପକାଇ ରଖିଥିଲା ତାହା ମଧ୍ୟ ସଂଦେହ ଘେରକୁ ଆସିବା ସ୍ବାଭାବିକ। ଏ ସଂପର୍କରେ ସୂଚନା ଦେଇ ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି ଯେ, ଚୋରି କେବେ ହୋଇଥିଲା ଓ କେଉଁ ସମୟରେ ହୋଇଥିଲା ତାହା ସଂପୂର୍ଣ୍ଣ ତଥ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଦେଇନାହାନ୍ତି। ଏ ସଂପର୍କରେ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ଏହାର କାରଣ ଜଣାପଡ଼ିବ। ତେବେ, କେତେ ସଂଖ୍ୟାରେ ଭିସେରା ଥିଲା ତାହା ମଧ୍ୟ ପୁଲିସ ଓ ଡାକ୍ତରଖାନା ପାଖରେ ତଥ୍ୟ ନାହିଁ। ମାତ୍ର ଶବ ବ୍ୟବଚ୍ଛେଦ ଇନ୍‌ଚାର୍ଜ ସୁଶୀଳ ସୁନାନିଙ୍କ କହିବା ଅନୂଯାୟୀ ୨ ଶହରୁ ୩ ଶହ ଭିସେରା ସହିତ ଡିଏନ୍‌ଏ ଟେଷ୍ଟ ପାଇଁ କାହାର ‘ଫେମୁର ବୋନ’ ମଧ୍ୟ ରଖା ଯାଇଥିଲା ଯାହାକି ଏହି ଭିସେରା ସହିତ ଚୋରି ହୋଇଥିବା କୁହାଯାଉଛି।