ବିନା ସିସିଟିଭିରେ ବି ଚାଲୁଛି ଥାନା, ୪ ଜିଲ୍ଲାର ଥାନାରେ ସବୁ କ୍ୟାମେରା ଅଚଳ

୧୯ଟି ଜିଲ୍ଲାରେ କାମ କରୁଛି ମାତ୍ର ୩୪% କ୍ୟାମେରା

କଟକ, (ଚିରଂଜୀବୀ କର): ରାଜ୍ୟର ବିଭିନ୍ନ ଥାନାରେ ଯେତିକି ସିସି କ୍ୟାମେରା ଲାଗିବା କଥା ସେଥିରୁ ମାତ୍ର ୩୪ ପ୍ରତିଶତ କାମ କରୁଛି। ଥାନାରେ ସିସି କ୍ୟାମେରା ଲଗାଯିବା ସଂପର୍କରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥାଇ ବି ଓଡ଼ିଶା ପୁଲିସରେ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ଥାନାରେ ପୁଲିସ ନିର୍ଯାତନା, ହାଜତ ମୃତ୍ୟୁ ଭଳି ଅନେକ ସମ୍ବେଦନଶୀଳ ଘଟଣାରେ ସତ ସାମ୍‌ନାକୁ ଆସି ପାରୁନାହିଁ। ଏହାକୁ ନେଇ ସୂଚନା ଅଧିକାର ଆଇନ (ଆରଟିଆଇ)ରେ ତଥ୍ୟ ଲୋଡ଼ା ଯାଇଥିବା ବେଳେ ରାଜ୍ୟ ପୁଲିସ ମୁଖ୍ୟାଳୟ ସାରା ରାଜ୍ୟର ସଂପୂର୍ଣ୍ଣ ତଥ୍ୟ ଦେବାରେ ବିଫଳ ହୋଇଛି। ଯେତିକି ତଥ୍ୟ ଦେଇଛି, ସେଥିରେ ବ୍ୟବସ୍ଥାର ବିକଳ ଚିତ୍ର ସାମ୍‌ନାକୁ ଆସିଛି।

ତଥ୍ୟ ଅନୁଯାୟୀ ରାଜ୍ୟରେ ରହିଛି ମୋଟ ୩୫ଟି ପୁଲିସ ଜିଲ୍ଲା। ଆରଟିଆଇରେ ଏସବୁ ଜିଲ୍ଲାରେ ଥିବା ଥାନାମାନଙ୍କର ସିସି କ୍ୟାମେରା ସଂପର୍କରେ ତଥ୍ୟ ମଗାଯାଇଥିଲା। ପୁଲିସ ମୁଖ୍ୟାଳୟ ଏଆଇଜି ୨୩ଟି ପୁଲିସ ଜିଲ୍ଲାର ତଥ୍ୟ ଦେଇ ପାରିଛନ୍ତି। ସେଥିରୁ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଓ ଝାରୁସୁଗୁଡ଼ା ଭଳି ୪ଟି ଜିଲ୍ଲାରେ ସିସି କ୍ୟାମେରା ଆଦୌ କାମ କରୁନାହିଁ। ଅନ୍ୟ ୧୯ଟି ପୁଲିସ ଜିଲ୍ଲାରେ ୬୬ ପ୍ରତିଶତ କ୍ୟାମେରା ଅଚଳ ଅଥବା ସେଠାରେ ଆଦୌ କ୍ୟାମେରା ନାହିଁ। ଏଭଳି ସ୍ଥିତିରେ ପୁଲିସ ବିଭାଗରେ ସ୍ବଚ୍ଛତା କିଭଳି ଆସିବ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

Odisha-Police

୧୯ଟି ପୁଲିସ ଜିଲ୍ଲାର ୨୯୪ଟି ଥାନାରେ ୭ ହଜାର ୫୬୦ କ୍ୟାମେରା ଲାଗିବା କଥା। ବର୍ତ୍ତମାନ ଲାଗିଛି ୫ ହଜାର ୪୪୯ଟି କ୍ୟାମେରା। ଏବଂ ସେଥିରୁ ଅଚଳ ହୋଇ ପଡ଼ିଛି ୨ ହଜାର ୮୧୫ଟି କ୍ୟାମେରା। ଅର୍ଥାତ ଯେଉଁଠି ୭ ହଜାର ୫୬୦ଟି କ୍ୟାମେରା କାର୍ଯ୍ୟ କରିବା କଥା ସେଠି କାର୍ଯ୍ୟ କରୁଛି ୨ ହଜାର ୬୩୪ଟି କ୍ୟାମେରା। ଏଭଳି ସ୍ଥିତିରେ ଆବଶ୍ୟକତାର ମାତ୍ର ୩୪ ପ୍ରତିଶତ କ୍ୟାମେରାରେ ରାଜ୍ୟର ପୁଲିସ ବିଭାଗ ଥାନା ଉପରେ ନଜର ରଖିଛି। ଥାନାରେ ଲାଗିଥିବା କ୍ୟାମେରାରେ କେଉଁଠି ବ୍ୟାଟେରି ବ୍ୟାକଅପ୍ ନାହିଁ ତ ଆଉ କେଉଁଠି ମନିଟର, ଏନଭିଆର, କ୍ୟାମେରାର ଭିଡିଓ ଓ ଅଡିଓ ଠିକ ଢଙ୍ଗରେ ରେକର୍ଡ ହେଉନାହିଁ। ଅନେକ କ୍ଷେତ୍ରରେ ଡାଟା ସାଇତି ରଖିବାର ବ୍ୟବସ୍ଥା ନାହିଁ।

ଓଡ଼ିଶାର ପ୍ରତ୍ୟେକ ଥାନାରେ ସିସି କ୍ୟାମେରା ଖଞ୍ଜିବାକୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ମାଧ୍ୟମରେ କ୍ରିଷ୍ଟାଲ୍ ଇଣ୍ଟିଗ୍ରେଟେଡ୍ ସର୍ଭିସ ପ୍ରାଇଭେଟ୍ ଲିମିଟେଡକୁ ସ୍ବୀକୃତି ଦିଆଯାଇଥିଲା। ପ୍ରତି ଥାନାରେ ୨୦ଟି ଲେଖାଏ ସିସି କ୍ୟାମେରା ଖଞ୍ଜିବାକୁ ନିର୍ଦ୍ଦେଶ ଥିଲା। ବର୍ତ୍ତମାନ ସ୍ଥିତିରେ ସର୍ବାଧିକ ରାଉରକେଲା ପୁଲିସ ଜିଲ୍ଲାରେ କ୍ୟାମେରା ଅଚଳ ହୋଇପଡ଼ିଛି। ଏହି ଜିଲ୍ଲାରେ ୨୪ ଥାନାରେ ୪୮୦ ବଦଳରେ ୪୬୪ କ୍ୟାମେରା ଲାଗିଛି। ଏଥିରୁ ୩୪୬ଟି କ୍ୟାମେରା ଅଚଳ। ଅଚଳ ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ଅନୁଗୁଳ ଜିଲ୍ଲାରେ ୨୩ଟି ଥାନାରେ ୪୬୦ କ୍ୟାମେରା ବଦଳରେ ୪୫୩ କ୍ୟାମେରା ଲାଗିଛି। ୨୨ ଥାନାରେ ୨୪୧ଟି କ୍ୟାମେରା ଅଚଳ ହୋଇପଡ଼ିଛି।

ସେହିପରି, ଗଞ୍ଜାମ ଜିଲ୍ଲାରେ ୨୩ ଥାନାରେ ୪୬୦ ବଦଳରେ ୪୫୨ କ୍ୟାମେରା ଲାଗିଛି। ୨୪୦ଟି କ୍ୟାମେରା କାମ କରୁନାହିଁ। ପରକୁ ପର ରାୟଗଡ଼ା ଜିଲ୍ଲାରେ ୧୬ ଥାନାରେ ୩୨୦ ବଦଳରେ ୩୨୯ କ୍ୟାମେରା ଲାଗିଛି। ୨୩୧ କ୍ୟାମେରା କାମ କରୁନାହିଁ। ବୌଦ୍ଧ ଜିଲ୍ଲାରେ ୬ଟି ଥାନାରେ ଧାର୍ଯ୍ୟ ମୁତାବକ ୧୨୦ କ୍ୟାମେରା ଲାଗିଛି। ସେଥିରୁ ୮୨ଟି କ୍ୟାମେରା କାମ କରୁନାହିଁ। ନୟାଗଡ଼ ଜିଲ୍ଲାରେ ୧୩ଟି ଥାନାରେ ୨୬୦ଟି ବଦଳରେ ୨୩୭ଟି କ୍ୟାମେରା ଲାଗିଛି। ୧୫୫ କ୍ୟାମେରା ଅଚଳ ହୋଇପଡ଼ିଛି। ମାଲକାନଗିରି ଜିଲ୍ଲାରେ ୧୧ଟି ଥାନାରୁ ୨ଟି ଥାନାରେ କ୍ୟାମେରା ଲାଗିନାହିଁ। ୯ଟି ଥାନାରେ ୧୮୦ କ୍ୟାମେରା ଲାଗିଛି। ୫୬ଟି କ୍ୟାମେରା କାମ କରୁନାହିଁ।

Justdial

ପୁରୀ ଜିଲ୍ଲାରେ ୨୯ଟି ଥାନାରେ ୫୮୦ଟି କ୍ୟାମେରା ବଦଳରେ ୪୫୨ କ୍ୟାମେରା ଲାଗିଛି। ଏଥିରୁ ୧୨୮ଟି କ୍ୟାମେରା କାମ କରୁନାହିଁ। ଖୋର୍ଧା ଜିଲ୍ଲାରେ ୧୦ଟି ଥାନାରେ ୨୦୦ ବଦଳରେ ୧୬୨ଟି କ୍ୟାମେରା ଲାଗିଛି। ୮୫ଟି କ୍ୟାମେରା କାମ କରୁନାହିଁ। କୋରାପୁଟ ଜିଲ୍ଲାରେ ୨୫ଟି ଥାନାରେ ୫୦୦ କ୍ୟାମେରା ବଦଳରେ ୪୧୦ କ୍ୟାମେରା ଲାଗିଛି। ୧୬୩ କ୍ୟାମେରା ଅଚଳ ହୋଇପଡ଼ିଛି। ବରଗଡ଼ ଜିଲ୍ଲାରେ ୧୬ ଥାନାରେ ୩୨୦ ବଦଳରେ ୩୦୦ ସିସି କ୍ୟାମେରା ଲାଗିଛି। ୧୨୪ କ୍ୟାମେରା ଚାଲୁଥିବା ବେଳେ ୧୭୬ଟି କ୍ୟାମେରା ଅଚଳ। ବଲାଙ୍ଗୀର ଜିଲ୍ଲାରେ ୧୮ଟି ଥାନାରେ ୩୬୦ ବଦଳରେ ୩୩୪ କ୍ୟାମେରା ଲାଗିଛି। ୬୧ଟି କ୍ୟାମେରା କାମ କରୁନି।

ସମ୍ବଲପୁର ଜିଲ୍ଲାରେ ୨୪ଟି ଥାନାରେ ୪୮୦ କ୍ୟାମେରା ବଦଳରେ ୪୭୭ଟି ଲାଗିଛି। ସମସ୍ତ ୪୭୭ଟି କ୍ୟାମେରା କାମ କରୁନାହିଁ। ଭୁବନେଶ୍ବର କମିସନରେଟ୍ ପୁଲିସରେ ୨୫ଟି ଥାନାରେ ୫୦୦ କ୍ୟାମେରା ଲାଗିବା ବଦଳରେ ୪୬୮ଟି କ୍ୟାମେରା ଲାଗିଛି। ୫୯ କ୍ୟାମେରା ଚାଲୁନାହିଁ। ସୁବର୍ଣ୍ଣପୁର ଜିଲ୍ଲାରେ ୮ଟି ଥାନାରେ ୧୬୦ଟି କ୍ୟାମେରା ଲାଗିଛି। ସେଥିରୁ ୭୨ଟି କ୍ୟାମେରା ଅଚଳ। ନୂଆପଡ଼ା ଜିଲ୍ଲାରେ ୯ଟି ଥାନାରେ ୧୮୦ ବଦଳରେ ୧୭୬ କ୍ୟାମେରା ଲାଗିଛି। ସେଥିରୁ ୪୬ଟି କ୍ୟାମେରା ଅଚଳ। ଜଗତସିଂହପୁର ଜିଲ୍ଲାରେ ଥିବା ୧୪ଟି ଥାନାରେ ୨୮୦ ବଦଳରେ ୨୭୫ଟି କ୍ୟାମେରା ଲାଗିଛି। ଏଥିରୁ ୧୯୭ କ୍ୟାମେରା କାମ କରୁନାହିଁ।

ରାଜ୍ୟରେ ଥାନାଗୁଡ଼ିକର ସମସ୍ତ ପ୍ରବେଶ, ପ୍ରସ୍ଥାନ, ହାଜତ, ଥାନା ଅଧିକାରୀଙ୍କ କୋଠରୀ, ଅଭ୍ୟର୍ଥନା କକ୍ଷ, ଥାନା ପରିସର ଭଳି ୧୪ଟି ପ୍ରମୁଖ ସ୍ଥାନରେ ସିସି କ୍ୟାମେରା ଲଗାଇ ଉଭୟ ପୁଲିସ ଓ ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ, ଥାନାରେ ଅଚଳ କ୍ୟାମେରା ପରୋକ୍ଷରେ ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି ବୋଲି ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର