ରାଜ୍ୟ ରାଜନୀତିରେ ଯାଜପୁରର ରାଜନୈତିକ ପତିଆରା ବଢ଼ୁଛି

ଯାଜପୁର : ରାଜ୍ୟ ରାଜନୀତିରେ ଯାଜପୁରର ପତିଆରା ବୃଦ୍ଧି ପାଇଛି। କିଛିମାସ ତଳେ ସୁଲୋଚନା ଦାସ ଭୁବନେଶ୍ବର ମେୟର ପଦରେ ନିର୍ବାଚିତ ହୋଇଥିଲେ। ଏହାର ଠିକ୍‌ ପରେପରେ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳି ଶାସନର ପ୍ରଥମଥର ମନ୍ତ୍ରିମଣ୍ଡଳ ଅଦଳବଦଳରେ ୨ଜଣ ସ୍ଥାନ ପାଇଛନ୍ତି। ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ତୃତୀୟଥର ପାଇଁ ନବୀନ ସରକାରରେ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ (ଡାନି) ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଇଂ.ଘଡ଼େଇ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି।

୨୦୦୦ ମସିହାରୁ ଆଜିପର୍ଯ୍ୟନ୍ତ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିଥିବାବେଳେ ଯାଜପୁର ଜିଲ୍ଲାର ଲୋକପ୍ରତିନିଧି ମାନେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି। ଏହି ପଞ୍ଚମ ପାଳିରେ ଶାସକ ଦଳ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ମନ୍ତ୍ରିମଣ୍ଡଳରେ ନରହି ମଧ୍ୟ ସମସ୍ତ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି। ଶାସକ ଦଳ ବିଜେଡି ସଂଗଠନ‌ ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ସେ ରାଜ୍ୟ ସରକାରଙ୍କର ଅନ୍ୟତମ କେନ୍ଦ୍ରବିନ୍ଦୁ ହୋଇଥିବାରୁ ଯାଜପୁର ଜିଲ୍ଲାର ପ୍ରଭାବ ରାଜ୍ୟ ରାଜନୀତିରେ ଏବେ ବେଶ୍‌ ଚର୍ଚ୍ଚାରେ। ନିକଟରେ ୪ଜଣ ରାଜ୍ୟସଭା ସଦସ୍ୟ ମନୋନୟନରେ ବରୀ ନିର୍ବାଚନମଣ୍ଡଳୀର ନେତ୍ରୀ ସୁଲତା ଦେଓଙ୍କୁ ମଧ୍ୟ ରାଜ୍ୟସଭା ସଦସ୍ୟା ଭାବେ ନିର୍ବାଚିତ କରାଯାଇଛି। ଏହାପୂର୍ବରୁ ପୌର ନିର୍ବାଚନରେ ମଧ୍ୟ ବରୀ ଅଞ୍ଚଳର ଅନ୍ୟତମ ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ବର ପୌର ନିଗମ ମେୟର ଭାବେ ନିର୍ବାଚିତ କରାଯାଇଥିଲା। ଏହାକୁ ଲକ୍ଷ୍ୟ କଲେ ରାଜ୍ୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଏହି ପଞ୍ଚମ ପାଳିରେ ଯାଜପୁର ଜିଲ୍ଲାକୁ ବେଶ୍‌ ଗୁରୁତ୍ବ ଦିଆଯାଉଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର