ବାଇ-ଲ’ ବିବାଦରେ ପଶିଲା ରାଜନୀତି, ପୁରୀକୁ ଯଦି ନା, ଭୁବନେଶ୍ବରକୁ ହଁ କେମିତି?

ଭୁବନେଶ୍ବର/ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପାଇଁ ଜାରି ହୋଇଥିବା ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’) କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ତେବେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଜାରି ହୋଇଥିବା ଅନୁରୂପ ଅଧିନିୟମ କାଏମ୍ ରହିଛି। ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ଏହା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ବାଇ-ଲ’ ପ୍ରସଙ୍ଗଟି ରାଜନୈତିକ ରୂପ ଧାରଣ କରି କେନ୍ଦ୍ର-ରାଜ୍ୟ ମଧ୍ୟରେ ଭୀଷଣ ବିବାଦ ଲାଗି କ୍ଷେତ୍ର ସୃଷ୍ଟି କରିଛି।

ଯଦିଓ ଗତକାଲି ଏହି ପ୍ରସଙ୍ଗରେ ବିଜେଡି-ବିଜେପିର ସ୍ବର ଗୋଟିଏ ଥିଲା, ଶ୍ରେୟ ନେବା ପାଇଁ କିନ୍ତୁ ଉଭୟ କସରତ ଆରମ୍ଭ କରିବା କାରଣରୁ ମୁହାଁମୁହିଁ ସ୍ଥିତିକୁ ଆସିଗଲେଣି। ଆଜି ଶ୍ରୀମନ୍ଦିର ସେବାୟତ ଦୁଇଭାଗ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ବିଜେଡିକୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ସାଧୁବାଦ ଜଣାଇଥିବା ବେଳେ ଅନ୍ୟ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ବି ବିଜେପିର ଶୀର୍ଷନେତା ଭେଟି ଧନ୍ୟବାଦ ଦେଇଛନ୍ତି।
ଏହି ପ୍ରସଙ୍ଗଟି କିନ୍ତୁ ଏତିକିରେ ସୀମିତ ନାହିଁ। ଏଇଥିପାଇଁ ଯେ ପୁରୀ ମନ୍ଦିର ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଚିଠି ଲେଖିଥିଲା ଓ ଏହି ଅଧିନିୟମ ବାତିଲ୍ ହେଲା। ଦେବୋତ୍ତର କମିସନ ସିଆର୍ ମହାପାତ୍ର ମଧ୍ୟ ଭୁବନେଶ୍ବର ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନଏମ୍‌ଏର ସଦସ୍ୟ ସଚିବଙ୍କୁ ଚିଠି ଲେଖିଥିଲେ। ଯାହାକୁ କେନ୍ଦ୍ର ଗ୍ରହଣ କରିନାହିଁ।

ଏବେ ପ୍ରଶ୍ନ ଉଠୁଛି, ପୁରୀରେ ବାତିଲ୍ ହେଲା, ଭୁବନେଶ୍ବରରେ କାହିଁକି ହେବନାହିଁ? ଗତକାଲି କେନ୍ଦ୍ରମନ୍ତ୍ରୀ କହିଥିଲେ, ଏନ୍‌ଏମ୍ଏ ଅଧ୍ୟକ୍ଷ ପୁରୀ ସଂପର୍କରେ କିଛି ଜାଣିନଥିଲେ। ତେବେ ଭୁବନେଶ୍ବରର ଦୁଇ ମନ୍ଦିର ସଂପର୍କରେ କଣ ଅଧ୍ୟକ୍ଷ ଜାଣିଥିଲେ? କେଉଁଠି ନା କେଉଁଠି ଏକାମ୍ର କ୍ଷେତ୍ରର ବିକାଶ ରୋକିବା ଲାଗି ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ରାଜନୈତିକ ମହଲରେ ସନ୍ଦେହ କରାଯାଉଛି। ତେବେ ଏହି ଚର୍ଚ୍ଚା ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ଗଣମାଧ୍ୟମକୁ କହିଛନ୍ତି, ଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ବାଇ-ଲ’ ସର୍ବସାଧାରଣ ନୋଟିସ କାଏମ୍‌ ରହିଛି। ଏହା ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁନାହିଁ। ଲିଙ୍ଗରାଜ ମନ୍ଦିରରେ ନିକଟରେ ଯେଉଁ ଭଙ୍ଗାରୁଜା ହୋଇଛି ତାହା ରାଜ୍ୟ ସରକାରଙ୍କ ଦ୍ବାରା। ଏଏସ୍‌ଆଇର ଉଚ୍ଚସ୍ତରୀୟ ଟିମ୍ ସେଠାକୁ ପଠାଯାଇଥିଲା। ସେମାନେ ତାଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଠାରେ ଏହି ଅଧିନିୟମ ପ୍ରୟୋଗ ହେବ ବୋଲି ଶ୍ରୀ ପଟେଲ୍ ସ୍ପଷ୍ଟ କରିଛନ୍ତି।

ବ୍ରହ୍ମେଶ୍ବର ଓ ଅନନ୍ତ ବାସୁଦେବଙ୍କ ପାଇଁ କଟକଣା ଲାଗିବ
ରାଜ୍ୟର ଦୋଷ କାଢ଼ି ଆଙ୍ଗୁଠି ଦେଖାଇଲେ ପଟେଲ୍‌
ପୁରୀ, ଭୁବନେଶ୍ବର ପ୍ରକଳ୍ପରେ ଭ୍ରମିତ କରୁଛନ୍ତି ସରକାର
ଶ୍ରୀମନ୍ଦିର ବିକାଶ କାମ ଆହୁରି ତ୍ବରାନ୍ବିତ ହେବ: ନବୀନ

ଏଥିସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ସିଧାସଳଖ ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ର ବାଇ-ଲ’ କୁ ନେଇ ରାଜ୍ୟ ସରକାର ହିଁ ଭ୍ରମ ସୃଷ୍ଟି କରୁଛନ୍ତି। ଶ୍ରୀମନ୍ଦିର ଚାରିପାଖର ଉଚ୍ଛେଦ କାମ ରାଜ୍ୟ ସରକାରଙ୍କର। ଏଥରେ କେନ୍ଦ୍ର ସରକାରଙ୍କର କୌଣସି ନେଣଦେଣ ନାହିଁ। ପୁରୀ ଶ୍ରୀମନ୍ଦିର ହେଉଛି ଜୀବନ୍ତ ସ୍ମାରକୀ। ଏଣୁ ବାଇ-ଲ’କୁ ନେଇ କେନ୍ଦ୍ର ଦ୍ବାରା ଯେଉଁ ନୋଟିସ୍ ଜାରି କରିଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ସବୁ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବାଇ-ଲ’ ପ୍ରସ୍ତୁତ ହେଉଛି। ଏହା ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରାଯାଉଛି। ଶ୍ରୀମନ୍ଦିର ପ୍ରାଙ୍ଗଣ ଚାରିପଟେ ଯେଉଁ ସବୁ ଜାଗା ଖାଲି କରାଯାଇଥିଲା ତାହା ରାଜ୍ୟ ସରକାରଙ୍କ ଦ୍ବାରା କାରାଯାଇଥିଲା। ଏଥିରେ ଏଏସ୍‌ଆଇ କିମ୍ବା ଭାରତ ସରକାରଙ୍କର କୌଣସି ନେଣଦେଣ ନଥିଲା। ସେହିଭଳି ବିସ୍ଥାପିତ ପରିବାରଙ୍କ ଥଇଥାନ ଯୋଜନା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇନାହିଁ। ଯାହାସବୁ ପ୍ରତିଶ୍ରୁତି ଦିଆଯାଇଥିବ, ତାହାକୁ ସାର୍ବଜନୀନ କରାଯାଉ ବୋଲି ସେ ହୃଦବୋଧ କରୁଥିବା କହିଛନ୍ତି। ସେ ପୁଣି କହିଛନ୍ତି, ସାରାଦେଶରେ ବାଇ-ଲ’ ଗୋଟିଏ ପ୍ରକାରର ହୋଇପାରିବ ନାହିଁ। ଅଲଗା ଅଲଗା ବାଇ-ଲ’ ପ୍ରସ୍ତୁତ କରାଯାଇଥାଏ। ଜୀବନ୍ତ ସ୍ମାରକୀ ତଥା ଜୀବନ୍ତ ନଥିବା ସ୍ମାରକୀର ଅଲଗା-ଅଲଗା ବାଇ-ଲ’ ଥାଏ। ଏକଥା ଓଡିଶା ସରକାର ବୁଝିବା ଦରକାର। ଖୁବ୍ ଶୀଘ୍ର ସେ ପୁରୀ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ପ୍ରତିନିଦଳରେ ସାମିଲ ନେତା ଓ ସେବକମାନେ ସୂଚନା ଦେଇଥିଲେ।

ଧନ୍ୟବାଦ ଜଣାଇବାପାଇଁ ଆଜି ବିଜେପିର ଏକ ପ୍ରତିନିଧିଦଳ ତଥା ଶ୍ରୀମନ୍ଦିରର କିଛି ସେବାୟତ କେନ୍ଦ୍ରମନ୍ତ୍ରୀ ପଟେଲଙ୍କ ଜନପଥସ୍ଥିତ ବାସଭବନରେ ପହଞ୍ଚିଥିଲେ। ପରେ ଶ୍ରୀ ଶାହଙ୍କୁ ଭେଟିଥିଲେ। ବିଜେପିର ପ୍ରତିନିଧିଦଳରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ଜାତୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଧାୟକ ଲଲିତେନ୍ଦୁ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ବିଜେପିର ନେତା ତଥା ଶ୍ରୀମନ୍ଦିରର କିଛି ସେବାୟତ ପ୍ରମୁଖ ଭେଟିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଭ୍ରମାତ୍ମକ ବିବରଣୀ ପ୍ରଦାନ କରାଯାଉଥିବା ନେଇ ସେମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି।
ଏପଟେ ପୁରୀର ସେବାୟତ ମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ସରକାର ବାତିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କିଛି ସମ୍ଭବ ହେଲା ବୋଲି ମତ ଦେଇ ଶ୍ରୀମନ୍ଦିର ବିକାଶ କାମ ଆହୁରି ତ୍ବରାନ୍ବିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର