ବିପଦ ଆଣିଲା ବିସ୍ତାରବାଦ ରାଜନୀତି: ବାସ୍ତବତାକୁ ଗୁରୁତ୍ବ ଦେଇନଥିଲା ବିଜେଡି

ବରୀ, ଯାଜପୁରରେ ଜିତି ସମ୍ମାନ ରଖିଲା, ଧର୍ମଶାଳାରେ ଭୁଲ୍‌ ନିଷ୍ପତ୍ତି ନେଇଥିଲା ବିଜେପି

ପ୍ରଦୀପ କୁମାର ମହାପାତ୍ର

ଯାଜପୁର: ବିଜେଡି ଗଡ଼କୁ ମହଙ୍ଗା ପଡ଼ିଲା ପ୍ରଭାବଶାଳୀ ନେତାଙ୍କ ବିସ୍ତାରବାଦ ରାଜନୀତି। ଦଳୀୟ ପ୍ରାର୍ଥୀ ଚୟନର ପ୍ରାୟ ବର୍ଷାଧିକ ସମୟ ପୂର୍ବରୁ ହିଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ପ୍ରଭାବଶାଳୀ ନେତା ଅସ୍ଥିରତା ସୃଷ୍ଟି କରିଥିଲେ। ଦଳୀୟ ଗୋଷ୍ଠୀ ବିବାଦକୁ ଆଳ କରି ଟିକେଟ କାଟିବାକୁ ଷଡ୍‌ଯନ୍ତ୍ର କରାଯାଇଥିଲା। ଯାହାର ପରିଣାମ ଯାଜପୁର ଜିଲ୍ଲାରେ ବିଜେଡିକୁ ଭୋଗିବାକୁ ପଡ଼ିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ପୂର୍ବରୁ ମୁହଁ ଖୋଲୁନଥିବା ଆଗଧାଡ଼ିର ସଂଗଠକମାନେ ଏବେ ବିଜେଡିର ଦୁର୍ଗ ପତନ ପରେ ଅସନ୍ତୋଷ ଝାଡୁଛନ୍ତି। ଦୃଷ୍ଟାନ୍ତ ସ୍ବରୂପ ବଡ଼ଚଣା ନିର୍ବାଚନମଣ୍ଡଳୀ। ଏଠାରେ ବରିଷ୍ଠ ନେତା ଅମର ଶତପଥୀ ୬ ଥର ନିର୍ବାଚିତ ହୋଇଥିଲେ। ୨୦୦୪ରେ ଦଳ ତାଙ୍କୁ ପ୍ରାର୍ଥୀ ନକରିବାରୁ ଏହି ଆସନ ହରାଇଥିଲା। ୨୦୦୯,୨୦୧୪ ଏବଂ ୨୦୧୯ରେ ଅମର ହ୍ୟାଟ୍ରିକ୍ ବିଜୟ ହାସଲ କରିଥିଲେ। ଏଥର କିନ୍ତୁ ତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଯୋଜନାବଦ୍ଧ ଭାବେ ବିଜେଡିର କାର୍ପଟଦାରମାନେ ପ୍ରସ୍ତୁତି କରିଥିଲେ। ଦଳ ଦଳ ହୋଇ ସୁପ୍ରିମୋଙ୍କ ପାଖକୁ ଯାଇ ପ୍ରାର୍ଥୀ ହେବାକୁ ଦାବି କରିଥିଲେ। ଅମରଙ୍କ ପ୍ରାର୍ଥିତ୍ବଙ୍କୁ ନେଇ ଦଳରେ ବିବାଦ ରହିଛି ବୋଲି ଦର୍ଶାଗଲା। ଆଉ ଶେଷରେ ତାଙ୍କ ଟିକେଟ କାଟି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ କଲା। ବିଜେଡି ଓ ବର୍ଷାଙ୍କ ପରାଜୟ ପରେ ଅମର ମୁହଁ ଖୋଲି କ୍ଷମତାଶାଳୀ ନେତାଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ନିର୍ବାଚନ ପରିଚାଳନା ଓ ପ୍ରାର୍ଥୀ ଚୟନ ଠିକ୍ ନଥିଲା ବୋଲି ଖୋଲାଖୋଲି ଅଭିଯୋଗ ଆଣିଛନ୍ତି।

ସେହିପରି କୋରେଇରେ ଅଭିନେତା ଆକାଶ ଦାସନାୟକଙ୍କ ସପକ୍ଷରେ ଜନସମର୍ଥନ ରହିଥିଲା। ଅଶୋକ ବଳଙ୍କ ଟିକେଟ୍ କାଟି ଆକାଶଙ୍କୁ ପ୍ରାର୍ଥୀ କରିବାକୁ ଦଳ ଭିତରୁ ଦାବି ଉଠୁଥିଲା। ହେଲେ ବିସ୍ତାରବାଦ ରାଜନୀତି ପାଇଁ ତାଙ୍କୁ ବିଜେଡି ଟିକେଟ୍ ମିଳିବ ନାହିଁ ବୋଲି ଆକାଶ ଠଉରେଇ ପାରିଥିଲେ। ଦଳେ ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରିବାର ସପକ୍ଷରେ ଲବି କରିବା ବେଳେ ଆଉ କେତେକ ପ୍ରଫୁଲ୍ଲ ଘଡ଼ାଇଙ୍କ ଅଭିନେତ୍ରୀ ବୋହୂ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଥିଲେ। ଆକାଶ ଏହି ବିବାଦରୁ ମୁକୁଳିବାକୁ ଯାଇ ବିଜେପିରୁ ପ୍ରାର୍ଥୀ ହେଲେ। ବବିଙ୍କ ମା’ ସଂଧ୍ୟାରାଣୀଙ୍କୁ ହରାଇଲେ।

ଯାଜପୁର ବିଧାନସଭା ଆସନରୁ ଲଢ଼ି ଆସୁଥିବା ବବି ଏଥର ସମ୍ବଲପୁର ଲୋକସଭା କ୍ଷେତ୍ରରୁ ଲଢ଼ି ପରାସ୍ତ ହେଲେ। ତାଙ୍କ ସ୍ଥାନରେ ସୁଜାତା ସାହୁଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିଥିଲା। ବବି ଏଠାରୁ ସବୁବେଳେ ବହୁ ଭୋଟ ବ୍ୟବଧାନରେ ଜିତୁଥିବା ବେଳେ ସୁଜାତା କମ୍ ଭୋଟରେ ଗୌତମ ରାୟଙ୍କୁ ହରାଇ ସମ୍ମାନ ରକ୍ଷା କଲେ। ବରୀରେ କିନ୍ତୁ ବିଜେଡି ଚାଲ୍ କାମ ଦେଲା। ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ବ ମଲ୍ଲିକଙ୍କୁ ପ୍ରାର୍ଥୀ କରି ସଫଳତା ସାଉଁଟିଲା। ଅପରପକ୍ଷରେ ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ ଓ ଧର୍ମଶାଳାର ପ୍ରଭାବଶାଳୀ ନେତା ପ୍ରଣବ ବଳବନ୍ତରାୟଙ୍କ ପରାଜୟ ପାଇଁ ଜନ ଅସନ୍ତୋଷ ମୂଳ କାରଣ ବୋଲି ତର୍ଜମା କରାଯାଉଛି। ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଡ. ପ୍ରଦୀପ କୁମାର ବଳସାମନ୍ତ ୯୫୧୨ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ବଳସାମନ୍ତଙ୍କ ସପକ୍ଷରେ ମୋଟ୍ ୮୬, ୨୦୫ ଖଣ୍ଡ ଓ ଶ୍ରୀ ଘଡ଼ାଇଙ୍କ ସପକ୍ଷରେ ୭୬, ୬୯୩ ଖଣ୍ଡ ପଡ଼ିଥିଲା। ଖଣି ଅଞ୍ଚଳ ସମେତ ଦାନଗଦୀ ଶିଳ୍ପାଞ୍ଚଳରେ ଘଡ଼େଇ ପରିବାର ବିରୋଧରେ ଥିବା ଅସନ୍ତୋଷ ବିଜେଡି ପରାଜୟର କାରଣ ବୋଲି କୁହାଯାଉଛି।

ସେହିପରି ଧର୍ମଶାଳାର ଟାଣୁଆ ନେତା ପ୍ରଣବ ବଳବନ୍ତରାୟ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ଠାରୁ ହାରିବା ଘଟଣା ଜିଲ୍ଲାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ହିମାଂଶୁଙ୍କ ପ୍ରତି ଏଠାରେ ପ୍ରବଳ ଜନସମର୍ଥନ ରହିଥିବା ସତ୍ତ୍ବେ ବିଜେପି ସ୍ମୃତିରେଖା ପହୀଙ୍କୁ ପ୍ରାର୍ଥୀ କରିଥିଲା। ବିଜେପିର ପ୍ରାର୍ଥୀ ଚୟନରେ ଶ୍ରୀ ବଳବନ୍ତରାୟଙ୍କ ଭିତିରିଆ ଭୂମିକା ରହିଥିବା ଚର୍ଚ୍ଚା ହୋଇଥିଲା। ଭୋଟ ବିଭାଜନ ଯୋଗୁଁ ଶ୍ରୀ ବଳବନ୍ତରାୟ ବିଜୟୀ ହୋଇଯିବେ ବୋଲି ଆଶା କରୁଥିଲେ। ହେଲେ ତାଙ୍କ ବିରୋଧରେ ରହିଥିବା ଅସନ୍ତୋଷ ହିମାଂଶୁଙ୍କୁ ବିଜୟୀ କରାଇଥିଲା। ବିଂଝାରପୁରରେ ପ୍ରମିଳା ମଲ୍ଲିକ ଏଥର ସପ୍ତମ ଥର ପାଇଁ ବିଜୟୀ ହୋଇଛନ୍ତି। ସେ ବିଜେପିର ବବିତା ମଲ୍ଲିକଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏହି ଆସନରୁ ଅମିୟ ମଲ୍ଲିକ ବିଜେପି ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ଦଳ ତାଙ୍କୁ ଟିକେଟ ନଦେବାରୁ ଅମିୟଙ୍କ ସମର୍ଥକ ନିରବ ରହିଥିଲେ। ଅନ୍ୟଥା ପରିଣାମ କିଛି ଭିନ୍ନ ହୋଇଥାନ୍ତା ବୋଲି କୁହାଯାଉଛି। ବିସ୍ତାରବାଦ ରାଜନୀତି, ପ୍ରାର୍ଥୀ ଚୟନରେ ଗଡ଼ବଡ଼ ଯୋଗୁଁ ଜିଲ୍ଲାର ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦର୍ଶନ ଭଲ ନଥିଲା। ଯାହାର ପ୍ରଭାବ ଦଳର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ପରାଜୟର କାରଣ ସାଜିଲା ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର