ଗରଦପୁର: ଅଦମ୍ୟ ଇଚ୍ଛାଶକ୍ତି ଆଗରେ ଗରିବୀ କିପରି ହାର୍‌ ମାନେ, ତା’ର ଉଦାହରଣ ଗରଦପୁର ବ୍ଲକ୍ ତେଣ୍ତାକୁଡ଼ା ପଞ୍ଚାୟତ ନରଡ଼ା ଗ୍ରାମର ଶୁଭଲକ୍ଷ୍ମୀ ସାହୁ। ବାପା ବ୍ରଜକିଶୋର ଗାଁକୁ ଗାଁ ବୁଲି ଷ୍ଟେସନାରି ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ୩ ପିଲା, ପତ୍ନୀ କନକଲତାଙ୍କୁ ନେଇ ସଂସାର। ଶୁଭଲକ୍ଷ୍ମୀ ବଡ଼। ତାଙ୍କ ତଳେ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ଦାରିଦ୍ର୍ୟର କଷାଘାତ ଭିତରେ ଚଳିବା ଅସମ୍ଭବ ହୋଇପଡ଼ିବାରୁ ଶୁଭଲକ୍ଷ୍ମୀ ମାମୁଘର ବଙ୍ଗାରୀ ଗ୍ରାମରେ ରହି ତଳକୁସୁମା ଗୋବିନ୍ଦପୁର ହାଇସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭୁବନେଶ୍ବରର ଜ୍ଞାନଭାରତୀ ରେସିଡେନ୍‌ସିଆଲ୍‌ କଲେଜରେ ଯୁକ୍ତ୨ ଶେଷ ପରେ ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ପାଠପଢ଼ା ପ୍ରତି ଥିବା ଅହେତୁକ ଆଗ୍ରହ ଓ ଡାକ୍ତର ହେବା ପାଇଁ ଥିବା ଇଚ୍ଛାକୁ ସଫଳ କରିବା ପାଇଁ ଲାଗି ପଡ଼ିଥିଲେ ସେ। ବାପା କ‌ଷ୍ଟେମଷ୍ଟେ ୮୦ ହଜାର ଟଙ୍କା ଯୋଗାଡ଼ କରି ଶୁଭଲକ୍ଷ୍ମୀଙ୍କୁ କୋଚିଂରେ ଭର୍ତ୍ତି କରାଇଥିଲେ। ପ୍ରଥମ ୨ଥରରେ ଶୁଭଲକ୍ଷ୍ମୀ ଅକୃତକାର୍ଯ୍ୟ ହୋଇଥିଲେ ହେଁ ହାର୍‌ ମାନି ନଥିଲେ।

Advertisment

publive-image

ଏଭଳି ସ୍ଥିତିରେ ସମ୍ପୃକ୍ତ କୋଚିଂ ସେଂଟର୍‌ କର୍ତ୍ତୃପକ୍ଷ ବି ଶୁଭଲକ୍ଷ୍ମୀଙ୍କୁ ସହାୟତାର ହାତ ବଢ଼ାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କଠାରୁ କୌଣସି ଫି’ ନନେଇ ତାଙ୍କୁ ପାଠପଢ଼ାରେ ସହାୟତା ଯୋଗାଇ ଦେଇଥିଲେ। ତୃତୀୟଥର ଶୁଭଲକ୍ଷ୍ମୀ ନିଟ୍‌ରେ ୩୯୧ ରୢାଙ୍କ ରଖି ସଫଳତା ଅର୍ଜନ କରିଛନ୍ତି। ବାଲେଶ୍ବରସ୍ଥିତ ଫକୀରମୋହନ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ରେ ଆଡ୍‌ମିସନ୍‌ କରିଛନ୍ତି। ବାପା ରାଜକିଶୋର ଜଣେ ହୃଦ୍‌ରୋଗୀ ହୋଇଥିବା ବେଳେ ତାଙ୍କ ମାମୁ ଆରପାରିକୁ ଚାଲି ଯାଇଛନ୍ତି। ଆଗାମୀ ଦିନରେ ପାଠପଢ଼ା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ କାଠିକର ପାଠ ହୋଇଥିବାରୁ ଏଥିପାଇଁ କୌଣସି ସରକାରୀ, ବେସରକାରୀ ବ୍ୟକ୍ତି ବା ଅନୁଷ୍ଠାନ ସହାୟତାର ହାତ ବଢ଼ାଇବା ପାଇଁ ମା’ କନକଲତା ଅନୁରୋଧ କରିଛନ୍ତି।