ସବୁଥିରୁ ବଞ୍ଚିତ ଗରିବ ଆଦିବାସୀ ପରିବାର; ଖାଦ୍ୟ ସୁରକ୍ଷା ସାତସପନ, ସ୍ବାସ୍ଥ୍ୟକାର୍ଡ କ’ଣ ଜାଣନ୍ତିନି

କାଳିଆପାଣି : ଗରିବ ଆଦିବାସୀମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସତ୍ତ୍ବେ ରତ୍ନଗର୍ଭା ସୁକିନ୍ଦା ଖଣିଅଞ୍ଚଳର ଗରିବ ଆଦିବାସୀ ଭୂମିପୁତ୍ର ପରିବାର ସବୁଥିରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଦାନଗଦୀ ବ୍ଲକ୍‌ କିଆଝର ପଞ୍ଚାୟତ ୧୬ ନମ୍ବର ୱାର୍ଡ ଟୁଙ୍ଗେଇଶୁଣି ଗାଁର ସୁବେନୁ ଓ ଲକ୍ଷ୍ମଣ ଦେହୁରୀଙ୍କ ୮ ଜଣିଆ ପରିବାରରେ ରୋଜଗାରିଆ ବଡ଼ପୁଅର ଦୁଃଖଦ ମୃତ୍ୟୁ ଓ ୨ ଝିଅଙ୍କ ବିବାହ ପରେ ଏହି ପରିବାରର ସଦସ୍ୟ ସଂଖ୍ୟା ଏବେ ୫ ଜଣ। ସମସ୍ତେ ସରକାରୀ ଯୋଜନାରୁ ବଞ୍ଚିତ। ପରିବାରର ସାବାଳକମାନେ ପାଇଥିବା ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡକୁ ସରକାରୀ ସହାୟତା ଓ ମୂଲ୍ୟବାନ ସମ୍ପତ୍ତି ଭାବି ସାଇତି ରଖିଛନ୍ତି। ବିଭିନ୍ନ ନିର୍ବାଚନରେ ମତଦାନ କରିଆସିଥିବା ପରିବାର ସଦସ୍ୟମାନେ ପ୍ରତିଥର ମାଳମାଳ ନେତାଙ୍କୁ ନେହୁରା ହୋଇଛନ୍ତି, ହେଲେ ପ୍ରତିଶ୍ରୁତି ଛଡ଼ା କିଛି ମିଳିନି ବୋଲି ଏହି ପରିବାର ସଦସ୍ୟ କ୍ଷୋଭର ସହ କହନ୍ତି।

ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କିଲୋ ଚାଉଳ ପାଇବାକୁ ହକ୍‌ଦାର ହୋଇଥିଲେ ମଧ୍ୟ ଏହି ଅସହାୟ ପରିବାର ନିକଟରେ ରାସନ କାର୍ଡ ନାହିଁ। ଝାଟିମାଟି ଓ ଛଣଛପର ଘରେ ରହୁଥିଲେ ବି ଖଣି ପ୍ରଭାବିତ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଗାଈ ଚରାଇ ପେଟ ପୋଷୁଥିବା ଲକ୍ଷ୍ମଣ ମୋ’ଗୁହାଳ ଯୋଜନା ସମ୍ପର୍କରେ ଅଜ୍ଞ। ସୁବେନୁ ଓ ଲକ୍ଷ୍ମଣ ବରିଷ୍ଠ ନାଗରିକ ହୋଇଥିଲେ ମଧ୍ୟ ଆଧାରକାର୍ଡ ଓ ଭୋଟର କାର୍ଡରେ ବୟସ କମ ଥିବାରୁ ଉଭୟ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ୬୨ ବର୍ଷ ବୟସର ଲକ୍ଷ୍ମଣ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ୟାକୁଳ ହେଉଛନ୍ତି। ବଡ଼ପୁଅ ରାଜୁ ଦେହୁରୀ କାଳିଆପାଣି ଖଣିଅଞ୍ଚଳର ଏକ ଘରୋଇ କମ୍ପାନିରେ ଠିକା ଖଣି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଖଣିରେ ଏକ ପଥର ଛିକିଟି ଆସି ତାଙ୍କ ଗଳାରେ କ୍ଷତ ହୋଇଥିଲା। କାଳକ୍ରମେ ଏହା କର୍କଟକୁ ସଂକ୍ରମିତ ହୋଇ ରାଜୁଙ୍କ ଜୀବନ ଯାଇଥିଲା। ହେଲେ ଉକ୍ତ କମ୍ପାନିରୁ ତାଙ୍କ ପରିବାର ଟଙ୍କାଟିଏ ବି କ୍ଷତିପୂରଣ ପାଇନଥିବା ଅଭିଯୋଗ ହୁଏ।

ସେହିପରି ଏହି ପରିବାର ନିକଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ(ବିଏସ୍‌କେୱାଇ) ଖଣ୍ଡିଏ ନାହିଁ। ଦ୍ବିତୀୟ ପୁଅ ବିଜୁ(୨୫) ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଅଧାରୁ ପାଠ ଛାଡ଼ିଥିବା ତୃତୀୟ ପୁଅ ଅଜୁ ଗାଁରେ ରହି କାମଧନ୍ଦା ଖୋଜୁଛନ୍ତି। ସାନପୁଅ ସିଜୁ(୧୬) ଏବେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। କରୋନା ପାଇଁ ୨ ବର୍ଷ ପାଠରେ ଅସୁବିଧା ସୃଷ୍ଟି ହୋଇଛି। ଅଭାବ ଅନଟନରେ ଛଟପଟ ହେଉଛନ୍ତି ବୋଲି ସୁବେନୁ କହନ୍ତି। ଏହି ପରିବାରର ଦୁଃସ୍ଥିତି ସଂପର୍କରେ ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ପଚାରିବାରେ, ଯଥାଶୀଘ୍ର ସେମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର