ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ପୁଣି ବଢ଼ିଛି। ପୁଲିସର ଚୂଡ଼ାନ୍ତ ରିପୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଥିଲେ ବି ପୁଣି ଥରେ ସେ ଆଇନ ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି। ସୋମାଲିକା ଆଣିଥିବା ଅଭିଯୋଗର କୌଣସି ସତ୍ୟତା ବା ସେମିତି କିଛି ତଥ୍ୟ ପ୍ରମାଣ ମିଳୁ ନ ଥିବା ଦର୍ଶାଇ ଜଗତସିଂହପୁର ଥାନା ପୁଲିସ ଏସଡିଜେଏମ୍ କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। କିନ୍ତୁ ସୋମାଲିକା ଏଥିରେ ଅସନ୍ତୋଷ ପ୍ରକାଶ କରି ଓକିଲଙ୍କ ସହ କୋର୍ଟରେ ହାଜର ହୋଇ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଛନ୍ତି।
ସୋମାଲିକାଙ୍କ କହିବା ଅନୁସାରେ, ବିଜୟଶଙ୍କର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ପ୍ରତାରଣା କରିବା ନେଇ ଯେଉଁ ଅଭିଯୋଗ ଆଣିଥିଲେ ସେ ନେଇ ପୁଲିସ ତାଙ୍କର ବୟାନ ରେକର୍ଡ କରିନାହିଁ। ଏପରିକି ଫଟୋ, ଭିଡିଓ ସହ କିଛି ପ୍ରମାଣ ମଧ୍ୟ ସେ ଦାଖଲ କରିଥିଲେ। କିନ୍ତୁ ପୁଲିସ ଏ ଦିଗରେ ତଦନ୍ତ କରିନାହିଁ। ସେହିପରି ବିଜୟ ଶଙ୍କରଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ତାଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ଆଣିଥିଲେ ସୋମାଲିକା। କେତେକ ଫୋନ୍ କଲ୍ର ରେକର୍ଡ ଓ ଅନ୍ୟ ତଥ୍ୟ ପୁଲିସ ନିକଟରେ ଦାଖଲ ହୋଇଥିଲେ ମଧ୍ୟ ପୁଲିସ ଏହାକୁ ଫାଙ୍କି ଦେଇଥିବା ସୋମାଲିକା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସବୁଠୁ ବଡ଼ କଥା ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କଟକର ଅରୁଣୋଦୟ ନଗରରେ ଏକ ଫ୍ଲାଟରେ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ ହୋଇଥିଲା। ସେହି ଫ୍ଲାଟକୁ ବିକ୍ରି କରାଯିବା ପରେ ପୁଲିସ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା ବୋଲି ସୋମାଲିକା କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଜୟଶଙ୍କରଙ୍କ ବିରୋଧରେ ସୋମାଲିକା ଜଗତସିଂହପୁର ଥାନାରେ ଗତବର୍ଷ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ପୁଲିସ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ଆଜି କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ସୋମାଲିକାଙ୍କୁ ନୋଟିସ୍ ଜାରି କରାଯାଇଥିଲା।