ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍

ସମ୍ବଲପୁର : ଝିଅମାନଙ୍କ ନାଁରେ ଫେକ୍‌ ଆଇଡି ତିଆରି କରିବା ଏବଂ ସେଥିରେ ତାଙ୍କର ଅଶ୍ଳୀଳ ଫଟୋ ଛାଡ଼ିବା ଭଲି ଅନେକ ଘଟଣା ଏବେ ପଦାକୁ ଆସୁଛି। ଆହୁରି ଅନେକ ଲୋକଲଜ୍ଜା ଭୟରେ ଚୁପ୍‌ ହୋଇ ରହିଯାଉଛନ୍ତି। ସମ୍ବଲପୁରରେ ଏଭଳି ମାଳ ଘଟଣା ସାମ୍ନାକୁ ଆସୁଛି। ଫେକ୍‌ ମେଲ୍‌ ତିଆରି କରି ଏକ ଘରୋଇ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ ଶୋଇଲେ ଦରମା ବଢ଼ାଇବା ଭଳି ମେସେଜ୍‌ ପଠାଇବା ଘଟଣା ସମ୍ବଲପୁରରେ ଚର୍ଚ୍ଚା ସୃଷ୍ଟି କରିଥିଲେ। ତେବେ ସେବେଠାରୁ ଏହି ଫେକ୍‌ ଆଇଡି ମାମଲା ପଦାକୁ ଆସିବାରେ ଲାଗିଛି। ସମ୍ବଲପୁର ସାଇବର୍‌ ଥାନା ପୁଲିସ କିଛି ଅଭିଯୁକ୍ତଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଛି। ତେବେ ସଚେତନତା ଓ ଆଇନ ଅନୁଯାୟୀ ରହିଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ବଲପୁର ପୁଲିସ ଲୋକଙ୍କୁ ସଚେତନ କରୁ ନଥିବାରୁ ଏହି ଘଟଣା ଏବେ ବଢ଼ିବାରେ ଲାଗିଛି।

ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରେ ଆଉ ଜଣେ ନାବାଳିକା(୧୭)ଙ୍କ ନାଁରେ ଫେର୍‌ ଆକାଉଣ୍ଟ ଖୋଲାଯାଇ ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ବାପା ସମ୍ବଲପୁର ସାଇବର୍‌ ଥାନାରେ ବୁଧବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ବାପା ଇନ୍‌ଷ୍ଟାଗ୍ରାମ ଖୋଲି ଦେଖିବା ବେଳକୁ ତାଙ୍କ ଝିଅର ଅଶ୍ଳୀଳ ଭିଡିଓକୁ କେହି ଜଣେ ଭାଇରାଲ୍‌ କରିଥିଲା। ଏହାପରେ ସେ ବୁଧବାର ଦିନ ସାଇବର୍‌ ଥାନାରେ ଅଭିଯୋଗ କରିବା ସହ ସାମାଜିକ ଗଣମାଧ୍ୟମରୁ ଭାଇରାଲ୍‌ହେଉଥିବା ଭିଡିଓକୁ କାଟି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର