ବିବାହ ବେଦିରେ ‘ପଜିଟିଭ୍‌’ ବର, ପ୍ରଶାସନ ଉଠାଇ ସଙ୍ଗରୋଧରେ ରଖିଲା

ପାଟପୁର : ୪ ଦିନ ତଳେ କରୋନା ପରୀକ୍ଷା ପାଇଁ ସ୍ବାବ୍ ନମୁନା ଦେଇଥିଲା ବର। ହେଲେ ରିପୋର୍ଟ ଆସି ନଥିଲା। ଆଉ ଏଭଳି ପରିସ୍ଥିତିରେ ବେଦିରେ ବସି ବିବାହ କରୁଥିବା ସମୟରେ ରିପୋର୍ଟ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ପ୍ରଶାସନ କାଳବିଳମ୍ବ ନକରି ବରକୁ ବେଦିରୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅଧୀନ ଦଶେଇପୁର ଗାଁରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁସାରେ ଦଶେଇପୁର ଗ୍ରାମର ରାଜେନ୍ଦ୍ର ଦଣ୍ଡିଆଙ୍କ ଆଜି ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କନ୍ୟାପକ୍ଷ ଆସି ସକାଳୁ ପହଞ୍ଚିଯାଇଥିଲେ। ଏହାପୂର୍ବରୁ ରାଜେନ୍ଦ୍ର ପ୍ରଶାସନର ନିୟମାନୁସା‌ରେ, ଆଡ଼ପଡ଼ା ଡାକ୍ତରଖାନାରେ ଅନ୍ୟ ପରିବାରବର୍ଗଙ୍କ ସହ କୋଭିଡ୍ ପରୀକ୍ଷା ପାଇଁ ସ୍ବାବ୍ ଦେଇଥିଲେ। କିନ୍ତୁ ରିପୋର୍ଟ ଆସି ନଥିଲା। ଆଜି ରାଜେନ୍ଦ୍ର ବିବାହ ପାଇଁ ବେଦିରେ ବସିଥିବାବେଳେ ହଠାତ୍ ତାଙ୍କ ରିପୋର୍ଟ ପଜିଟିଭ୍ ବୋଲି ପ୍ରଶାସନ ଜାଣିବାକୁ ପାଇଥିଲା। ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ.ଶ୍ରୀନିବାସ ବେହେରା ଓ ପାଟପୁର ଥାନାଧିିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ପୁଲିସ ଓ ରାଜସ୍ବ କର୍ମଚାରୀ ପହଞ୍ଚିଥିଲେ। ରାଜେନ୍ଦ୍ରଙ୍କୁ ବେଦିରୁ ଉଠାଇ ଏକ ଘରେ ସଙ୍ଗରୋଧରେ ରଖାଯାଇଥିଲା। ଏହାସହ କନ୍ୟାପକ୍ଷ ଓ ବରପକ୍ଷର ଅନ୍ୟ ପରିବାର ସଦସ୍ୟଙ୍କୁ ବି ସଙ୍ଗ‌ରୋଧରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ରାଜେନ୍ଦ୍ର ସୁସ୍ଥ ହେବା ସହ ରିପୋର୍ଟ ନେଗେଟିଭ୍ ଆସିବାର ଏକ ମାସ ପରେ ବାହାଘର ହେବ ବୋଲି ପ୍ରଶାସନ ଏକ ଲିଖିତନାମା ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର