ଏମ୍‌ସ ବାଲେଶ୍ବରରେ ୨୪ କନ୍‌ସଲଣ୍ଟାଣ୍ଟ ଡାକ୍ତର ପଦକୁ ମିଳିନି ଅନୁମତି: ୨ ମାସରେ ଚିକିତ୍ସା ସେବା ଆରମ୍ଭ ନେଇ ସନ୍ଦେହ

ଭୁବନେଶ୍ବର: ଏମ୍‌ସ ବାଲେଶ୍ବର (ସାଟେଲାଇଟ୍ ସେଣ୍ଟର)ରେ ୨୪ କନସଲଣ୍ଟାଣ୍ଟ ଡାକ୍ତର ପଦକୁ ମିଳିନି ଅନୁମତି। ଏଭଳି ସ୍ଥିତିରେ ଏଠାରେ ୨ ମାସରେ ଚିକିତ୍ସା ସେବା ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଡିପାର୍ଟମେଣ୍ଟ ଅଫ ପର୍ସନାଲ ଟ୍ରେନିଂ (ଡିଓପିଟି)ର ଅନୁମୋଦନ ପରେ ଏମ୍‌ସରେ ନିଯୁକ୍ତି ହୋଇଥାଏ। ବାଲେଶ୍ବର ସାଟେଲାଇଟ୍ ସେଣ୍ଟରର ଏହି ନିଯୁକ୍ତି ସଂକ୍ରାନ୍ତରେ ଅନୁମୋଦନ ମିଳିପାରି ନାହିଁ। ଅପରପକ୍ଷରେ ଏମ୍‌ସରେ ଫାକ୍‌ଲଟି ନିଯୁକ୍ତି ହୋଇଥାଏ। କନସଲଣ୍ଟାଣ୍ଟ ନିଯୁକ୍ତି ବ୍ୟବସ୍ଥା ନଥିବାରୁ କେଉଁ ପ୍ରକ୍ରିୟା ଏହାକୁ ଅନୁମତି ଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତି ଶନିବାର ଏବଂ ରବିବାର ଏମ୍‌ସ ଭୁବନେଶ୍ବରରୁ ଡାକ୍ତର ଯାଇ ସେଠାରେ ରୋଗୀଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା କରାଯାଉଛି। ଅର୍ଥାତ ଯେଉଁ ରୋଗୀ ଏମ୍‌ସ ଭୁବନେଶ୍ବରରେ ଦେଖାଇ ସାରିଥିବେ କିନ୍ତୁ ଦ୍ବିତୀୟ ଥର କେବଳ ପରାମର୍ଶ ନେବା ପାଇଁ କିମ୍ବା ସ୍ବାସ୍ଥ୍ୟର ଅଗ୍ରଗତି ଜାଣିବା ପାଇଁ ଏମ୍‌ସ ଭୁବନେଶ୍ବର ଯାଇ ହଇରାଣ ହେଉଥିଲେ ତାଙ୍କୁ ଏହି ବ୍ୟବସ୍ଥାରେ ସହାୟତା ମିଳିବ।

ଏମ୍‌ସ ଭୁବନେଶ୍ବରରେ ଯେତେ ସଂଖ୍ୟକ ରୋଗୀ ଆସୁଛନ୍ତି ସେହି ହିସାବରେ ଏଠାରେ ଡାକ୍ତର ନାହାନ୍ତି। ସେଥିରେ ପୁଣି ସମୁଦାୟ ୩୦୫ ପଦରେ ୨୩୦ ଫାକ୍‌ଲଟିଙ୍କର ନିଯୁକ୍ତି ହୋଇଛି। ଅନେକ ବିଭାଗରେ ଆବଶ୍ୟକ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏଭଳି ସ୍ଥିତିରେ ମଧ୍ୟ ଶନିବାର ଏବଂ ରବିବାର ଭୁବନେଶ୍ବରରୁ ଡାକ୍ତର ଯାଇ ବାଲେଶ୍ବରରେ କାର୍ଯ୍ୟ କଲେ ତାହା ସ୍ବାଗତଯୋଗ୍ୟ ମାତ୍ର ତାହା କେତେ ବାସ୍ତବିକ ତାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ରହିଛି। ଏମ୍‌ସ ବାଲେଶ୍ବର ସାଟେଲାଇଟ୍‌ ସେଣ୍ଟର ଏମ୍‌ସ ପାଇଁ ଏକ ନୂତନ ପରିକଳ୍ପନା। ଏହା କାର୍ଯ୍ୟକାରୀ ହେଲେ ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ରୋଗୀ ଉପକୃତ ହୋଇ ପାରିବେ। ଏମ୍‌ସ ଭୁବନେଶ୍ବରରେ ଯେଉଁଭଳି ଭିଡ଼ ହେଉଛି ତାହା ସାମାନ୍ୟ ହ୍ରାସ ପାଇବ। ଚିକିତ୍ସା ସେବା ଆହୁରି ଉନ୍ନତ ହୋଇ ପାରିବ। ବାଲେଶ୍ବର ସାଟେଲାଇଟ୍‌ ସେଣ୍ଟର ଯେମିତି ପ୍ରହସନ ନହେବ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର