କୁଳପତି ସଂଜୀବ ମିତ୍ତଳଙ୍କୁ ଗିରଫ ଦାବିରେ ଲାଗିଲା ପୋଷ୍ଟର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପାଇଁ ଆଜି ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ତାଙ୍କ ଗିରଫ ଦାବିରେ ପୋଷ୍ଟର ଲଗାଯାଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ ନେବା ପରଠାରୁ ପ୍ରଫେସର ସଂଜୀବ ମିତ୍ତଲ ଚର୍ଚ୍ଚାରେ ରହିଥିଲେ। ତାଙ୍କ ସମୟରେ ସବ‌ୁବେଳେ କ‌ୌଣସି ନା କୌଣସି କାରଣରୁ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବିବାଦ ମୁଣ୍ଡ ଟେକିଥିଲା। ନିକଟରେ କ୍ରମାଗତ ଭାବେ ୩ ଦିନ ପର୍ଯ୍ୟନ୍ତ  ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ କଲେଜଗୁଡ଼ିକର ଯୁକ୍ତ ୩ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ତେବେ, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ଟଙ୍କା ହେର୍‌ଫେର୍ କରିବା ତାଙ୍କ ପାଇଁ ବେଶୀ ସମସ୍ୟା ସୃଷ୍ଟି କରିଥିଲା। ଏହି ପ୍ରକଳ୍ପ ଆକାଉଣ୍ଟରୁ ସେ ନିଜର ନିକଟ ସଂପର୍କୀୟଙ୍କ ପାଖକୁ ଦୁଇଟି ପର୍ଯ୍ୟାୟରେ ପଠାଇଥିବା ୨୯ ଲକ୍ଷ ଟଙ୍କା ପୁଣି ବିଶ୍ବବିଦ୍ୟାଳୟ ଆକାଉଣ୍ଟକୁ ଫେରାଇବା ଘଟଣାର ତାଙ୍କ ପାଇଁ ବେଶୀ ଅପମାନଜନକ ସ୍ଥିତି ସୃଷ୍ଟି କରିଥିଲା। ଏଭଳି ସ୍ଥିତିରେ ଗତକାଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ କ‌େତେକ ଜାଗାରେ ‌ପୋଷ୍ଟର ଲଗାଯାଇଥିବା ବେଳେ ତାହା କିଛି ସମୟ ମଧ୍ୟରେ ଚିରି ଦିଆଯାଇଥିବା ଶୁଣିବାକୁ ମିଳିଥିଲା। ତେବେ, ଆଜି ସକା‌ଳେ ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଫ୍ଲାଇଓଭରର ପିଲାର୍‌ରେ ପ୍ରଫେସର ମିତ୍ତଲଙ୍କ ଫଟୋ ଥିବା କେତେକ ପୋଷ୍ଟର ଲଗାଯାଇଛି।

ଏଥିରେ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। କଚେରି ଅଂଚଳ ସହିତ ମହାନଗରର ଅନ୍ୟ କେତେକ ଜାଗାରେ ବି ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ‌ତେବେ, ଏହି କିଏ ପୋଷ୍ଟର ଲଗାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଳମ୍ବନ କରୁଥିବା ଶାସକ ଦଳର ନେତା, ମନ୍ତ୍ରୀମାନେ କହୁଛନ୍ତି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ସମୟ ସମୟରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି। କିନ୍ତୁ, ପ୍ରଫେସର ମିତ୍ତଲଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପରେ ଆର୍ଥିକ ଅନିୟମିତତା ହୋଇଥିବାର ପ୍ରମାଣ ମିଳିସାରିଛି। ସମାବର୍ତ୍ତନ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ସ୍ବର୍ଣ୍ଣପଦକରେ ସୁନାର ମାନ ଓ ପରିମାଣ ବି କମ୍ ଥିବା ଅଭିଯୋଗ ଆସିଛି। ବିଶ୍ବବିଦ୍ୟାଳୟର ମାନକ ଅନୁଯାୟୀ ସ୍ବର୍ଣ୍ଣପଦକ ତିଆରି ହୋଇନଥିବା ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଧୋକା ହୋଇଥିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ଠୋସ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଉଲ୍ଲେଖଯୋଗ୍ୟ ଯେ, କୁଳପତି ପ୍ରଫେସର ମିତ୍ତଲ  ଗତ ୨୬ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିଛନ୍ତି। ଏଠାରେ କୁଳପତି ଭାବେ ଅବସ୍ଥାପିତ ହେବା ଦିନଠୁ ସେ ବିଶ୍ବବିଦ୍ୟାଳୟର ଅତିଥିଶାଳାରେ ରହି ଆସୁଛନ୍ତି।

ସମ୍ବନ୍ଧିତ ଖବର