ଝଡ଼ ତୋଫାନ ଓ କୁଆପଥର ମାଡ଼ରେ ଛିଣ୍ଡିଲା ବିଦ୍ୟୁତ୍‌ ତାର, ଟ୍ରକ ଓଲଟିଲା

କୋରେଇ : ଝଡ଼ ତୋଫାନ ଓ କୁଆପଥର ମାଡ଼ରେ ଗୁରୁବାର ଦିନ ପୁଣି କୋରେଇ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି। ୨୦ ନମ୍ବର ଜାତୀୟ ରାଜପଥ ଧନେଶ୍ବର ପଞ୍ଚାୟତ ପାଟୁଳି ଛକ ନିକଟରେ ଏକ ମାଲ୍‌ ବୋଝେଇ ଟ୍ରକ ଓଲଟି ପଡ଼ିଥିବାବେଳେ ଛକରେ ଥିବା ୩ଟି କେବିନ୍ ମଧ୍ୟ ପବନରେ ଓଲଟି ପଡ଼ିଛି। ପାଟୁଳି ଗ୍ରାମର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶିବଚରଣ ମାଝିଙ୍କ ନିର୍ମାଣାଧୀନ ଘର ଉପରେ ଏକ ଗଛ ଉପୁଡ଼ି ପଡ଼ିଛି। ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମରେ ଗଛ ଉପୁଡ଼ି ବିଦ୍ୟୁତ୍ ତାର ପଡ଼ି ରାସ୍ତା ଅବରୋଧ ହୋଇଥିଲା। କୁଆପଥର ମାଡ଼ରେ ଗ୍ରାମର କେଶବ ଚନ୍ଦ୍ର ମଙ୍ଗରାଜଙ୍କ ଦୁଇଟି ଗାଡ଼ିର କାଚ ଭାଙ୍ଗିଯାଇଛି। ସେହିପରି ରଘୁନାଥ ପାତ୍ରଙ୍କ ଚାଳଛପର ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଫଳରେ ରଘୁନାଥଙ୍କ ପରିବାର ପଡ଼ିଶା ଘରେ ଆଶ୍ରୟ ନେଇଛନ୍ତି।

ଏକଘଣ୍ଟା ଧରି କୋରେଇ ବ୍ଲକର ଜହ୍ନା, ଖମଣ, ଧନେଶ୍ବର, ସାଦକପୁର, ତାରାକୋଟ, ପାଣିକୋଇଲି, ପଥରପଦା ଆଦି ପଞ୍ଚାୟତରେ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ଜାରି ରହିଥିଲା। ଫଳରେ ବହୁ ଡାଳୁଅ ଧାନ ଓ ପନିପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଗୁରୁବାର ଦିନ ରାମନବମୀ ଥିବାରୁ ବହୁ ମଠ ମନ୍ଦିରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଛୋଟରାୟପୁର ଗ୍ରାମରେ ଚାଲିଥିବା ରାମନବମୀ ଯଜ୍ଞ ବାଧାପ୍ରାପ୍ତ ହୋଇଥିବା ବେଳେ ବରୁଣ୍ତାଇସ୍ଥିତ ଖଜୁରିନାଲୁଆ ଗ୍ରାମରେ ଚାଲିଥିବା ଯଜ୍ଞୋତ୍ସବ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବହୁ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ତିବା ସହିତ ଖୁଣ୍ଟ ଉପୁଡ଼ିଥିବାରୁ ଏବେ କୋରେଇର ବହୁ ଅଞ୍ଚଳ ଅନ୍ଧାରରେ ରହିଛି। ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ସମସ୍ତ ରାଜସ୍ବ ନିରୀକ୍ଷକଙ୍କୁ ଆଜି(ଶୁକ୍ରବାର) ସୁଦ୍ଧା ତଦନ୍ତ କରି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର