ଭୁବନେଶ୍ବର : ରାଜ୍ୟ ସରକାର ଶନିବାର ଦିନ ଜମି/ଘର କିଣାବିକା ପାଇଁ ହେଉଥିବା ପାୱାର ଅଫ୍ ଆଟର୍ଣ୍ଣିକୁ ଶସ୍ତା କରିଛନ୍ତି। ପାୱାର ଅଫ୍ ଆଟର୍ଣ୍ଣି ଦେବା ସମୟରେ ଲାଗୁଥିବା ୫% ଷ୍ଟାମ୍ପ୍‌ ଡ୍ୟୁଟିକୁ କମାଇ ୨% କରିଛନ୍ତି। ଏହା ପରେ ଗୃହ ନିର୍ମାଣ ତଥା ବା ସୋପଯୋଗୀ କରିବା ପାଇଁ ଚୁକ୍ତିପତ୍ର (କନଭେୟାନ୍ସ ଡିଡ୍‌) କଲେ ୫% ବଦଳରେ ଏହା ବାବଦକୁ ହଜାରେ ଟଙ୍କା ଦେବାକୁ ପଡ଼ିବ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ସରକାରଙ୍କ ଏହି ନିୟମ ଦ୍ବାରା ଜମି ଓ ଘର ଦାମ୍ ଟିକେ କମିବ। ଡେଭଲପର୍ସମାନଙ୍କ ଉପରୁ ଆର୍ଥିକ ଚାପ କମିଲେ ଏହାର ସୁଫଳ ଲୋକ ପାଇବେ ବୋଲି କୁହାଯାଇଛି। ଏହା ସହ ପାୱାର ଅଫ୍ ଆଟର୍ଣ୍ଣି ନିୟମରେ କୋହଳ କରାଯାଇଛି। ପୂର୍ବରୁ କେବଳ ସ୍ତ୍ରୀ, ପୁଅ, ବାପା, ମା’ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦେବାର ନିୟମ ଥିବା ବେଳେ ଏବେ ଏଥିରେ ବୋହୂ, ନାତି, ନାତୁଣୀ, ଜେଜେ ବାପା, ଜେଜେ ମା’ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ନାମରେ ପାୱାର ଅଫ୍ ଆଟର୍ଣ୍ଣି କଲେ ମାତ୍ର ହଜାରେ ଟଙ୍କା ଦେବାକୁ ପଡ଼ିବ।

Advertisment

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିର୍ମାଣକାରୀ ସଂସ୍ଥା ଓ ଜମି ମାଲିକଙ୍କ ମଧ୍ୟରେ ଆବଶ୍ୟକ ହେଉଥିବା ଦୁଇ ପ୍ରକାରର ଦଲିଲ୍‌ ଯଥା ଭୂ-ସମ୍ପତ୍ତି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତାପତ୍ର (ପାୱାର ଅଫ୍‌ ଆଟର୍ଣ୍ଣି) ଏବଂ ଗୃହ ନିର୍ମାଣ ତଥା ବାସୋପଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର (ଡେଭଲପମେଣ୍ଟ ଏଗ୍ରିମେଣ୍ଟ)କୁ ହସ୍ତାନ୍ତରଣ ପତ୍ର (କନଭେୟାନ୍ସ ଡିଡ୍‌) ରୂପେ ବିଚାର କରି ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯାଉଥିଲା। ଏହି ଦୁଇ ପ୍ରକାରର ଦଲିଲ୍ ନିବନ୍ଧନ କରିବା ବ୍ୟୟବହୁଳ ହେଉଥିବାରୁ ସ୍ବଳ୍ପ ସଂଖ୍ୟକ ଚୁକ୍ତି ପତ୍ର ଓ କ୍ଷମତା ପତ୍ର ନିବନ୍ଧନ ହେଉଥିଲା। ଏହାଦ୍ବାରା ଜମି ଓ ଗୃହ କିଣାବିକା ତଥା ନିର୍ମାଣ ସମୟରେ ଆଇନଗତ ଜଟିଳତା ଦେଖାଦେଉଥିଲା। ପ୍ରସ୍ତାବିତ ଷ୍ଟାମ୍ପ ଆଇନ ସଂଶୋଧନ, ନିବନ୍ଧିତ ଦଲିଲ୍ ସଂଖ୍ୟାକୁ ବୃଦ୍ଧି କରିବାରେ ଏହା ସହାୟକ ହେବା ସହ ଆଇନଗତ ସମସ୍ୟା ଦୂର ହେବ।

publive-image Quikr

ପ୍ରସ୍ତାବିତ ସଂଶୋଧନ ଦ୍ବାରା ଭୂ-ସମ୍ପତ୍ତି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତାପ୍ରାପ୍ତ ଏବଂ ଗୃହ ନିର୍ମାଣ ତଥା ବାସପୋଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର ପାଇଁ ଷ୍ଟାମ୍ପ ଦେୟ ୨% ଧାର୍ଯ୍ୟ କରାଯାଇଛି। ଏଥିରେ ପୂର୍ବରୁ ଥିବା ଆଉ ୨% ଫି’ ମିଶାଇ ପଞ୍ଜୀକରଣ ହେବ। ସେହିପରି ସମାନ ପକ୍ଷଙ୍କ ମଧ୍ୟରେ ଏବଂ ଏକା ସମ୍ପତ୍ତି ଉପରେ କ୍ଷମତା ପତ୍ର ଓ ଚୁକ୍ତି ପତ୍ର ଭଳି ଦୁଇ ପ୍ରକାରର ଦଲିଲ୍‌ ସମ୍ପାଦନ କଲେ, ଦ୍ବିତୀୟ ଦଲିଲ୍‌ରେ ‌ଷ୍ଟାମ୍ପ ଦେୟ ମାତ୍ର ହଜାରେ ଟଙ୍କା ପଡ଼ିବ। ଏହା ସହ ସମ୍ପତ୍ତିର ବିକ୍ରୟ ନିମିତ୍ତ ଚୁକ୍ତି କ୍ଷେତ୍ରରେ ପୂର୍ବରୁ ଦିଆଯାଇଥିବା ଷ୍ଟାମ୍ପ ଦେୟ ଚୁକ୍ତିନାମା ଅନୁସାରେ ସେହି ବ୍ୟକ୍ତି ବିକ୍ରୟ କବଲା ସମ୍ପାଦନ କରିବା ସମୟରେ ଦଲିଲ୍‌ରେ ଦେବାକୁ ପଡ଼ୁଥିବା ଷ୍ଟାମ୍ପ ଦେୟ ସହ ଆଡଜଷ୍ଟମେଣ୍ଟ କରାଯିବ। ଏହାଦ୍ବାରା ବହୁ ବିଲଡର୍ସ, ଡେଭଲପର୍ସ, ଜମି ବିକୁଥିବା ଲୋକ ଉପକୃତ ହେବେ। କିନ୍ତୁ ଜମି ‌ସେଲଡିଡ୍ ସମୟ‌ରେ ପୂର୍ବରୁ ଯେଉଁ ନିୟମ ଥିଲା ତାହା ଏବେ ବି ଲାଗୁ ହେବ। ସେହିପରି ରାଜସ୍ବ ବୃଦ୍ଧି ନିମନ୍ତେ ପୂର୍ବନିବନ୍ଧିତ ଦଲିଲ୍‌ର ପ୍ରମାଣିତ ନକଲ ପ୍ରାପ୍ତି ପାଇଁ ଷ୍ଟାମ୍ପ ଦେୟ ୧୦ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।

ଅପରପକ୍ଷେ ଆଜି କ୍ୟାବିନେଟ୍‌ ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଯେଉଁମାନେ ପୂର୍ବର ମାନ୍ଦ୍ରାଜ ଇଷ୍ଟେଷ୍ଟ୍ ଅଞ୍ଚଳରେ ରହୁଥିଲେ ସେମାନଙ୍କ ପାଇଁ ଜମି ଦଖଲ ନିୟମ କୋହଳ ହୋଇଛି। ୨୦୧୮ ପୂର୍ବରୁ ଦଖଲରେ ଥିବା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମିକୁ ଦଖଲକାରୀଙ୍କ ନାମରେ ପଞ୍ଜୀକରଣ କରାଯିବ। ଏଥିପାଇଁ ସେମାନେ ଆବେଦନ କରିବେ। ଏହାଦ୍ବାରା ଗଞ୍ଜାମ, ଗଜପତି, କୋରାପୁଟ ଭଳି ଜିଲ୍ଲାର ବହୁ ଲୋକ ଉପକୃତ ହେବେ।

publive-image 99acres.com

ଓଡ଼ିଶା ଅଧିନିୟମ ୧, ୧୯୯୧‌ରେ ଥିବା ଅସଙ୍ଗତିକୁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ଆଇନ,୨୦୦୯ ଦ୍ବାରା ହଟାଇ ଦିଆଯାଇଛି। ୨୬.୦୨.୨୦୦୬ (ନିଯୁକ୍ତି ତାରିଖ) ପରେ, ଏହି କ୍ଷେତ୍ରରେ ଅନେକ ଜମି କାରବାର କିମ୍ବା ହସ୍ତାନ୍ତର ହେବା ସହ ବିକ୍ରି ହୋଇଥିବାରୁ ନିଯୁକ୍ତି ତାରିଖ ଅବଧି ଉପଯୁକ୍ତ ଭାବେ ବଢ଼ାଯାଇଛି। ଓଜିଏଲ୍‌ଏସ୍‌ ଅଧିନିୟମର ଧାରା ୩ର ଉପଧାରା (୪)ର ସଂଶୋଧନ ଦ୍ବାରା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମି ଦଖଲ କରୁଥିବା ବ୍ୟକ୍ତିଙ୍କୁ ଲିଜ୍ ଆଧାରରେ କିମ୍ବା ପ୍ରସ୍ତାବିତ ଆଇନ ଆରମ୍ଭ ହେବାର ତିନି ବର୍ଷ ପୂର୍ବରୁ ଦଖଲରେ ଥିବା ବ୍ୟକ୍ତି ବା ଉତ୍ତରାଧିକାରୀଙ୍କ ସପକ୍ଷରେ ସରକାରଙ୍କୁ ଧାର୍ଯ୍ୟ ଅନୁଯାୟୀ ଏହାର ଦେୟ ପ୍ରଦାନ କରି ସ୍ଥାନାନ୍ତର ଯୋଗ୍ୟ ଅଧିକାର ସହିତ ସ୍ଥାୟୀ ଭାବରେ ହସ୍ତାନ୍ତର ହୋଇପାରିବ। ଏହା ସହ ଉପରୋକ୍ତ ଜମିର ଦଖଲରେ ଥିବା ଯେକୌଣସି ବ୍ୟକ୍ତି ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଆଧାରରେ ଆବେଦନ କରିବେ ଏବଂ ଆବେଦନ କରିବାରେ ବିଫଳ କ୍ଷେତ୍ରରେ ଜମିକୁ ସରକାରୀ ଖାତାରେ ପୁନଃ ଫେରାଇ ଆଣିବେ।