ଜାନୁଆରି ୨୦ରୁ ଉତ୍ସବ ପ୍ରଧାନପାଟ

ଦେବଗଡ଼ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଉତ୍ସବ ପ୍ରଧାନପାଟ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନପାଟ ଜଳପ୍ରପାତର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆଗାମୀ ଜାନୁଆରି ୨୦ରୁ ଆରମ୍ଭ ହୋଇ ୨୪ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ସୂଚନା ଦିଆଯାଇଛି। ଏନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଉତ୍ସବ ପ୍ରଧାନପାଟ ପାଇଁ ପ୍ରସ୍ତୁତି ବୈଠକରେ ଉତ୍ସବ ପ୍ରଧାନପାଟକୁ ପାଂଚଦିନ କରିବା ପାଇଁ ସ୍ଥିର କରାଯାଇଛି। ଉତ୍ସବ ଆୟୋଜନ ନିମନ୍ତେ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଦଳ ଏବଂ ଅନ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଶୈଳୀର ଲୋକନୃତ୍ୟ ଦଳ ସହ ଜିଲ୍ଲା ଭିତରେ ଥିବା ଶ୍ରେଷ୍ଠ ସାଂସ୍କୃତିକ ଦଳମାନଙ୍କୁ ଯୋଗାଯୋଗ କରାଯିବା ନିମନ୍ତେ ସ୍ଥିର କରାଯାଇଛି।

ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଉତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟମେଳା ଏବଂ ଜିଲ୍ଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ। ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଭିନ୍ନ ଭିନ୍ନ ସବ୍‌-କମିଟି ଗଠନ କରାଯିବ। ଏହାସହ ତିନି ବ୍ଲକରେ ମଧ୍ୟ ଉତ୍ସବ ଆୟୋଜନ କରାଯାଇ ସେଥିରେ ଶ୍ରେଷ୍ଠ ସାଂସ୍କୃତିକ ଦଳ ଉତ୍ସବ ପ୍ରଧାନପାଟରେ ଭାଗ ନେବା ପାଇଁ କଳାକାରଙ୍କୁ ସୁଯୋଗ ଦିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।

ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ପିଡି ଡିଆରଡିଏ ଲୁକାସ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଙ୍କୁର ମଲ୍ଲିକ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମଂଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ। ସହକାରୀ ନିର୍ଦ୍ଦେଶକ ଓର୍‌ମାସ ସୁବଳ କୁମାର ଜେନାମଣି ପଲ୍ଲିଶ୍ରୀ ମେଳା ଆୟୋଜନ ସଂପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ। ଡେପୁଟି କଲେକ୍ଟର ସୁଶାନ୍ତ ନାୟକ ଆୟବ୍ୟୟ ସଂପର୍କରେ ଉପସ୍ଥାପନା କରିଥିଲେ। ଡିଆଇପିଆରଓ ମନୋରଞ୍ଜନ ସୂତାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବ‌ା ସହ ଧନ୍ୟବାଦ ଦେଇଥିଲେ। ବୈଠକରେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ।

ସମ୍ବନ୍ଧିତ ଖବର