ଗାଁଠାରୁ ୨ କିମି ଦୂରରେ ଅଟକିଲା ଜନନୀ ଏକ୍ସପ୍ରେସ୍, ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ୍ କର୍ମଚାରୀ

ବାଟରେ ଖଟିଆରେ ହେଲା ପ୍ରସବ 

ଭଞ୍ଜନଗର: ରାସ୍ତା ନଥିବାରୁ ପୁଣି ଆଉ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ଆସିବା ପାଇଁ ଖଟିଆର ସାହାରା ନେବାକୁ ପଡ଼ିଛି। ଗତ ୪ ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା। ଘର ପାଖକୁ ଜନନୀ ଏକ୍ସପ୍ରେସ୍ ଯିବା ପାଇଁ ଭଲ ରାସ୍ତା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକ ଖଟିଆରେ ଆଣୁଥିଲେ। ଏହି ସମୟରେ ବାଟରେ ମହିଳାଙ୍କ ହେଲା ପ୍ରସବ।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଉପାନ୍ତ ଇଲାକା ତଥା ଗଞ୍ଜାମ ସୀମାନ୍ତ ଚାହାଳି ପଞ୍ଚାୟତର ବିଲେଇଢିଅ ଗ୍ରାମର ଧନଞ୍ଜୟ ମଳିକଙ୍କ ସ୍ତ୍ରୀ ଗୀତାଞ୍ଜଳି ମଳିକଙ୍କୁ ପ୍ରସବ ବେଦନା ହୋଇଥିଲା। ତାଙ୍କୁ ଗାଲେରୀ ମେଡିକାଲ୍ ଆଣିବା ପାଇଁ ଖଟିଆରେ ଜନନୀ ଏକ୍ସପ୍ରେସ୍ ନିକଟକୁ ଅଣାଯାଉଥିବା ବେଳେ ବାଟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।

ସଂପୃକ୍ତ ଅଞ୍ଚଳବାସୀ ସ୍ୱାସ୍ଥ୍ୟ ସେବା ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ଧନଞ୍ଜୟ ଜନନୀ ଏକ୍ସପ୍ରେସକୁ ଡକାଇଥିଲେ। କିନ୍ତୁ ବିଲେଇଢିଅ ଗ୍ରାମଠାରୁ ପ୍ରାୟ ୨ କିମି ଦୂରରୁ ଆଉ ଗାଡି ଯାଇପାରି ନଥିଲା। ଆମ୍ବୁଲାନ୍ସ କର୍ମଚାରୀ ମାନେ ଗ୍ରାମକୁ ଯାଇ ଗାଡି ଆସିପାରୁ ନଥିବା ବିଷୟ ଜଣାଇବା ପରେ ତାଙ୍କ ସ୍ବାମୀ ଜଣେ ସହଯୋଗୀଙ୍କ ସହ ଏକ ଖଟିଆକୁ ଓଲଟାଇ ଦୋଳା କରି ଜନନୀ ଏକ୍ସପ୍ରେସ୍ ନିକଟକୁ ଆଣିବା ବ୍ୟବସ୍ଥା କରିଥିଲେ। ଅଧିକ ବାଟ ହୋଇଥିବାରୁ ଆମ୍ବୁଲାନ୍ସ୍ କର୍ମଚାରୀ ମଧ୍ୟ ମହିଳାଙ୍କୁ ଖଟିଆରେ ବୋହି ଆଣିଥିଲେ। କାନ୍ଧରେ ବୋହି ଆଣିବା ବାଟରେ ପ୍ରସବ ବେଦନା ବଢିବାରେ ଲାଗିଥିଲା। ସାଙ୍ଗରେ ଆଶାକର୍ମୀ ମଧ୍ୟ ରହିଥିବା ବେଳେ ତାଙ୍କୁ ଅଧା ବାଟରେ ଅଟକା ଯାଇଥିଲା | ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସେଠାରେ କିଛି ସମୟ ରହିବା ପରେ ପୁଣି ଉଭୟ ମାଆ ଓ ନବଜାତ ଶିଶୁକୁ ଆମ୍ବୁଲାନ୍ସ୍ ନିକଟକୁ ଅଣାଯାଇଥିଲା। ସେଠାରୁ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ଉଭୟଙ୍କ ଚିକିତ୍ସା କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟ ଭଲ ଥିବାରୁ ଘରକୁ ପଠାଯାଇଥିଲା। ତେବେ ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀଙ୍କ କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା। କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନା ଗୁଡ଼ିକ ଅପହଞ୍ଚ ହୋଇ ରହିଛି। ବିଶେଷ କରି ଗର୍ଭବତୀ ମହିଳା ଓ ନବଜାତଙ୍କ ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ। ସୁଗମ ରାସ୍ତା ଓ ଗମନା ଗମନ ଯୋଗାଯୋଗର ଅଭାବ ହେତୁ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର