ଯୁଯୁମୁରା: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗର୍ଭବତୀ ସ୍ତ୍ରୀ ପଦ୍ମିନୀ ଶବରଙ୍କୁ ମାଡ଼ ମାରି ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ ମଙ୍ଗଳୁ ଶବର। ହତ୍ୟା ପରେ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରି ମଙ୍ଗଳୁ ଜଙ୍ଗଲ ଭିତରେ ପଦ୍ମିନୀଙ୍କ ଶବକୁ ପୋତି ଦେଇଥିଲା। ହେଲେ ପୁଲିସର ତ୍ବରିତ ପଦକ୍ଷେପ ଯୋଗୁଁ ୪ ଦିନ ପରେ ଅର୍ଥାତ୍‌ ଶନିବାର ଗଇଲଗୁଡ଼ି ଗ୍ରାମ ନିକଟ ଜଙ୍ଗଳରୁ ପଦ୍ମିନୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ମଙ୍ଗଳୁ ପୋତିଥିବା ସ୍ଥାନକୁ ଚିହ୍ନଟ କରିବା ପରେ ଯୁଯୁମୁରା ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମମତା ନନ୍ଦଙ୍କ ଉପସ୍ଥିତିରେ ଗଳିତ ଶବ ଉଦ୍ଧାର କରାଯାଇଥିଲା। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେର, ଯୁଯୁମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ, ସାଇଣ୍ଟିଫିକ ଟିମ ଉପସ୍ଥିତ ରହି ତଦନ୍ତ କରିଥିଲେ।

Advertisment

ପ୍ରାପ୍ତ ସୂଚନାନୁସାରେ ପଦ୍ମିନୀ ପଞ୍ଚମ ଗର୍ଭ ରଖିବାକୁ ଚାହୁଁ ନଥିଲେ। ବାରମ୍ଵାର ଔଷଧ ଖାଇବା ପରେ ବି ଗର୍ଭପାତ ହୋଇନଥିଲା। ତେଣୁ ସେ ସ୍ୱାମୀ ମଙ୍ଗଳୁ ଉପରେ ଚିଡି ଯାଇ ‘କ’ଣ ଔଷଧ ଆଣୁଛ, କିଛି କାମ ଦେଉନାହିଁ। ଦେଖୁ ଦେଖୁ ୪ ମାସ ହୋଇଗଲାଣି’ ବୋଲି କହିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଙ୍ଗଳୁ ପଦ୍ମିନୀଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି। ଏ ନେଇ ଥାନାରେ କେସ୍ ନଂ. ୧୨୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ୍‌ ମଙ୍ଗଳୁକୁ କୋର୍ଟ ଚାଲାଣ କରିଛି। ଏଥି ସହ ମାଟି ଖୋଳିବା ପାଇଁ ବୃବହୃତ ଫାଉଡ଼ାକୁ ଜବତ କରିଛି। ଥାନାଧିକାରୀ ଶ୍ରୀ ବିଶ୍ୱାଳଙ୍କ କହିବାନୁସାରେ ଗଇଲଗୁଡି ଗ୍ରାମର ମଙ୍ଗଲୁ (୪୦) ଓ ପଦ୍ମିନୀ (୩୫)ଙ୍କ ଗୋଟିଏ ପୁଅ ଓ ୩ଟି ଝିଅ ଅଛନ୍ତି। ହେଲେ ପଦ୍ମିନୀ ପୁଣି ଥରେ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଗର୍ଭ ନଷ୍ଟ କରିବାକୁ ଉଭୟେ ସ୍ଥିର କରିଥିଲେ। ଗର୍ଭ ଧାରଣର ଦ୍ୱିତୀୟ ମାସରୁ ଗର୍ଭ ନଷ୍ଟ କରିବାକୁ ମଙ୍ଗଳୁ ଔଷଧ ଦେଇଥିଲେ ମଧ୍ୟ ତାହା ନଷ୍ଟ ହୋଇନଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟ ଗଣ୍ଡଗୋଳ ଲାଗି ରହିଥିଲା।

ଗତ ୧୫ ତାରିଖ ଦିନ ସ୍ୱାମୀ-ସ୍ତ୍ରୀ ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିଲେ। ସେଠାରେ ପୁଣି ବଚସା ହେବା ପରେ ମଙ୍ଗଳୁ ପଦ୍ମିନୀଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲା। ତେବେ ନିଶାସକ୍ତ ଅବସ୍ଥାରେ ଥିବାରୁ ମଙ୍ଗଳୁ ଗୁରୁତର ଅବସ୍ଥାରେ ପଦ୍ମିନୀଙ୍କୁ ଜଙ୍ଗଲରେ ଛାଡ଼ି ଘରକୁ ଫେରି ଆସିଥିଲା। ପୁଣି ରାତିରେ ଯାଇ ସେ ପଦ୍ମିନୀଙ୍କୁ ଉଠାଇଥିଲେ ହେଁ ସେ ଉଠିପାରି ନଥିଲେ। ସାରା ରାତି ଜୀବନ ସହ ସଂଗ୍ରାମ କରି ପଦ୍ମିନୀଙ୍କ ମୃତ୍ୟୁ ଘଟିଥିଲା। ମାମଲାକୁ ଚପାଇ ଦେବାକୁ ମଙ୍ଗଳୁ ପରଦିନ ଘରୁ ଫାଉଡ଼ା ନେଇ ମାଟି ଖୋଳି ମୃତଦେହ ପୋତି ଦେଇଥିଲା। ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ କୌଣସି ଅଭିଯୋଗ ହେଲାନାହିଁ।

ତେଣେ ପଦ୍ମିନୀଙ୍କ ପରିବାର, ଗ୍ରାମବାସୀ ଓ ଘରେ ବି ମଙ୍ଗଳୁ ମିଛ କହି ଆସୁଥିଲା। ମାତ୍ର ୧୮ ତାରିଖ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସନ୍ଦେହରେ ଘଟଣାସ୍ଥଳକୁ ଓ ଗ୍ରାମକୁ ଯାଇ ତଦନ୍ତ କରିବା ପରେ ହତ୍ୟାକାଣ୍ଡ ସଂପର୍କରେ ଜଣାପଡ଼ିଥିଲା। ତେବେ ଅଭିଯୁକ୍ତ ମଙ୍ଗଳୁ ଘରକୁ ଆସୁ ନଥିବାରୁ ପୁଲିସ ଏକ ଟିମ ଗଠନ କରି ୧୯ ତାରିଖରେ ତାକୁ ଗିରଫ କରିଥିଲା। ଥାନାରେ ପଚରାଉଚରା ପରେ ମଙ୍ଗଳୁ ହତ୍ୟା କରିଥିବା ସ୍ବୀକାର କରି ଘଟଣା ସମ୍ପର୍କରେ ସବୁ କହିଥିଲା। ପୁଲିସ ଶନିବାର ସକାଳେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇ ପଠାଇଛି। ପଦ୍ମିନୀଙ୍କ ପରିବାର ବର୍ଗ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।