ଅଭିଭାବକଙ୍କୁ ଘାରିଲାଣି କରୋନା ଭୟ: ଉତ୍ସା‌ହଜନକ ହେଉନି ପିଲାଙ୍କ ଉପସ୍ଥାନ

୯ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ନୈରାଶ୍ୟଜନକ

ଦ୍ବାଦଶ ପିଲାଙ୍କୁ ୟୁ-ଟ୍ୟୁବ୍‌ରେ ପଢ଼ାଯିବ
ବିଶ୍ବବିଦ୍ୟାଳୟରେ କ୍ଲାସ ହୋଇପାରୁନି

ଭୁବନେଶ୍ବର : କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସ୍କୁଲ ଖୋଲିବା ପରେ ୯ରୁ ୧୮ବର୍ଷ ବୟସର କିଛି ପିଲା ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ଭୟଭୀତ ହୋଇଛନ୍ତି। ତେଣୁ ପିଲାଙ୍କୁ ସ୍କୁଲକୁ ଛାଡ଼ିବେ କି ନାହିଁ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେବଳ ସ୍କୁଲ ନୁହେଁ, କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ବି ଶିକ୍ଷାନୁଷ୍ଠାନ ଆସିବାକୁ ଭୟ କରୁଛନ୍ତି। ଯେଉଁଥିପାଇଁ କ୍ୟାମ୍ପସ୍‌ରେ ଉପସ୍ଥାନ କମିବାରେ ଲାଗିଛି। ଗତ ମାସଠାରୁ କ୍ଲାସରୁମ୍‌ ପାଠପଢ଼ା ହେଉଥିଲେ ମଧ୍ୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଆଜି ପର୍ଯ୍ୟନ୍ତ ଶତପ୍ରତିଶତ ଉପସ୍ଥାନ ହୋଇପାରିନାହିଁ। ୧୬ତାରିଖଠାରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ଖୋଲିଛି। ୩ଦିନ ହେଲା ପାଠପଢ଼ା ହୋଇଥିଲେ ମଧ୍ୟ ଉପସ୍ଥାନ ଉତ୍ସାହଜନକ ହୋଇନି। କେଉଁ ସ୍କୁଲରେ ୪୦% ଉପସ୍ଥାନ ତ ଆଉ କେଉଁଠି ଅତିବେଶିରେ ୭୦% ପର୍ଯ୍ୟନ୍ତ ଯାଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରତିଦିନ କେତେ ଶିଶୁ ଆକ୍ରାନ୍ତ ହେଉଛନ୍ତି, ସେନେଇ ୪ ଦିନ ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଉଛି। ଯାହାକି ଏବେ ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି। କାରଣ ତିନି ଦିନ ହେଲା ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ବିନା ଲକ୍ଷଣରେ ପିଲାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସୁଛି। ଏହାଦ୍ବାରା ଅଭିଭାବକମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ପିଲାମାନେ ସ୍କୁଲକୁ ଯିବା ଦ୍ବାରା ଆକ୍ରାନ୍ତ ହୋଇଯିବେ ନାହିଁ ତ? ସାମାଜିକ ଦୂରତା, ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାହାକୁ କ୍ୟାମ୍ପସରେ ସଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିବା ବେଳେ ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜ୍ୟର ଏକାଧିକ ସ୍କୁଲର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଥିବା ଏକ ସରକାରୀ ଆବାସିକ ସ୍କୁଲ ଛାତ୍ରୀନିବାସର ୮ଜଣ କରୋନାରେ ଆକ୍ରାନ୍ତ ହେବା ଅଧିକ ଚିନ୍ତା ବଢ଼ାଇଛି। କିଏ କେଉଁଠି ଓ କିଭଳି ଭାବେ ଆକ୍ରାନ୍ତ ହେଉଛନ୍ତି, ତାହା ମଧ୍ୟ ଜଣାପଡ଼ୁ ନାହିଁ।

ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଦଶମ ଓ ଦ୍ବାଦଶ ଶ୍ରେଣୀରେ ଉପସ୍ଥାନ ସାମାନ୍ୟା ଅଧିକ ରହିଛି। ସ୍କୁଲ ଖୋଲିବା ସମୟରେ ଉକ୍ତ ଦୁଇ ଶ୍ରେଣୀର ଉପସ୍ଥାନ ୫୦ରୁ ୬୦ ପ୍ରତିଶତ ମଧ୍ୟରେ ରହିଥିଲା। ପରବର୍ତୀ ସମୟରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୮୦ ପ୍ରତିଶତ ଛୁଇଁଥିଲା। ତେବେ ଦୁଇ ସପ୍ତାହ ହେଲା ଦଶମ ଶ୍ରେଣୀରେ ଉପସ୍ଥାନ ପୁଣିଥରେ ହ୍ରାସ ପାଇଛି। ୬୦ରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି। ଦ୍ବାଦଶ ଶ୍ରେଣୀରେ ଉପସ୍ଥାନ ବହୁତ କମିଛି। ଛାତ୍ରଛାତ୍ରୀ ଆସୁ ନ ଥିବାରୁ ୟୁ-ଟ୍ୟୁବ୍‌ରେ ପିଲାଙ୍କୁ ଶିକ୍ଷା ଦେବାକୁ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ଘରୋଇ ତଥା ଆବାସିକ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ଅଧିକ ରହୁଥିବା ବେଳେ ସରକାର ସ୍କୁଲରେ ନୈରାଶ୍ୟଜନକ ହେଉଛି। ୧୬ତାରିଖରୁ ୯ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥି‌ଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ଉପସ୍ଥାନ ୫୦ପ୍ରତିଶତ ଉପରକୁ ଡେଇଁ ପାରିନାହିଁ। କେଉଁ ବିଦ୍ୟାଳୟରେ ଅଧା ପିଲା ଆସୁଛନ୍ତି ତ ଆଉ କେଉଁଠି ଏକ ଅଙ୍କ ଡେଉଁନି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଉପସ୍ଥାନ ପାଖାପାଖି ୮୦% ରହୁଛି। ଶତ ପ୍ରତିଶତ ହୋଇନାହିଁ। ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍‌ରେ ଶିକ୍ଷା ଦେବା ଦିଗରେ ପଦକ୍ଷେପ ନିଆଯାଉଛି।

ଏ ତ ଗଲା‌ ସ୍କୁଲ କଥା। କଲେଜ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। ବିଶ୍ବବିଦ୍ୟାଳୟର ପିଜି ବିଭାଗରେ ପାଠପଢ଼ା ‌ସ୍ବାଭାବିକ ହୋଇପାରିନାହିଁ। ଦୂରଦୂରାନ୍ତରରେ ରହୁଥିବା ବହୁ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସୁନାହାନ୍ତି। ଏମିତିକି କିଛି ବିଭାଗରେ ପାଠପଢ଼ା ଆରମ୍ଭ ହୋଇନାହିଁ। ଉତ୍କଳ ସମେତ ରେଭେନ୍ସା, ରମାଦେବୀ, ଫକୀରମୋହନ, ସମ୍ବଲପୁର, ବ୍ରହ୍ମପୁର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ସମାନ ସ୍ଥିତି ଲାଗି ରହିଛି। ପିଲା ଆସୁ ନଥିବା ବେଳେ କେତେକ ବିଶ୍ବବିଦ୍ୟାଳୟ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି, ଯାହାକି ସମସ୍ୟା ସୃଷ୍ଟି କରିଛି। ସବୁ କ୍ୟାମ୍ପସରେ ବି‌ରୋଧର ସ୍ବର ଶୁଣିବାକୁ ମିଳିଲାଣି।

ସମ୍ବନ୍ଧିତ ଖବର