ବୁର୍ଲା: ଜରୁରୀକାଳୀନ ପରିସ୍ଥିତିରେ ନିଜସ୍ବ ବୁଦ୍ଧି ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇବାରେ ଭିମ୍ସାର୍ର ଡାକ୍ତର ଶଙ୍କର ରାମଚନ୍ଦାନୀ ସଫଳ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲା ପଦ୍ମପୁର ଚାରପାଲି ଅଞ୍ଚଳର ବିକାଶ ଗଡ଼ତିଆ(୨୮)ଙ୍କ ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ଭିମ୍ସାର୍କୁ ଆସିଥିଲେ। ଡାକ୍ତର ତାଙ୍କୁ ଏକ୍ସ-ରେ କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏକ୍ସ-ରେ କରିବା ପରେ ମଧ୍ୟାହ୍ନ ଭୋଜନ ପାଇ ବାହାରକୁ ଯାଇଥିଲେ। ହଠାତ୍ ଗୁପ୍ତା ନର୍ସିଂହୋମ ପାଖରେ ବିକାଶ ଅଣନିଶ୍ବାସୀ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଡାକ୍ତର ରାମଚନ୍ଦାନୀଙ୍କ ଟଙ୍କକିଆ କ୍ଲିନିକକୁ ନେଇଥିଲେ।
ବିକାଶଙ୍କ ରକ୍ତଚାପ, ଅମ୍ଳଜାନ ମାତ୍ରା ବହୁତ କମ୍ ରହିଥିଲା। ଏକ୍ସ-ରେ ରିପୋର୍ଟରୁ ଫୁସଫୁସ୍ ଚାରିଆଡେ଼ ଥିବା ପ୍ଲୁରାରେ ବାୟୁ ରହିଯାଇଥିବା କାରଣରୁ ତାହା ହୃଦୟ ଓ ହୃଦୟ ଧମନୀ, ଶିରାମାନଙ୍କୁ ଚାପି ଦେଉଥିଲା। ଫଳରେ ରକ୍ତଚାପ କମିଯିବା ସଙ୍ଗେ ସଙ୍ଗେ ଶ୍ବାସକ୍ରିୟାରେ କଷ୍ଟ ଅନୁଭୂତ ହେଉଥିବା ଡାକ୍ତର ରାମଚନ୍ଦାନୀ ଜାଣିବାକୁ ପାଇଥିଲା। ସେହି ସମୟରେ ତାଙ୍କ କ୍ଲିନିକ୍ରେ ରୋଗୀର ଜୀବନ ବଞ୍ଚାଇବା ପାଇଁ ଯେଉଁ ପ୍ରକ୍ରିୟା ଓ ଯେଉଁ ଯନ୍ତ୍ରପାତିର ଆବଶ୍ୟକ ଥାଏ, ତାହାନଥିଲା। ତେଣୁ, ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥିଲେ। ଏକ ଛୁଞ୍ଚି ମାଧ୍ୟମରେ ଛାତିରେ ଫୋଡ଼ି ଦେଇ ପ୍ଳୁରା ମଧ୍ୟରେ ଥିବା ବାୟୁକୁ ବାହାର କରି ଦେଇଥିଲେ। କିଛି ସମୟ ପରେ ବିକାଶଙ୍କ ଶ୍ବାସକ୍ରିୟା ସ୍ବାଭାବିକ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଭିମ୍ସାରକୁ ପଠାଇ ଦେଇଥିଲେ। ଏହାକୁ ଚିକିତ୍ସା ବିଜ୍ଞାନରେ ଟେନ୍ସନ୍ ନେଉମୋ ଥୋରେକ୍ସ ବୋଲି କୁହାଯାଇଥାଏ। ଏହା ଏକ ଜରୁରୀକାଳୀନ ପରିସ୍ଥିତି। ଏଥିରେ ବିଳମ୍ବ ହେଲେ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଏ ବୋଲି ଡାକ୍ତର ରାମଚନ୍ଦାନୀ କହିଛନ୍ତି।