୬ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଲେ ରାଷ୍ଟ୍ରପତି: ପୁସ୍ତକ ଉପହାର ଦେଲେ ପ୍ରତିଭା ରାୟ, ସୁଦର୍ଶନ ସାହୁ ଦେଲେ ‘ଲକ୍ଷ୍ମୀ ମୂର୍ତ୍ତି’

ପୁରୀ: ଦୁଇଦିନିଆ ପୁରୀ ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରେ ରହଣି ସମୟରେ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡାକି ବାର୍ତ୍ତାଳାପ କରିଛନ୍ତି। ଶରଧାବାଲିରେ ବିଶ୍ବ ବୈଷ୍ଣବ ସମ୍ମିଳନୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ରାଜଭବନକୁ ଫେରିବା ପରେ ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଗର୍ବିତ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ହେଲେ; ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ, ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ, ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀଚୈତନ୍ୟ ଆଶ୍ରମର ଭକ୍ତିବଲ୍ଲଭ ଆଚାର୍ଯ୍ୟ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ପାର୍ଥ ସାରଥୀ ମିଶ୍ର।

ଔପନ୍ୟାସିକା ଡ. ପ୍ରତିଭା ରାୟ ରାଷ୍ଟ୍ରପତିଙ୍କୁ ସ୍ବରଚିତ ୩ଟି ପୁସ୍ତକ ଯଥା; ଯାଜ୍ଞସେନୀର ହିନ୍ଦୀ ଅନୁବାଦ ‘ଦ୍ରୌପଦୀ’, ‘ମହାମୋହ’ ଓ ‘ମଗ୍ନମାଟି’ ଉପହାର ଦେଇଥିଲେ। ବହିର କାହାଣୀ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମତୀ ରାୟ କହିଛନ୍ତି, ଏନେଇ କିଛିଦିନ ପୂର୍ବରୁ ତାଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ଆଜି ଭେଟି ଆଲୋଚନା କରିବାବେଳେ ରାଷ୍ଟ୍ରପତି ଆଲୋଚନାକୁ ବହୁତ ସହଜ କରିଦେଇଥିଲେ ବୋଲି ସେ କହିଛନ୍ତି। ଖ୍ୟାତନାମା ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କ ସହ ରାଷ୍ଟ୍ରପତି ପାଖାପାଖି ୧୦ରୁ ୧୨ ମିନିଟ୍‌ କଥା ହୋଇଥିଲେ। ଶ୍ରୀ ସାହୁ ଓଡ଼ିଶାର ଭାସ୍କର୍ଯ୍ୟ କଳା ବାବଦରେ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ବୁଦ୍ଧ ମୂର୍ତ୍ତି ଓ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଏକ ଲକ୍ଷ୍ମୀ ମୂର୍ତ୍ତି ସହ ଉତ୍ତରୀୟ ଦେଇଥିଲେ। ନିକଟରେ ରାଷ୍ଟ୍ରପତି ଭବନ‌ରେ ସେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହେବା ଅବସରରେ ଓଡ଼ିଶା ଗଲେ ତାଙ୍କ ସହ ଦେଖାହେବ ବୋଲି ରାଷ୍ଟ୍ରପତି ତାଙ୍କୁ କହିଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଶ୍ରୀଚୈତନ୍ୟ ଆଶ୍ରମର ସମ୍ପାଦକ ଭକ୍ତି ବଲ୍ଲଭ ଆଚାର୍ଯ୍ୟଙ୍କ ସହ ମଧ୍ୟ ୧୦ ମିନିଟ୍‌ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଭକ୍ତି ବଲ୍ଲଭ ଆଚାର୍ଯ୍ୟଙ୍କର ସନ୍ନ୍ୟାସୀ ଜୀବନର ଗତିପଥ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏମ୍‌-ଟେକ୍‌ରେ ଜଣେ ଭଲ ଛାତ୍ର ଏବଂ ଟାଟା ଷ୍ଟିଲ୍‌ରେ ଭଲ ଚାକିରି କରିଥିଲେ ହେଁ ପରବର୍ତ୍ତୀ ସମୟରେ ସେ କିପରି ସନ୍ନ୍ୟାସୀ ହେଲେ ସେ ସମ୍ପର୍କରେ ମତ ବିନିମୟ କରିଥିଲେ। ଏଥିସହ ବୈଷ୍ଣବ ଧର୍ମର ପ୍ରଚାର କିଭଳି କରାଯାଉଛି, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ସେ ଇଂରାଜୀରେ ରଚିତ ଭଗବତ ଗୀତା ପୁସ୍ତକ ରାଷ୍ଟ୍ରପତିଙ୍କୁ ଉପହାର ସଦୃଶ ଦେଇଥିଲେ। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ରାଷ୍ଟ୍ରପତିଙ୍କ ସହ ଶ୍ରୀଚୈତନ୍ୟ ଓ ମହାପ୍ରଭୁଙ୍କ ସମ୍ବନ୍ଧ‌ରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର