ଦୁଇଦିନିଆ ଓଡ଼ିଶା ଗସ୍ତ ସାରି‌ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ବର : ଦୁଇଦିନିଆ ଓଡ଼ିଶା ଗସ୍ତସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍ନରେ ରାଇସିନା ହିଲ୍‌ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ୍‌, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ
ବିଦାୟ ଦେଇଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତର ଶେଷଦିନ ପୂରା ରାଜ୍ୟ ପାଇଁ ଘଟଣାବହୁଳ ଥିଲା। ସବୁଠି ଆନନ୍ଦର ମାହୋଲ ଦେଖିବାକୁ ମିଳିଥିଲା। ପିଲାଦି‌ନେ ପାଠ ପଢ଼ିଥିବା ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରହୁଥିବା ହଷ୍ଟେଲରେ ଘଣ୍ଟାଘଣ୍ଟା ସମୟ ବିତାଇ ରାଷ୍ଟ୍ରପତି ପୁରୁଣା ଦିନର ସ୍ମୃତି ରୋମନ୍ଥନ କରିଥିଲେ। ଏହାସହ ପୂର୍ବାହ୍ନରେ ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ(ଆଲୁମିନି)ମାନଙ୍କ ସହ ଆଲୋଚନା ଓ ଭାବବିନିମୟ କରିଥିଲେ। ଏହାପରେ ରାଷ୍ଟ୍ରପତି ପୁନର୍ବାର ରାଜଭବନ ଯାଇ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ। ସେଠାରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଫଟୋ ଉଠାଇଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତର ଶେଷ କାର୍ଯ୍ୟକ୍ରମ ଥିଲା ଜୟଦେବ ଭବନରେ। ସେଠାରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ସାରି ଜୟଦେବ ଭବନରୁ ସିଧା ବିମାନବନ୍ଦର ଅଭିମୁଖେ ଯାଇଥିଲେ। ଏହିସବୁ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ସଚିବ ରୁପାରୋଶନ୍‌ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସଚିବ ଅଶ୍ବଥୀ ଏସ୍‌, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ନିର୍ଦ୍ଦେଶକ ସୀତାଂଶୁ କୁମାର ରାଉତ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର