ପୁରୀ: ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ପବିତ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ର ଆସି ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ଦଉଡ଼ି ଛୁଇଁ ମୁଣ୍ଡିଆ ମାରିଛନ୍ତି। ବଡ଼ଦାଣ୍ଡରେ ରଥାରୂଢ଼ ଠାକୁରଙ୍କୁ ଆଣ୍ଠୁମାଡ଼ି ପ୍ରଣାମ ଜଣାଇବା ସହ କୃପାଭିକ୍ଷା କରିଛନ୍ତି। ଦର୍ଶନ ବେଳେ ଭାବବିହ୍ବଳ ହୋଇଛନ୍ତି ରାଷ୍ଟ୍ରପତି। ଦର୍ଶନ ବେଳେ ଗଜପତି ମହାରାଜା ରାଜନଅରରୁ ତାମଯାନରେ ଛେରାପହଁରା ପାଇଁ ରଥକୁ ଯିବା ବାଟରେ ଗଜପତିଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି। ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ବାର୍ତ୍ତାଳାପ ବେଳେ ଗଜପତି ମହାରାଜା ନିଜ ବେକରେ ପକାଇଥିବା ପଦ୍ମଫୁଲ ମାଳ ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି। ରାଷ୍ଟ୍ରପତି ଭୁବନେଶ୍ବରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ୫ରେ ସମଙ୍ଗସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ ପରେ ପ୍ରଥମେ ସମୁଦ୍ର କୂଳ ରାସ୍ତା ଦେଇ ରାଜଭବନକୁ ଯାଇଥିଲେ। ସେଠାରୁ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସୁରକ୍ଷା ଭିତରେ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ପ୍ରଣାମ ଜଣାଇ ଓ ହାତ ଟେକି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ମଞ୍ଚାସୀନ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସଂଖ୍ୟା ଲୋକାର୍ପିତ କରିଥିଲେ।