ପୁରୀ : ନଭେମ୍ବର ୧୦ ତାରିଖରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଛତିଶାନିଯୋଗ ସହ ଏସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ସେପଟେ ସୁଆର ମହାସୁଆର ନିଯୋଗ ବି ଏଥିପାଇଁ ପ୍ରସ୍ତୁତ ରହିଛି। ଯେହେତୁ ଆନନ୍ଦବଜାରରେ ବସି ରାଷ୍ଟପତ୍ରି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ମେନୁରେ କାନିକା, ଖେଚୁଡ଼ି ସହ ବିରିପିଠା, ମଞ୍ଜା-କଖାରୁ ରାଇ, ସନ୍ତୁଳା, ହବିଷ ଖଟା ବା ଓଉ ଖଟା କରିବାକୁ ଯୋଜନା କରିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ରାଷ୍ଟ୍ରପତି ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା କାର୍ଯ୍ୟକ୍ରମ ରହିଛି। ସେହି ଅନୁଯାୟୀ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ମହାସୁଆର ନିଯୋଗ ମିଳିତ ଭାବେ ଅବଢ଼ା ପ୍ରସ୍ତୁତ କରିବେ।
ଯେହେତୁ ଦ୍ବିତୀୟ ଭୋଗମଣ୍ଡପ ସମୟରେ ରାଷ୍ଟ୍ରପତି ଆସିବେ, ସେ ଦୃଷ୍ଟିରୁ ସକାଳ ୯ଟାରେ ମହାପ୍ରଭୁଙ୍କୁ ସକାଳ ଧୂପରେ ଲାଗି ହେବାକୁ ଥିବା ମହାପ୍ରସାଦ ରାଷ୍ଟ୍ରପତିଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି। ସକାଳଧୂପରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା ଏଣ୍ଡୁରି, ଚନ୍ଦ୍ରକାନ୍ତି, ଝିଲ୍ଲୀ, ହଂସକେଳି ଆଦି ବିରି ପିଠା ଦିଆଯିବ। ସେହିଭଳି କାନିକା, ଖେଚୁଡ଼ି, ମିଠା ଡାଲି ଓ ଡାଲମା, ଶାଗ ଭଜା, ଭଜା, ମଞ୍ଜା-କଖାରୁରେ ପ୍ରସ୍ତୁତ ସ୍ବତନ୍ତ୍ର ରାଇ, ଗୋଟାମୁଗ ତରକାରୀ, ଓଉ ଖଟା ଆଦି ଦିଆଯିବ। ଯଦି ଓଉ ଖଟ କି ହବିଷ ଭଳି ଖଟା ପ୍ରସ୍ତୁତ ନ ହୋଇ ପାରିଲା, ତେବେ ଅନ୍ୟ ସ୍ବତନ୍ତ୍ର ଖଟା ପ୍ରସ୍ତୁତ ହେବ। ସେହି ଅନୁଯାୟୀ ପ୍ରଶାସନ ସହ ନିଯୋଗ ଆଲୋଚନା ଶେଷ ହୋଇଛି ବୋଲି ଶ୍ରୀ ମହାସୁଆର କହିଛନ୍ତି। ଶ୍ରୀ ମହାସୁଆର କହିଛନ୍ତି, ରାଷ୍ଟ୍ରପତି ସିଂହଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କୁ ଗର୍ଭଗୃହରୁ ଦର୍ଶନ କରିବେ। ପରେ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିବେ। ପରେ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବାର କାର୍ଯ୍ୟକ୍ରମ ରହିଛି।