ନିଜେ ପଢ଼ିଥିବା ସ୍କୁଲକୁ ଯିବେ, ସହପାଠୀଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସାନ୍ତାଳୀଙ୍କ ପୀଠସ୍ଥଳୀ ଜାହେର ଥାନ୍‌ରେ ପୂଜାର୍ଚ୍ଚନା କଲେ

ଭୁବନେଶ୍ବର : ଦୁଇ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାରେ ଗୁରୁବାର ଦିନ ଭବ୍ୟ ସ୍ବାଗତ କରାଯାଇଛି। ପୂର୍ବାହ୍ନରେ ରାଷ୍ଟ୍ରପତିଙ୍କ ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ସୁନିଲ୍‌ କୁମାର ବଂଶଲଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଲାଗି ନିଜ ଜନ୍ମ ମାଟିରେ ପାଦ ଥାପିଥିବାରୁ ତାଙ୍କ ଭିତରେ ଥିବା ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ବିମାନବନ୍ଦର ପରିସରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବାପରେ ସେଠାରୁ ସେ ପୁରୀ ବାହାରିଥିଲେ। ମଧ୍ୟାହ୍ନ‌ରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସହ ସେଠାରେ ମହାପ୍ରସାଦ ସେବନ କରିଥିଲେ।

ଅପରାହ୍‌ଣ ପ୍ରାୟ ୪ଟାରେ ପୁରୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା କ୍ଷଣି ରାଷ୍ଟ୍ରପତିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନବନ୍ଦର ବାହାରେ ଶଙ୍ଖନାଦ ସାଙ୍ଗକୁ ଆଦିବାସୀ ନୃତ୍ୟ, ଘୋଡ଼ା ନାଚ, ଝାଞ୍ଜ, ମୃଦଙ୍ଗ ଓ ବିଭିନ୍ନ ବାଜାରେ ସମ୍ପୂର୍ଣ୍ଣ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଲୋକଙ୍କ ଉତ୍ସାହକୁ ଦେଖି ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡ଼ିଥିଲେ। ବିମାନବନ୍ଦରରୁ କାର୍‌କେଡ୍‌ ବାହାରିବା କ୍ଷଣି ରାଷ୍ଟ୍ରପତି ନିଜ କାରରୁ ଓହ୍ଲାଇ ପଡ଼ିଥିଲେ। ସବୁ ପ୍ରୋଟୋକଲ୍‌ ଭାଙ୍ଗି ଲୋକଙ୍କ ପାଖକୁ ଚାଲି ଆସିଥିଲେ। ହାତଯୋଡ଼ି ସାଧାରଣ ଜନତାଙ୍କୁ ପ୍ରଣାମ କରିଥିଲେ।

ପରବର୍ତ୍ତୀ ସମୟରେ ଭୁବନେଶ୍ବରର ୬ଟି ସ୍ଥାନରେ ଥିବା ୮ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ରାଷ୍ଟ୍ରପତିଙ୍କୁ ସ୍ବାଗତ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଛକ ଛକରେ ଓଡ଼ିଶୀ ସମେତ ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ରାସ୍ତାପାର୍ଶ୍ବରେ ହଜାର ହଜାର ଲୋକ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ ଲୋକଙ୍କ ନିକଟକୁ ଯାଉଥିଲେ ରାଷ୍ଟ୍ରପତି। ନାଲ୍‌କୋ ଛକ ନିକଟରେ ଶତାଧିକ ମହିଳା ଏକାଠି ହୋଇ ରାଷ୍ଟ୍ରପତିଙ୍କୁ ଧୂପ, ଦୀପ, ଅରୁଆ ଚାଉଳ ପକାଇ ପୂଜା କରିଥିଲେ। ଚନ୍ଦ୍ରଶେଖରପୁରଠାରେ ଥିବା ସାନ୍ତାଳୀ ଜନଜାତିଙ୍କ ପୀଠସ୍ଥଳ ଜାହେର ଥାନ୍‌କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେଠାରେ ଥିବା ଆଦିବାସୀଙ୍କ ସହ ଆଲୋଚନା କରିବା ସହ ଛୋଟ ପିଲାଙ୍କ ଶିକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ। ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ରାଜଭବନ ପରିସରରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଗସ୍ତ ଅବସରରେ ରାଜଭବନରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସେ ସାକ୍ଷାତ ମଧ୍ୟ କରିଛନ୍ତି।

ଆଜି ଅର୍ଥାତ୍ ଶୁକ୍ରବାର ରାଷ୍ଟ୍ରପତି ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ୧୨ରୁ ୧୫ ମିନିଟ୍‌ ଧରି କ୍ୟାମ୍ପସରେ ରହିବେ ଓ କିଛି ସମୟ ବୁଲିବା ପରେ ସେଠାରେ ଥିବା ଏକ ହଲ୍‌ରେ ଛାତ୍ରଛାତ୍ରୀଙ୍କୁ ଭେଟିବେ। ସାକ୍ଷାତ ସମୟରେ ଛାତ୍ରଛାତ୍ରୀ ହାତ ତିଆରି ଏକ ପେଣ୍ଟିଂକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮ମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସରେ ରହିଥିଲେ। ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କ ପାଦ ନିଜେ ପଢ଼ୁଥିବା ସ୍କୁଲ୍‌ରେ ପଡ଼ିବ। ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍‌କୁ ଯିବେ। ସେଥିପାଇଁ ହଷ୍ଟେଲରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଗସ୍ତ ଅବସରରେ ନିଜର ୧୩ଜଣ ସହପାଠିନୀଙ୍କୁ ଭେଟିବେ। ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ସମ୍ବନ୍ଧିତ ଖବର