ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସାତଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ଆସନ୍ତାକାଲି ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ମତାଧିକାର ସାବ୍ୟସ୍ତ କରିବେ। ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଭୋଟ ଦେବେ। ରାଷ୍ଟ୍ରପତିଙ୍କ ସମେତ ଏହି କେନ୍ଦ୍ରରେ ମୋଟ ୪୧୩ ଜଣ ମତଦାନ କରିବେ। ରାଷ୍ଟ୍ରପତିଙ୍କ ଭୋଟଦାନ ସମୟରେ ନୂଆଦିଲ୍ଲୀ ଜିଲ୍ଲାପାଳ ଇସା ଖୋସଲା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଭୋଟଦାନ କେନ୍ଦ୍ରକୁ ‘ଗ୍ରିନ ଆର୍ଥ’ ଥିମ୍‌ ଆଧାରିତ ମଡେଲ ଭୋଟଦାନ କେନ୍ଦ୍ର ଭାବେ ସ୍ଥାପନ କରାଯାଇଛି । ଏଥି ପାଇଁ ନୂଆଦିଲ୍ଲୀ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ବର୍ଷ ନଭେମ୍ବର ୧୦ରେ ରା‌ଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ରାଷ୍ଟ୍ରପତିଙ୍କ ଭୋଟର ପରିଚୟପତ୍ରରେ ମୟୂରଭଞ୍ଜ ଜିଲ୍ଲା ଠିକଣା ଥିଲା।