ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ, କମାଣ୍ଡିଂ ଅଫିସର ଦାୟିତ୍ବ ତୁଲାଇଲେ ଓଡ଼ିଆ ପୁଅ

ଉଦଳା-୧: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରୁଛନ୍ତି। କାରଣ ଜଣେ ଓଡ଼ିଆ ମହିଳା ରାଷ୍ଟ୍ରପତି ଭାବ‌େ ଶପଥ ନେଇଥିବା ବେଳେ ଶପଥ ଗ୍ରହଣ ଉତ୍ସବରେ ଆଉ ଜଣେ ଓଡ଼ିଆ ସେରିମୋନିଆଲ୍ ଗାର୍ଡ ବାଟାଲିୟନ୍‌ର କମାଣ୍ଡିଂ ଅଫିସର ଦାୟିତ୍ବ ତୁଲାଇଛନ୍ତି।

ଗତ ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ସେରିମୋନିଆଲ୍ ଗାର୍ଡ ବାଟାଲିୟନ୍‌ର କମାଣ୍ଡିଂ ଅଫିସର ଦାୟିତ୍ୱ ତୁଲାଇଥିଲେ ଷ୍ଟାଲିନ ମହାନ୍ତି। କେବଳ ସେତିକି ନୁହେଁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ସମ୍ୱର୍ଦ୍ଧନା ସମାରୋହରେ ମଧ୍ୟ ଷ୍ଟାଲିନ୍‌ କମାଣ୍ଡିଂ ଅଫିସର ଦାୟିତ୍ୱ ତୁଲାଇଥିଲେ।

ତେବେ ଦ୍ରୌପଦୀ ଓ ଷ୍ଟାଲିନଙ୍କ ମୟୂରଭଞ୍ଜ ସହ ନିବିଡ଼ ସଂପର୍କ ରହିଛି। ଦ୍ରୌପଦୀ ମୁର୍ମୁଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହୋଇଥିବା ବେଳେ ଷ୍ଟାଲିନ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଜନ୍ମଗ୍ରହଣ କରିଥିଲେ। ଷ୍ଟାଲିନଙ୍କ ବାପା ପ୍ରଶାନ୍ତ ମହାନ୍ତି ଉଦଳା ତହସିଲରେ କାର୍ଯ୍ୟ କରୁଥିଲେ। ମାଆ ଅନିତା ଶିକ୍ଷକତା କରୁଥିଲେ। ଷ୍ଟାଲିନଙ୍କ ପରିବାର ପ୍ରାୟ ୪୦ ବର୍ଷ ଧରି ଏଠାରେ ରହିଥିଲେ। ସେ ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ପଢ଼ିଥିଲେ ଓ ୧୯୯୩ ମସିହାରେ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍‌ରେ ଭର୍ତ୍ତି ହୋଇଥିଲେ। ୨୦୦୦ ମସିହାରେ ସେ ଏନ୍‌ଡିଏ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ୨୦୦୪ ମସିହାରେ ଲେଫ୍‌ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଷ୍ଟାଲିନଙ୍କ ପୈତୃତ ଗାଁ କଟକ ଜିଲ୍ଲା କଣ୍ଟାପଡ଼ା ଅଞ୍ଚଳରେ। ଏବେ ସେମାନେ ଭୁବନେଶ୍ବରରେ ରହୁଥିବା ବେଳେ ଉଦଳାରେ ମଧ୍ୟ ଘର ରହିଛି।

ସମ୍ବନ୍ଧିତ ଖବର