ଭୁବନେ୍ଶ୍ବର: ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମନ୍ତ୍ରୀମାନଙ୍କ ମନ୍ତବ୍ୟକୁ ସେ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ। ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥା’ନ୍ତି। ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ। ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥପ୍ରେମୀଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ଚାରମାଳରେ ପହଣ୍ଡି ସମୟରେ ବଡ଼ଠାକୁର ମୁହଁ ମାଡ଼ି ପଡ଼ିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ।
ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟଣା କେବେ ଘଟି ନଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲା ନାହିଁ। ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଶ୍ବସ୍ତ କରିବାରେ ସମର୍ଥ ହେଲା ନାହିଁ। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ। ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ବ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନଘଟିବ ତାହା ସୁନିଶ୍ଚିତ କରନ୍ତୁ।
ମୋହନଙ୍କୁ ଚିଠି ଲେଖିଲେ
ମନ୍ତ୍ରୀମାନଙ୍କ ମନ୍ତବ୍ୟକୁ ନିନ୍ଦା
ଉଦ୍ବେଗ ସହ ମୁଁ ବି ଏକମତ: ମୋହନ
ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତର ସଙ୍ଗେ ସଙ୍ଗେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀନଙ୍କ ଉଦ୍ବେଗ ସହ ଏକମତ ହେବା ସହ ତାଙ୍କ ପରାମର୍ଶକୁ ସମ୍ମାନର ସହ ଗ୍ରହଣ କରିବେ ବୋଲି କହିଛନ୍ତି। ମୋହନଙ୍କ ଏହି ଚିଠି ଭିନ୍ନ କାରଣ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଗତ ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଉଥିବା ଚିଠିର ଉତ୍ତର ମିଳିବା ଦୂରର କଥା, ପ୍ରାପ୍ତି ସ୍ବୀକାର ବି ମିଳୁ ନଥିଲା। ଏହାକୁ ନେଇ ବିରୋଧୀ ଦଳ ସବୁବେଳେ ସରକାରଙ୍କୁ ଘେରୁଥିଲେ। କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ, ଅନ୍ୟ ବିଭାଗ ବି ଚିଠିର ଉତ୍ତର ଦେବାକୁ ଉଚିତ ମଣୁ ନଥିଲେ। ଆଜି ଶ୍ରୀ ମାଝୀ ନିଜେ ଚିଠିର ଉତ୍ତର ଦେଇ ନବୀନଙ୍କ ପରାମର୍ଶକୁ ସମ୍ମାନ ତ ଦେଇଛନ୍ତି, ତାହା ସହ ମୁଖ୍ୟମନ୍ତ୍ରୀଙ୍କ ଭୂମିକା କିଭଳି ହେବା ଉଚିତ୍ ସେ ସଙ୍କେତ ଦେଇଛନ୍ତି।
ତତ୍କାଳ ଉତ୍ତର ଦେଲେ, ପରାମର୍ଶ ଗ୍ରହଣ କଲେ
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ଅସ୍ମିତା ପ୍ରତୀକ ନୁହନ୍ତି, ସେ ସାରା ଜଗତ ଅର୍ଥାତ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ଚଳିତ ବର୍ଷ ଆଡ଼ପ ମଣ୍ଡକୁ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ। ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ବାଭାବିକ। ମୁଁ ମଧ୍ୟ ଗଭୀର ଭାବେ ମର୍ମାହତ। ଏହି ଅଘଟଣ ବିଷୟରେ ଜାଣିବା ପରେ ମୁଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ, ସେଥି ପାଇଁ ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଏ ସମ୍ବନ୍ଧରେ ଆପଣ ମୋତେ ଲେଖିଥିବା ପତ୍ରକୁ ମୁଁ ଗୁରୁତ୍ବର ସହ ପାଠ କରିଛି। ଆମେ ସମସ୍ତେ ମିଶି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚା ଯାତ୍ରା ଠିକ୍ ଭାବେ ସମ୍ପନ୍ନ କରିବା। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହିତ ଗ୍ରହଣୀୟ ହେବ।