ରାୟଗଡ଼ା: ରାୟଗଡ଼ାରେ ମୂର୍ତ୍ତିଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜିଲ୍ଲାର ବହୁ ପ୍ରମୁଖ ତଥା ପୁରାତନ ମନ୍ଦିରରେ ଚୋରଦଳ କଳାକନା ବୁଲାଇବାରେ ସକ୍ଷମ ହୋଇଛନ୍ତି। କେଉଁ ମନ୍ଦିରରୁ ସର୍ବ ପୁରାତନ ମୂର୍ତ୍ତି ତ କେଉଁ ମନ୍ଦିରରୁ ମା’ଙ୍କ ସୁନା ଆଖି, ନାକଫୁଲ, ଆଉ କେଉଁଠୁ ହୁଣ୍ଡି ଭାଙ୍ଗି ଲୁଟିଛନ୍ତି। କିନ୍ତୁ ପୁଲିସ୍ ବର୍ଷବର୍ଷ ଧରି ସେମାନଙ୍କ ଟେର୍ ପାଇବାରେ ସକ୍ଷମ ହୋଇପାରୁନି, ଯାହା ଭକ୍ତଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଛି।

Advertisment

କୋଲନରା ବ୍ଲକ୍ ଖେଦାପଡା ଗ୍ରାମରେ ରହିଛି ମା’ ମାଣ‌ିକେଶ୍ବରୀଙ୍କ ମନ୍ଦିର। ଶହ ଶହ ବର୍ଷ ପୁରୁଣା ଏହି ମନ୍ଦିର ରାଜରାଜୁଡ଼ା ଅମଳରେ ନିର୍ମାଣ ହୋଇଥିଲା। ମା’ଙ୍କ ବିଗ୍ରହ ୨ଶହ ବର୍ଷ ପୁରୁଣା ଏବଂ ଅଷ୍ଟଧାତୁରେ ନିର୍ମିତ। ଦଶହରା, ଚୈତ୍ର ମାସରେ ମା’ଙ୍କ ପୀଠରେ ଗୁପ୍ତପୂଜା ସହ ଚଣ୍ଡୀପାଠ ଏବଂ ନାନାଦି ଯଜ୍ଞ ହୋଇଥାଏ। ପ୍ରତ୍ୟକ୍ଷ ଦେବୀ ଯୋଗୁ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି। ଅଢ଼େଇ ବର୍ଷ ତଳେ ମା’ଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ଦୁର୍ବୃତ୍ତ ଚୋରି କରି ନେବା ସହ ହୁଣ୍ଡି ଭାଙ୍ଗି ଦେଇଥିଲେ। ମା’ଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ବିରଳ ହୋଇଥିବାରୁ ଚୋରଦଳ ଟାର୍ଗେଟ୍ କରି ଏହି ମୂର୍ତ୍ତିକୁ ଚୋରି କରି ନେଇଥିଲେ। ଏ ନେଇ ଚାନ୍ଦିଲି ଥାନାରେ ମାମଲା ରୁଜୁ ହେବା ସହ ତୁରନ୍ତ ମୂର୍ତ୍ତି ଉଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଥିଲେ। ହେଲେ ଅଦ୍ୟାବଧି ପୁଲିସ୍ ମୂର୍ତ୍ତି ଉଦ୍ଧାରରେ ସଫଳ ହୋଇ ନ ଥିବା ବେଳେ ବର୍ଷକ ତଳେ ଗ୍ରାମବାସୀ ମା’ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରି ପୂଜା କରୁଛନ୍ତି।

ସେହିପରି ୨୦୨୧ ମସିହା ସେପ୍ଟେମ୍ବରରେ ଗୁଣପୁରର ଗ୍ରାମଦେବୀ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଥିଲେ। ଗ୍ରାମଦେବୀ ପରିଧାନ କରିଥିବା ଅଢ଼େଇ ତୋଳାର ସୁନାହାର ସହିତ ୩୦ ତୋଳା ରୁପା ଅଳଙ୍କାରକୁ ଚୋରଦଳ ନେଇଯାଇଥିଲେ। ଗୁଣପୁର ପୁଲିସ୍ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ୨୦୨୧ ଏପ୍ରିଲରେ ଚୋରଦଳ ବିଷମକଟକର ଆରାଧ୍ୟା ଦେବୀ ମା’ ମାର୍କମାଙ୍କ ମନ୍ଦିରରୁ ଚୋରି କରିଥିଲେ। ମା’ ପରିଧାନ କରିଥିବା ସୁନା ନାକଫୁଲ ସହ ମନ୍ଦିରରେ ଲାଗିଥିବା ଗୋଟିଏ ଟିଭିକୁ ଲୁଟି ନେଇଥିଲେ। ହୁଣ୍ଡି ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ଚୋରଦଳ ସଫଳ ହୋଇପାରି ନ ଥିଲେ। ୨୦୨୧ ଜୁନ୍‌ରେ ଚୋରଦଳ ମୁନିଗୁଡ଼ା ବ୍ଲକ୍ ହୁକୁମତୋଳା ରାମେଶ୍ବର ମନ୍ଦିରରେ କଳାକନା ବୁଲାଇଥିଲେ। ମନ୍ଦିର ଚତୁଃପାର୍ଶ୍ବରେ ଲାଗିଥିବା ମୂର୍ତ୍ତିଗୁଡ଼ିକୁ ଚୋରଦଳ ନେଇ ଅଧ କିମି ଦୂରରେ ଭାଙ୍ଗିରୁଜି ଚାଲି ଯାଇଥିଲେ। ଅଷ୍ଟଧାତୁରେ ମୂର୍ତ୍ତିଗୁଡ଼ିକ ତିଆରି ହୋଇଥିବା ସନ୍ଦେହରେ ‌ଚୋରଦଳ ଏପରି କାଣ୍ଡ ଘଟାଇଥିଲେ। ଜିଲ୍ଲାର ଅନେକ ମନ୍ଦିରରୁ ନିୟମିତ ବ୍ୟବଧାନରେ ଚୋରି ହେଉଛି। ସିସିଟିଭି ଫୁଟେଜ ଥିବା ସତ୍ତ୍ବେ ପୁଲିସ୍ ଚୋରଦଳକୁ ଠାବ କରିବାରେ ସକ୍ଷମ ହୋଇପାରୁନି।