ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ଦରଦାମ୍‌ ସ୍ଥିତି ଅସମ୍ଭାଳ ରହିଛି। ଖୁଚୁରା ବଜାରରୁ ଲୋକମାନଙ୍କୁ ଚଢ଼ା ଦାମ୍‌ରେ ଜିନିଷ କିଣିବାକୁ ପଡ଼ୁଛି। କେନ୍ଦ୍ର ସରକାର ୨୦୨୪ ଡିସେମ୍ବର ଲାଗି ଜାରି କରିଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଏଭଳି କିଛି ଚିତ୍ର ଉପସ୍ଥାପନ କରୁଛି। ଆଲୋଚ୍ୟ ମାସରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ନଭେମ୍ବରରେ ଏହି ହାର ୬.୭୮ ପ୍ରତିଶତ ଥିଲା। ସର୍ବଭାରତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨୨ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାରେ କିନ୍ତୁ ତାହା ବଢ଼ିଛି।

କନ୍ଦାଇଲା ଆଳୁ, ଚାଉଳ, ଖାଇବା ତେଲ

Advertisment

ରାଜ୍ୟର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତ ଭଳି ଉଚ୍ଚସ୍ତରରେ ରହିଛି। ଜାତୀୟସ୍ତରରେ ଏହି ହାର ୫.୭୬ ପ୍ରତିଶତ ଅଛି। ହାରାହାରି ଭାବେ ଓଡ଼ିଶାର ଗ୍ରାମୀଣ ବଜାର ଦେଶର ସବୁଠୁ ମହଙ୍ଗା ବଜାରରେ ପରିଣତ ହୋଇଛି। ସହରାଞ୍ଚଳ ଉପରେ ନଜର ପକାଇଲେ ସ୍ଥିତି କିଛିଟା ନିୟନ୍ତ୍ରଣାଧୀନ ରହିଛି। ୨୦୨୪ ଡିସେମ୍ବରରେ ଓଡ଼ିଶାର ସହରାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ୪.୭୫ ପ୍ରତିଶତ ରହିଛି ଯାହା ଜାତୀୟ ହାର ୪.୫୮ ପ୍ରତିଶତରୁ ସାମାନ୍ୟ ଅଧିକ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବଜାର ଭିତରେ ଏକ ବଡ଼ ପାର୍ଥକ୍ୟ ପରିଲକ୍ଷିତ ହୋଇଛି।

ବହୁଦିନ ହେଲାଣି ଓଡ଼ିଶା ଆଳୁ ସମସ୍ୟା ଦେଇ ଗତି କରୁଛି। ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ବାଭାବିକ ହେଉ ନ ଥିବାରୁ ତାହାର ଦାମ୍‌ ନିୟମିତ ବ୍ୟବଧାନରେ ଉଚ୍ଚା ରହୁଛି। ଗତ ଡିସେମ୍ବରରେ ରାଜ୍ୟରେ ଚାଉଳ, ଆଳୁ ଓ ଖାଇବା ତେଲ ଦାମ୍‌ ବଢ଼ିଥିଲା। କିନ୍ତୁ ବାଇଗଣ, ଫୁଲକୋବି ଭଳି ପନିପରିବା ଦାମ୍ କମ୍ ହୋଇଥିଲା। ଚାଉଳ ବ୍ୟବହାର କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାରେ ତାହାର ଦାମ୍‌ ସର୍ବାଧିକ ବୃଦ୍ଧି ପାଇଥିଲା। ଆଳୁ ଦାମ୍‌ ୨୦୨୩ ଡିସେମ୍ବର ତୁଳନାରେ ୧୦୦ ପ୍ରତିଶତ ବଢ଼ିଛି। ଓଡ଼ିଶାରେ ଆଳୁର କ୍ବିଣ୍ଟାଲ ପିଛା ଦାମ୍ ୩୩୫୦ ଟଙ୍କା ରହିଛି ଯାହା ସାରା ଦେଶରେ ଅନ୍ୟତମ ସର୍ବାଧିକ। ମଟର ଛୁଇଁ, ଆଳୁ, ରସୁଣ, ନଡ଼ିଆ ତେଲ ମହଙ୍ଗା ରହିଛି। କିନ୍ତୁ ଜିରା, ଅଦା, ଶୁଖିଲା ଲଙ୍କା ଦାମ୍ କମିଛି। 

କେଉଁ ରାଜ୍ୟର ସ୍ଥିତି କଣ
ରାଜ୍ୟ    ଖୁଚୁରା ମୁଦ୍ରାସ୍ଫୀତି (୨୦୨୪ ଡିସେମ୍ବର)
ଛତିଶଗଡ଼    ୭.୬୩%
ବିହାର    ୭.୩୬%
ଓଡ଼ିଶା    ୬.୯୬%
କେରଳ    ୬.୩୬%
ଉତ୍ତରପ୍ରଦେଶ    ୬.୨୬%
ଉତ୍ତରାଖଣ୍ଡ    ୬.୦୫%