ଧୀରେନ୍ଦ୍ର ବାବୁ ଆଉ ଆମ ଗହଣରେ ନାହାନ୍ତି। ଆମ ସମସ୍ତଙ୍କୁ ଛାଡ଼ି ଏକ ବିରାଟ ଶୂନ୍ୟତା ସୃଷ୍ଟିକରି ଚାଲି ଯାଇଛନ୍ତି ଆରପାରିକୁ। ତାଙ୍କ ମୃତ୍ୟୁରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ସାରା ଅଞ୍ଚଳ ଶୋକାଭିଭୂତ। ସ୍ବର୍ଗତ ଧୀରେନ୍ଦ୍ରବାବୁ ଥିଲେ ଏକ ବିରଳ ବ୍ୟକ୍ତିତ୍ବର ଅଧିକାରୀ। ସ୍ବାର୍ଥପର ଦୁନିଆର ଏକ ବିରାଟ ବ୍ୟତିକ୍ରମ । ଆଉ ସେ ଥିଲେ ମଧ୍ୟ ଅଜାତଶତ୍ରୁ। ସେ ମଙ୍ଗଳପୁରର ଏକ ଖ୍ୟାତନାମା ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ନିଜର ଶିକ୍ଷା, ସାଧନା ଓ ଦକ୍ଷତା ବଳରେ ମର୍ଯ୍ୟାଦାଜନକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଧ୍ୟକ୍ଷ ପଦ ମଣ୍ଡନ କରିପାରି ଥିଲେ। ତାଙ୍କ ମନରେ ଅହଂକାର ନଥିଲା। ଉପେକ୍ଷା ଭାବ ନଥିଲା। ରୋଗୀ ସେବା ଥିଲା ତାଙ୍କ ଜୀବନର ପରମ ଧର୍ମ। ମେଡିକାଲ କଲେଜରେ ପଢ଼ିବା ଦିନଠାରୁ ସେ ରୋଗୀ ସେବା ଆରମ୍ଭ କରିଥିଲେ। ବୁଲିବୁଲି ରୋଗୀ ସେବା କରିବାରେ ସେ ପାଉଥିଲେ ପରମ ଆନନ୍ଦ। ତାଙ୍କ ଦ୍ବାରରୁ କେହି କେବେ ନିରାଶ ହୋଇ ଫେରିନାହିଁ। ଅସହାୟ ଦୁର୍ଗତ ମଣିଷର ସେ ଥିଲେ ଆଶା ଭରସାର କେନ୍ଦ୍ର। ମଙ୍ଗଳପୁର ଅଞ୍ଚଳର ଆବାଳବୃଦ୍ଧବନିତା ତାଙ୍କୁ ନିଜର ଆତ୍ମୀୟ ବୋଲି ଭାବି ଅଧିକାର ସାବ୍ୟସ୍ତ କରୁଥିଲେ। ୧୯୭୧ ମହାବାତ୍ୟା ପରେ ବୁଲି ବୁଲି ଦୁଃସ୍ଥ, ଦୁର୍ଗତ, ରୁଗ୍ଣ ମଣିଷର ସେବା କରିବା ମୁଁ ଆଖିରେ ଦେଖିଛି। କ୍ଲାନ୍ତି, ବୈରାଗ୍ୟ ଓ ଗ୍ଲାନି କେବେ ତାଙ୍କ ମନ ପ୍ରାଣ ସ୍ପର୍ଶ କରି ପାରିନଥିଲା।
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଏକ ଅଖ୍ୟାତପଲ୍ଲୀର ଡାକ୍ତରଖାନାରେ ଡାକ୍ତର ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ ଧୀରେନ୍ଦ୍ର ବାବୁ। ଓଡ଼ିଶାର ସର୍ବପୁରାତନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରିନ୍ସିପାଲ ହୋଇ ଅବସର ନେବା ଏକ ଉଲ୍ଲେଖନୀୟ ସଫଳତା ନିଶ୍ଚୟ। କର୍ମକ୍ଷେତ୍ରରେ ନିଷ୍ଠାର ସହ କର୍ତ୍ତବ୍ୟ ସଂପାଦନ କରିବା ସଂଗେ ସଂଗେ ସେ ନିଜ ଅଞ୍ଚଳ ସାମଗ୍ରିକ ବିକାଶ ଦିଗରେ ମଧ୍ୟସକ୍ରିୟ ଅଂଶ ଗ୍ରହଣ କରୁଥିଲେ। ସେ ମଙ୍ଗଳପୁର ବାଳିକା ଉଚ୍ଚବଦ୍ୟାଳୟ ସ୍ଥାପନ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। କିଛିବର୍ଷ ଏହି ଅନୁଷ୍ଠାନର ସଂପାଦକ ଦାୟିତ୍ବ ବହନ କରିଥିଲେ। ସେ ଥିଲେ ମଙ୍ଗଳପୁର ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି। ସାଧୁଗୌଡ଼େଶ୍ବର ମହାବିଦ୍ୟାଳୟ, କନିକାପଡ଼ାର ସ୍ଥାପନା ଓ ବିକାଶ ଦିଗରେ ତାଙ୍କର ସକ୍ରିୟ ସହଯୋଗ ଓ ଅବଦାନ ଅନସ୍ବୀକାର୍ଯ୍ୟ। ଡାକ୍ତର ଧୀରେନ୍ଦ୍ର କୁମାର ରାୟ ଥିଲେ ଜଣେ ଅହଂଶୂନ୍ୟ ପରୋପକାରୀ ଅସାଧାରଣ ମଣିଷ। ମୁଁ ତାଙ୍କର ଜଣେ ଗୁଣମୁଗ୍ଧ ବନ୍ଧୁ। ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି।
ଅବସରପ୍ରାପ୍ତ ଶିକ୍ଷକ