ଆନ୍ଦୋଳନ ଭଣ୍ଡୁରର ପ୍ରତିବାଦ: ୟୁନିଫର୍ମ ବର୍ଜନ କରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର : ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ୟୁନିଫର୍ମ ବର୍ଜନ କରିବେ। ଗୁରୁବାରଠାରୁ ବିନା ୟୁନିଫର୍ମରେ ସ୍କୁଲରେ ଯୋଗଦେବେ। କ୍ଲାସରୁମ୍‌ରେ ୟୁନିଫର୍ମ ପିନ୍ଧିବେ ନାହିଁ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟକ୍ରମ କିମ୍ବା ଯୋଜନା ସ୍କୁଲରେ କାର୍ଯ୍ୟକାରୀ କରିବାରେ ସେମାନେ ସହଯୋଗ କରିବେନି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ପଦ ଛାଡ଼ିବେ। ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ବରୁ ନିଜକୁ ଦୂରରେ ରଖିବେ। ଯେଉଁମାନେ ସିଆରସିସି ପଦରେ ରହିଛନ୍ତି ସେମାନେ ଇସ୍ତଫା ଦେବେ। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନକୁ ରାଜ୍ୟ ସରକାର ଭଣ୍ଡୁର କରିବା ପରେ ବୁଧବାର ଦିନ ବସିଥିବା ପ୍ରାଥମିକ ଶିକ୍ଷକଙ୍କ ଷ୍ଟିୟରିଂ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ୩ଦଫା ଦାବି ପୂରଣ ନହେବା ଯାଏ ଶିକ୍ଷକ ଶିକ୍ଷୟିତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ୍‌ କରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ୬ ଓ ୮ ବର୍ଷ ଶିକ୍ଷକ ସହାୟକ କାର୍ଯ୍ୟକାଳକୁ ୬ ଓ ୮ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଓ ନୂତନ ପେନସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍‌ ପୁନଃ ପ୍ରଚଳନ କରିବା‌ ଦାବି ନେଇ ମହାସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଥିଲା। ଦେଢ଼ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟି ନେଇ ଆସୁଥିବାରୁ ସେମାନଙ୍କୁ ରୋକିବା ଲାଗି ତୃଣମୂଳସ୍ତରରୁ ପ୍ରସ୍ତୁତି କରାଯାଇଥିଲା। ଛୁଟି ନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବାକୁ ଅନୁମତି ଦେଇ ନ ଥିଲା କମିସନରେଟ୍‌ ପୁଲିସ। ଏନେଇ ଗତକାଲି ସନ୍ଧ୍ୟାରେ ପୁଲିସ ପକ୍ଷରୁ ସଂଘକୁ ଅବଗତ କରାଯିବା ପରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଭଣ୍ଡୁର ହୋଇଥିଲା।

ଗଣଶିକ୍ଷା ମନ୍ତ୍ରୀ-ମହାସଂଘ ଆଲୋଚନା ବିଫଳ
ସିଆର୍‌ସିସି ପଦରୁ ଶତାଧିକ ଶିକ୍ଷକଙ୍କ ଇସ୍ତଫା
ମଧ୍ୟାହ୍ନଭୋଜନରେ ଅସହଯୋଗ କରିବାକୁ ନିଷ୍ପତ୍ତି

ଦୂରଦୂରାନ୍ତ ତଥା ଉପାନ୍ତ ଅଞ୍ଚଳରୁ ଶିକ୍ଷକ ଶିକ୍ଷୟିତ୍ରୀ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚି ଯାଇଥିଲେ। ଆଜି ସକାଳୁ ବି ଆଉ କିଛି ଆସି ପହଞ୍ଚିବା ପରେ ସେମାନଙ୍କୁ ରୋକିବାକୁ ପୁଲିସ ରୀତିମତ ଯୋଜନା ପ୍ରସ୍ତୁତ କରିଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ନିକଟ ଆଇଜି ପାର୍କରେ ଏକାଠି ହେଉଥିବା ଖବର ପାଇ ପୁଲିସ ସେମାନଙ୍କୁ ଘଉଡ଼ାଇଥିଲା। ଏହାପରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ଅଞ୍ଚଳ ବିଧାୟକଙ୍କ ବାସଭବନରେ ଆଶ୍ରୟ ନେଇଥିବା ବେଳେ ପୁଲିସ ସେମାନଙ୍କ ଉପରେ ନଜର ରଖିଥିଲା। ପରିଣାମସ୍ବରୂପ ଆନ୍ଦୋଳନ ଭଣ୍ଡୁର କରିବାରେ ସରକାର ସଫଳ ହୋଇଥିଲେ।

ଏତେ ସବୁ ପରେ ବି ସେମାନେ ପଛଘୁଞ୍ଚା ଦେଇ ନ ଥିଲେ। ଲୋୟର ପିଏମ୍‌ଜିରେ ବିଫଳ ହେବା ପରେ ମଧ୍ୟାହ୍ନରେ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ହଜାର ହଜାର ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହୋଇ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ। ଆନ୍ଦୋଳନ ପାଇଁ ପୁଲିସ ଅନୁମତି ଦେଉ ନ ଥିବାରୁ ସେମାନେ ଆଇନକୁ ନିଜ ହାତକୁ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ମହାସଂଘର ୧୧ଜଣ ପ୍ରତିନିଧି ମଣ୍ଡଳୀଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପାଖାପାଖି ଘଣ୍ଟାଏ ଧରି ହୋଇଥିବା ଆଲୋଚନାରେ ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକଙ୍କ ଦାବି ଶୁଣିବା ସହ ଏସମ୍ପର୍କରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦାବି ପୂରଣ ହେବ କି ନାହିଁ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇ ନ ଥିଲେ। ତେଣୁ ବିନା ୟୁନିଫର୍ମରେ କାର୍ଯ୍ୟ କରିବାକୁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ବୈଠକ ପରେ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। ପୁଲିସ ଅନୁମତି ଦେଉ ନ ଥିବାରୁ ଆମେ ଆସନ୍ତାକାଲିଠାରୁ ଡ୍ରେସକୋଡ୍ ନିୟମ ମାନିବୁ ନାହିଁ। ଡ୍ରେସ୍ କୋଡ୍ ଲାଗି ରାଜ୍ୟ ସରକାର ଆମକୁ ଟଙ୍କାଟିଏ ଦେଉନାହାନ୍ତି। ନିଜ ପଇସାରେ ୟୁନିଫର୍ମ ପ୍ରସ୍ତୁତ କରୁଛୁ। ତେଣୁ ଏଭଳି ନିଷ୍ପତ୍ତି ନେଇଛୁ। ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ଆମ ଦାବି ପଠାଇବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏବେ ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଏପ୍ରିଲ ପ୍ରଥମ ସପ୍ତାହରେ ପୁଣିଥରେ ମହାସଂଘର ଷ୍ଟିୟରିଂ କମିଟି ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ସ୍ଥିର ହୋଇଛି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଶିକ୍ଷକମାନଙ୍କ ସହ ଆଲୋଚନା ହୋଇଛି। ପୂର୍ବରୁ ଉଚ୍ଚସ୍ତରୀୟ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା। ଏବେ ସେମାନଙ୍କ ଦାବି ଉକ୍ତ କମିଟିକୁ ପଠାଇ ଦିଆଯିବ। ସେମାନଙ୍କ ଦାବି ନେଇ ଆଲୋଚନା ଜାରି ରହିଛି, ବିଭିନ୍ନ ପର୍ଯ୍ୟାୟରେ ଆହୁରି ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସେମାନଙ୍କ ଦାବିଗୁଡ଼ିକର ପୂରଣ କରାଯିବ। ଶିକ୍ଷକ ସମାଜକୁ ଅନୁରୋଧ ସେମାନେ ୟୁନିଫର୍ମ ବର୍ଜନ କରନ୍ତୁ ନାହିଁ। ୟୁନିଫର୍ମ ବର୍ଜନ ନିଷ୍ପତ୍ତିରୁ ବିରତ ରୁହନ୍ତୁ।

ସମ୍ବନ୍ଧିତ ଖବର