ଡ.ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ/ଭୁବନେଶ୍ବର: ରଜତ କୁମାର କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ରଜତ କୁମାର କର ସାଂସ୍କୃତିକ ଜଗତର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ରଥ ଯାତ୍ରା ବେଳେ ତାଙ୍କ ବକ୍ତବ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ସେ ଅନେକ ପୁସ୍ତକ ରଚନା କରିଥିବାବେଳେ ପାଲା କଳାକୁ ପୁନର୍ଜୀବିତ କରିବା ପାଇଁ କାର୍ଯ୍ୟ କରିଥିଲେ। ତାଙ୍କ ଦେହାନ୍ତରେ ସେ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଜତ କରଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍,ନାଟ୍ୟକାର,ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଓ ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗ ଖବର ମର୍ମାହତ କରିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଅକଳ୍ପନୀୟ। ସାହିତ୍ୟ କ୍ଷେତ୍ରରେ ନିଜର ଅନନ୍ୟ ସାଧନା ପାଇଁ ସେ ଓଡ଼ିଆ ପାଠକଙ୍କ ନିକଟରେ ଯଶସ୍ୱୀ ହୋଇପାରିଥିଲେ। ଟିଭି ଓ ରେଡ଼ିଓରେ ରଥଯାତ୍ରାର ଭାଷ୍ୟକାର ଭାବେ ଓଡ଼ିଆ ଜନମାନସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ତାଙ୍କର କାଳଜୟୀ ସାହିତ୍ୟ ରଚନା ଚିର ସ୍ମରଣୀୟ। ଲୋକନାଟ୍ୟ ‘ପାଲା’କୁ ଜୀବନ୍ତ ରଖିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା  ବୋଲି କହିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସେହିପରି ରାଜ୍ୟପାଳ ଗଣେଶୀଲାଲ ବିଶିଷ୍ଟ ବାଗ୍ମୀ, ଲେଖକ ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ରଜତ କୁମାର କରଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ସେ ଟୁଇଟ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି l ସ୍ଵର୍ଗତକର ନିଜର ଅନନ୍ୟ ବାଗ୍ମୀତା ,ପାଣ୍ଡିତ୍ୟ ଓ ସୃଜନ କୃତି ପାଇଁ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି l

ସେହିପରି ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ସେହିପରି ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଟୁଇଟ କରି ପଦ୍ମଶ୍ରୀ, ବିଶିଷ୍ଟ ସାହିତ୍ୟକ, ଗବେଷକ ତଥା ବାଗ୍ନୀ ରଜତ କୁମାର କରଙ୍କ ବିୟୋଗ ଜନିତ ଖବର ଶୁଣି ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି କହିଛନ୍ତି। ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଟ ଗବେଷକ ତଥା ବ୍ୟାଖ୍ୟାକାର ଭାବେ ସାହିତ୍ୟିକ ମହଲରେ ଓ ଓଡ଼ିଶାର ପୁର ପଲ୍ଲୀରେ ବେସ ପରିଚିତ ଥିଲେ। ଶ୍ରୀ କରଙ୍କ ବିୟୋଗରେ ଆମେ ଜଣେ ବିଶିଷ୍ଟ ବାଗ୍ନୀ, ଭାଷ୍ୟକାର ଓ ଭଞ୍ଜ ଗବେଷକଙ୍କୁ ସବୁଦିନ ପାଇଁ ହରାଇବସିଲୁ। ସାହିତ୍ୟ ଓ ସଂସ୍କୃତିକୁ ତାଙ୍କର ବହୁମୁଖୀ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

ସେହିପରି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ, ବାଗ୍ମୀ , ସାହିତ୍ୟିକ , ପଦ୍ମଶ୍ରୀ ଡଃ ରଜତ କୁମାର କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ଓଡ଼ିଶାର ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ରଜତ କରଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି। ସୋମବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସମ୍ବନ୍ଧିତ ଖବର