ପୁରୀ: ଆସନ୍ତା ୧୮ ତାରିଖରେ ଦେଶର ଦ୍ରୁତଗାମୀ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସେପ୍ରେସ୍’ ପ୍ରଥମଥର ପାଇଁ ଯାତ୍ରୀଙ୍କୁ ନେଇ ଟ୍ରାକ୍ରେ ଗଡ଼ିବାକୁ ଯାଉଛି। ପୁରୀ ରେଳଷ୍ଟେସନ୍ରୁ ଏହାର ଶୁଭ ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୯ଟା ୫୫ରେ ଅତିଥିମାନେ ପହଞ୍ଚି ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୦ଟା ୫ରୁ ୧୦ଟା ୨୦ ଭିତରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ରେ ଥିବା ପିଲାମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ପରେ ଗଣମାଧ୍ୟମ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୧୧ଟାରେ ସଭାକାର୍ଯ୍ୟ ଆରମ୍ଭ ହେବ। ସାଢ଼େ ୧୨ଟାରେ ପ୍ରଧାନମନ୍ତ୍ରୀ ଅନ୍ଲାଇନ୍ ଜରିଆରେ ସଭା ସହ ଯୋଡ଼ିହେବେ। ୧୨ଟା ୩୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ପୁରୀ ଓ କଟକ ରେଳ ଷ୍ଟେସନ୍ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ପକାଇବେ। ବିଛୁପାଲି-ଝର୍ତ୍ତଭା ନୂଆ ଲାଇନ୍ର ଶୁଭାରମ୍ଭ କରିବେ।
ସମ୍ବଲପୁର-ଟିଟଲାଗଡ଼ ଡବଲ୍ ଲାଇନ୍, ଅନୁଗୁଳ-ସୁକିନ୍ଦାର ନୂଆଲାଇନ୍, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ତୃତୀୟ ଲାଇନ୍ ଶତପ୍ରତିଶତ ବିଦ୍ୟୁତୀକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟା ୫୩ରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରଖିବା ସହ ପୁରୀରୁ ହାୱଡା ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ଶୁଭାରମ୍ଭ ପରେ ଖୋର୍ଦ୍ଧା ରୋଡ୍କୁ ଛାଡ଼ିଦେଲେ, ଭୁବନେଶ୍ବର, କଟକ, ଯାଜପୁର-କେନ୍ଦୁଝର ରୋଡ୍, ଭଦ୍ରକ, ସୋରୋ, ବାଲେଶ୍ବର, ରୁପସା ଜଂକସନ୍, ଜଳେଶ୍ବର, ଖଡ଼ଗପୁର, ହାୱଡ଼ା ରେଳ ଷ୍ଟେସନ୍ ଦେଇ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ରହିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/65fs4h65f4h65fhfh.jpg)