ଷ୍ଟେଟ୍ବ୍ୟାଙ୍କରେ ଜମାହେଲା ଶ୍ରୀମନ୍ଦିରର ମୂଳପାଣ୍ଠି ୧୧୬.୨୫ କୋଟି
ବର୍ଷକ ପାଇଁ ୮ ପ୍ରତିଶତ ସୁଧରେ ନେଲା ଷ୍ଟେଟ୍ ବ୍ୟାଙ୍କ
ପୁରୀ : ଶ୍ରୀମନ୍ଦିରର ମୂଳ ପାଣ୍ଠି ଆଜି ପୁରୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଜମା ରଖାଯାଇଛି। ୧୧୬.୨୫ କୋଟିର ଏହି ମୂଳ ପାଣ୍ଠିକୁ ଆଜିଠାରୁ ବର୍ଷକ ପାଇଁ ୮ ପ୍ରତିଶତ ସୁଧରେ ଶ୍ରୀମନ୍ଦିର ପ୍ରଶାସନ ଷ୍ଟେଟ୍ ବ୍ୟାଙ୍କରେ ସ୍ଥାୟୀ ଜମା ଭାବେ ରଖିଛି। ଶ୍ରୀମନ୍ଦିର ଟେଣ୍ଡର କମିଟି ଆଜି ଏଥିରେ ଚୂଡ଼ାନ୍ତ ମୋହର ମାରିଛି।
ପୂର୍ବରୁ ୫.୨୨ ସୁଧରେ ଶ୍ରୀମନ୍ଦିର ମୂଳ ପାଣ୍ଠି ୟୁନିୟନ୍ ବ୍ୟାଙ୍କ ପୁରୀ ବଡ଼ଦାଣ୍ଡ ଶାଖାରେ ବର୍ଷକ ପାଇଁ ଜମା ରଖାଯାଇଥିଲା। ଏହି ଅବଧି ପୂରୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୂଳପାଣ୍ଠି ପୁନର୍ବାର ବ୍ୟାଙ୍କରେ ସ୍ଥାୟୀ ଜମା ରଖିବାକୁ ସମସ୍ତ ଜାତୀୟ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଆଜି ଟେଣ୍ଡର ପେପର ଖୋଲିଥିବା ବେଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିଅନ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ପିଏନ୍ବି ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ। ଅଧିକ ସୁଧ ଦେବା ତାଲିକାରେ ଉଭୟ ଷ୍ଟେଟ୍ ବ୍ୟାଙ୍କ ଓ ୟୁନିଅନ୍ ବ୍ୟାଙ୍କ ଆଗରେ ରହିଥିଲେ। ଶେଷରେ, ୟୁନିଅନ୍ ବ୍ୟାଙ୍କ ୭.୯୯ ପ୍ରତିଶତ ଓ ଷ୍ଟେଟ୍ ବ୍ୟାଙ୍କ ୮ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲେ। ଷ୍ଟେଟ୍ ବ୍ୟାଙ୍କ ସୁଧରେ ଆଗରେ ରହିବାରୁ ମୂଳ ପାଣ୍ଠି ସେଠାରେ ଜମା ରଖିବାକୁ ଟେଣ୍ଡର କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲା। ପରେ ଏହି ଟଙ୍କା ଷ୍ଟେଟ୍ ବ୍ୟାଙ୍କରେ ଜମା କରାଯାଇଛି। ଆଜିର ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ମୂଳ ପାଣ୍ଠି ହୁଣ୍ଡି, ଭକ୍ତଙ୍କ ଦାନରୁ ଆସିଥାଏ। ଅନ୍ୟପଟେ ଆସନ୍ତା ୨୯ ତାରିଖରେ ୫ଶହ କୋଟିରୁ ଅଧିକ ଟଙ୍କାର ଶ୍ରୀମନ୍ଦିର କର୍ପସ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠି ଜମା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।