ଚିକିତ୍ସାଧୀନ କଏଦୀର ମୃତ୍ୟୁ ଘଟଣା, ଏନଏଚଆରସିରେ ମାମଲା ରୁଜୁ

କେନ୍ଦୁଝର: ଆଜୀବନ ସଜ୍ଜା କାଟୁଥିବା ଜଣେ କଏଦୀର ମୃତ୍ୟୁ ଘଟଣାରେ ଏନଏଚଆରସିରେ ମାମଲା ରୁଜୁ ହୋଇଛି। ତାଙ୍କ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଏହି ଅର୍ଥ ଦୋଷୀ ଅଧିକାରୀଙ୍କ ଠାରୁ ଆଦାୟ କରିବା ପାଇଁ ନିବେଦନ କରାଯାଇଛି।  ମୃତ୍ୟୁର କାରଣ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ସହ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ସର୍ବିଶେଷ ତଥ୍ୟ ୩ ସପ୍ତାହ ମଧ୍ୟରେ କମିସନଙ୍କୁ ଜଣାଇବା ପାଇଁ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଆଦେଶ ଦେବାକୁ ନିବେଦନ କରାଯାଇଛି।   ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ  ଚିକିତ୍ସା ସମ୍ବନ୍ଧୀୟ ରେକର୍ଡ ଜଣାଇବା ମଧ୍ୟ ନିବେଦନ କରାଯାଇଛି।

ଜିଲ୍ଲା କାରାଗାରରେ ଆଜୀବନ ଜେଲ୍ ଭୋଗୁଥିବା ଖଗେଶ୍ୱର ବେହେରା (୬୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ଘର ରାମଚନ୍ଦ୍ରପୁର ଥାନା ଅର୍ନ୍ତଗତ ନୂଆସାହି ଗ୍ରାମରେ। ତାଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବାରୁ ଗୁରୁତର ହୋଇ ପଡିଥିଲେ। କଟକ ବଡ ଡାକ୍ତରଖାନାକୁ ନେବା ପାଇଁ ରେଫର ହେବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ୨୦୦୨ ମସିହାରେ ସମସ୍ତ ପରିବାର ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ।  ତାଙ୍କୁ କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଫାଶି ଦଣ୍ଡାଦେଶ କରିଥିଲେ । ପରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ସେ କିଛି ବର୍ଷ ହେଲା ମଧୁମେୟ ଓ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ । ୧୩ ତାରିଖ  ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନ‌ାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର