ସମସ୍ୟା ଯେମିତି କି ସେମିତି: ରାଜନୀତିର ପଶାପାଲିରେ ଏମ୍‌କେସିଜି ମେଡିକାଲ କଲେଜ

ବ୍ରହ୍ମପୁର : ଦିନ ଥିଲା ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଏମ୍‌କେସିଜି ମେଡିକାଲ କଲେଜ ରାଜ୍ୟରେ ସୁନାମ ଅର୍ଜନ କରିଥିଲା। ଏହି ବଡ଼ ଡାକ୍ତରଖାନା ଉପରେ କେବଳ ଦକ୍ଷିଣ ଓଡ଼ିଶା ନୁହେଁ ପଡୋଶୀ ଆନ୍ଧ୍ରପ୍ରଦେଶର ରୋଗୀ ନିର୍ଭର କରୁଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା। ବ୍ରହ୍ମପୁରରେ ଏତେ ବଡ଼ ମେଡିକାଲ କଲେଜ ଥାଇ ମଧ୍ୟ ରୋଗୀମାନେ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ବିଶାଖାପାଟଣା, କଟକ କିମ୍ବା ଭୁବନେଶ୍ବର ଉପରେ ନିର୍ଭର କରୁଛନ୍ତି। ଏହା ନିଶ୍ଚିତ ରୂପେ ଚିନ୍ତାଜନକ ବିଷୟ। ଗତ କିଛିମାସରେ ଏହି ମେଡିକାଲ୍ କଲେଜରୁ ବହୁସଂଖ୍ୟାକ ଅଭିଜ୍ଞ ଡାକ୍ତରଙ୍କ ଅନ୍ୟତ୍ର ବଦଳି ହେଉଥିବା ବେଳେ ସେମାନଙ୍କ ସ୍ଥାନ ପୂରଣ ପାଇଁ ନୂଆ ଡାକ୍ତର ନିଯୁକ୍ତି ନହେବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି।  ସହରର ସାମାଜିକ ଅନୁଷ୍ଠାନ  ଏବଂ ରାଜନୈତିକ ଦଳ ଏହାକୁ ନେଇ ସ୍ବର ଉତ୍ତୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ଶାସକ ଏବଂ ବିରୋଧୀ ରା‌ଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଅଧିକ ତେଜିଆନ୍‌ କରିଛି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ପ୍ରବଳ ହେଉଥିବା ବେଳେ ପ୍ରକୃତ ସମସ୍ୟା ଯେମିତିକୁ ସେମିତି ରହିଯାଇଛି। ଶତାଧିକ ଡାକ୍ତର ପଦବି ଖାଲି ପଡ଼ିଥିବା ନେଇ ଶାସକ ବିଜେଡି ନିଜେ ସ୍ବୀକାର କରୁଥିଲେ ମଧ୍ୟ ଏହି ମେଡିକାଲ୍‌ କଲେଜର ଭିତ୍ତିଭୂମି ପୂର୍ବାପେକ୍ଷା ସୁଦୃଢ଼ ଥିବା ଏବଂ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଥିବା ନେଇ ଯୁକ୍ତି ବାଢ଼ିଛି। ଯାହାକି ବିରୋଧାଭାଷ ସୃଷ୍ଟି କରୁଛି। ଶିକ୍ଷକ ଅଭାବରେ ଶିକ୍ଷାଦାନ ଯେଭଳି, ଡାକ୍ତର ଅଭାବରେ ଚିକିତ୍ସା ସେଭଳି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳିକି ଏମ୍‌କେସିଜି ମେଡିକାଲ୍ କଲେଜକୁ ଦୂରଦୂରାନ୍ତରୁ ‌ରୋଗୀକୁ ନେଇ ଆସିଥିବା ସମ୍ପର୍କୀୟମାନେ ଉତ୍ତମ ଚିକିତ୍ସା ନପାଇବା ଯୋଗୁଁ ହତାସ ହୋଇ ଏଇଠି କିଛି ହେବନି, କୁଆଡ଼େ ନେଇଯିବା ଚାଲ ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

ଅନ୍ୟପକ୍ଷେ ଏମ୍‌କେସିଜି ମେଡିକାଲ କଲେଜ କେବଳ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ନୁହେଁ, ଏଠାରେ ଡାକ୍ତରୀ ଶିକ୍ଷାଦାନ କରାଯାଇ ନୂଆ ପିଢ଼ିଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ମେଡିକାଲ୍‌ କଲେଜ୍‌ର ଡାକ୍ତର ଅଭାବ କେବଳ ସ୍ବାସ୍ଥ୍ୟ ସେବା ଉପରେ ପ୍ରଭାବ ପକାଉନାହିଁ ବରଂ ଏଠାରେ ଅଧ୍ୟୟନ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ମଧ୍ୟ ପ୍ରଭାବିତ କରୁଛି।  ବିଭିନ୍ନ ବିଭାଗର ବରିଷ୍ଠ ଓ ଅଭିଜ୍ଞ ପ୍ରାଧ୍ୟାପକ, ସହ ପ୍ରାଧ୍ୟାପକଙ୍କ ବଦଳି ପରେ ସେହି ପଦ ଗୁଡିକ ଖାଲି ପଡ଼ିବା ଦ୍ବାରା ଉକ୍ତ ବିଭାଗର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି। ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ଆବଶ୍ୟକ ଏଭଳି ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରି ନେବାକୁ ରାଜ୍ୟ ସରକାର ବ୍ୟଗ୍ରତା ପ୍ରକାଶ କରୁଥିବା ବେଳେ ଏହି ମେଡିକାଲ କଲେଜରେ ଅଧ୍ୟୟନରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।

ଏହାକୁ ନେଇ ଏହି ମେଡିକାଲ୍ କଲେଜର ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାକୁ ଅଣଦେଖା କଲେ ଆଗାମୀ ଦିନରେ ବଡ଼ ସମସ୍ୟା ମୁଣ୍ଡ ଟେକିବ। ଏପରକି ଆଗାମୀ ଦିନରେ ଏହି ମେଡିକାଲ କଲେଜରେ ନା‌ମଲେଖା ପ୍ରଭାବିତ ହେବ। ତେଣୁ କେବଳ ଆରୋପ ପ୍ରତ୍ୟାରୋପର ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଏହି ମେଡିକାଲ କଲେଜର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ପ୍ରୟାସ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀ ତଥା ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର