ବଢ଼ିଲା କୋଇଡ଼ା ବିଡିଓଙ୍କ ସମସ୍ୟା, ବ୍ଲକ୍ କର୍ମଚାରୀ ବି ଦାବିକଲେ ବଦଳି
ତଦନ୍ତ ପାଇଁ ପହଞ୍ଚିଲେ ପ୍ରକଳ୍ପ ପ୍ରଶାସକ
କୋଇଡ଼ା: କୋଇଡ଼ା ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବିରେ ଗତକାଲି ଆୟୋଜିତ ବିଶାଳ ବିକ୍ଷୋଭ ପରେ ମାମଲାଟି ଆହୁରି ଗମ୍ଭୀର ରୂପ ଧାରଣ କରିଛି। ଆଜି ଖୋଦ୍ ବ୍ଲକ୍ କାର୍ଯ୍ୟାଳୟର କର୍ମଚାରୀମାନେ ଖୋଲାଖୋଲି ଭାବେ ବିଡିଓଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅବିଳମ୍ବେ ତାଙ୍କର ବଦଳି ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ ବିବାଦ ଓ କୋଇଡ଼ା ବିଡ଼ିଓ ଶ୍ରୀମତୀ ରାଜ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ପରି ଅଭିନ୍ନ ରହି ଆସିଛନ୍ତି। ବିଡିଓ ଭାବେ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ସେ ଲଗାତାର ବିବାଦରେ ରହିଆସିଛନ୍ତି। ତାଙ୍କ ବିରୋଧରେ ମନମୁଖି କାମର ବହୁ ଅଭିଯୋଗ ରହିଛି। ସେଥିପାଇଁ ବହୁ ସମୟରେ ନିର୍ବାଚିତ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ୍ କର୍ମଚାରୀମାନେ ତାଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି। ସେ କୋଇଡ଼ା ପୂର୍ବରୁ ସେ ଲେଫ୍ରିପଡ଼ା ବ୍ଲକ୍ରେ କାର୍ଯ୍ୟରତ ଥିଲେ।
ସେହି ସମୟରେ ସ୍ୱଚ୍ଛଭାରତ ମିସନ ଯୋଜନାରେ ପାଇଖାନା ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିଲେ। ପାଇଖାନା ତିଆରି ନକରି ଭୁଲ୍ ସୂଚନା ଦେଇ ପ୍ରମାଣପତ୍ର ହାସଲ କରି ସେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ବ୍ଲକ୍ ପ୍ରଶାସନ ପକ୍ଷରୁ ରାତିରେ ହିତାଧିକାରୀମାନଙ୍କୁ ଟଙ୍କା ବଣ୍ଟା ଯାଇଥିଲା। କେବଳ ସେତିକି ନୁହେଁ, ସେ ଲେଫ୍ରିପଡ଼ା ବିଡିଓ ଥିବାବେଳେ ତାଙ୍କର ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ସେଠାରେ ମଧ୍ୟ ତାଙ୍କ ବ୍ଲକ୍ କର୍ମଚାରୀମାନେ ଏକଦା କଲମଛାଡ଼ ଆନ୍ଦୋଳନ କରିଥିଲେ। ପରବର୍ତ୍ତୀ ସମୟରେ ସେ କୋଇଡ଼ାକୁ ବିଡିଓ ଭାବେ ବଦଳି ହୋଇ ଆସିଥିଲା। ଏଠାରେ ୩ ବର୍ଷରୁ ଅଧିକ ହେବ ଦାୟିତ୍ଵ ତୁଲାଇ ଆସୁଛନ୍ତି। ଇତିମଧ୍ୟରେ ୨୦୨୧ ସେପ୍ଟେମ୍ବର ୨୯ରେ ପତ୍ରସଂଖ୍ୟା ୧୬୭୫୦ ଜରିଆରେ ତାଙ୍କର ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବରକୁ ବଦଳି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ତାହା ବାତିଲ୍ ହୋଇଯାଇଥିଲା।
ତାଙ୍କ ମନମୁଖି କାର୍ଯ୍ୟ ପାଇଁ ଅନେକ ସମୟରେ କେବେ ସରପଞ୍ଚ ତ କେବେ ବ୍ଲକ୍ କର୍ମଚାରୀ ତାଙ୍କ ବିରୋଧରେ ପ୍ରତିବାଦ କରିଆସିଛନ୍ତି। ବିବାଦୀୟ ବିଡିଓ କୋଇଡ଼ାରେ ଥାଇ ପଦୋନ୍ନତି ମଧ୍ୟ ପାଇଛନ୍ତି। କିନ୍ତୁ କୋଇଡ଼ାର ଉନ୍ନୟନ କାର୍ଯ୍ୟକୁ ନେଇ ଅନେକ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭୁଲ୍ ରିପୋର୍ଟ ପ୍ରଦାନ କରିଥିବା ନଜିର ରହିଛି। ଏକଦା ତାଙ୍କର ଭୁଲ୍ ରିପୋର୍ଟକୁ ଟ୍ବିଟର୍ରେ ପୋଷ୍ଟକରି ସୁନ୍ଦରଗଡ଼ର ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନକଲ୍ୟାଣ ସର୍ବସାଧାରଣରେ ଉପହସିତ ହୋଇଥିଲେ। କେବଳ ଏତିକି ନୁହେଁ, ଏପରିକି କୋଇଡ଼ା ବ୍ଲକ୍ରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରେ ୫-ଟି ଅଧୀନରେ ହେଉଥିବା ସ୍କୁଲ ରୂପାନ୍ତରୀକରଣ ଓ ଅନ୍ୟ ସରକାରୀ ଠିକାକାମ ସେ ନିଜେ କରୁଥିବା ଖବର ମଧ୍ୟ ଅତୀତରେ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। କିନ୍ତୁ ଏତେସବୁ ଖବର, ସ୍ବୟଂ ବିଧାୟକଙ୍କ ବିରୋଧ ଓ ବ୍ଲକ୍ କର୍ମଚାରୀଙ୍କ ଅଭିଯୋଗ ପରେ ମଧ୍ୟ ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଗତକାଲି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଟୁ କର୍ମୀ ବିକ୍ଷୋଭ ଓ ଶୋଭାଯାତ୍ରା କରି ତାଙ୍କ ବଦଳି ଦାବି କରିଥିଲେ।
ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ଗୋଟିଏଦିନ ମହଲତ ନିଆଯାଇଥିବାବେଳେ ଆଜି ତଦନ୍ତ ପାଇଁ ପହଞ୍ଚିଥିଲେ ଡିଆର୍ଡିଏ ପ୍ରକଳ୍ପ ନିର୍ଦେଶକ ମନୋଜ ମହାଜନ। ଶ୍ରୀ ମହାଜନ ବ୍ଲକ୍ରେ ବିଡିଓଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ତଦନ୍ତ କରୁଥିବାବେଳେ ବ୍ଲକ୍ର ବହୁ ଅଧିକାରୀ, କନିଷ୍ଠଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ସହାୟକ ବିଡିଓଙ୍କ ବିରୋଧରେ ଦୁର୍ବ୍ୟବହାର, ଗାଳିଗୁଲଜ ଓ ମାନସିକ ଅତ୍ୟାଚାର ଭଳି ଅଭିଯୋଗ ଆଣିବା ସହ ତୁରନ୍ତ ବଦଳି ପାଇଁ ଏକ ଦାବିପତ୍ର ତାଙ୍କୁ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ବିଡିଓଙ୍କ ବଦଳି ନ ହେବା ଯାଏ ପ୍ରତିବାଦ ଜାରିରହିବ ବୋଲି ବିଧାୟକ କହିଛନ୍ତି। ତେବେ ଗତକାଲି ଆୟୋଜିତ ବିକ୍ଷୋଭକୁ କୋଇଡ଼ା ବିଜେଡ଼ି ତରଫରୁ ନିନ୍ଦା କରା ଯାଇଛି। ବିକ୍ଷୋଭକୁ ଗୁଣ୍ଡାରାଜ ଭାବେ ଅଭିହିତ କରି ସେଥିରେ ସାମିଲ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ଦଳ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବଣାଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି।