ତୁଟୁନି ବିସ୍ଥାପିତଙ୍କ ସମସ୍ୟା, ଝୁଲୁଛି ଅନେକ ପ୍ରକଳ୍ପର ଭାଗ୍ୟ!

ଆଗେଇ ପାରୁନି କୃଷି ବିଜ୍ଞାନ କେନ୍ଦ୍ର, ହୋଲ୍‌ସେଲ୍‌ କୃଷକ ବଜାର

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ବିସ୍ଥାପିତ ହୋଇଥିଲେ ପ୍ରାୟ ୪୦୯୪ ପରିବାର। ଏମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର ଆର୍‌ଏସ୍‌ପିରେ ନିଯୁକ୍ତି ପାଇ ସାରିଛନ୍ତି। ଏବେ ବି ପାଖାପାଖି ୨ ହଜାରରୁ ଅଧିକ ପରିବାର ନିଯୁକ୍ତି ପାଇବାକୁ ଲଢ଼େଇ ଜାରି ରଖିଛନ୍ତି। ବିସ୍ଥାପିତ ପରିବାରଙ୍କୁ ଜଲଦା ଏ, ବି ଓ ସି , ଝିରପାଣି ଓ ବନ୍ଧମୁଣ୍ଡା ଆର୍‌ଏସ୍‌ କଲୋନି ଆଦି ସ୍ଥାନରେ ଥଇଥାନ କରାଯାଇଥିଲା। ଚାଷ ପାଇଁ ଏମାନଙ୍କୁ ରାଜଗାଙ୍ଗପୁରର ହାତୀଧସା, ଲଛଡା, ଦେବଗଡର ଆମ୍ବଗାଁ, ଗୁରୁଣ୍ଡିଆର ସିଲିକଟା ଏମିତି ୧୫ ସ୍ଥାନରେ ଚାଷ ଜମି ଯୋଗାଇ ଦିଆଯାଇଥିଲା। କିନ୍ତୁ ଅଧିକାଂଶ ଜମି ଚାଷ ଉପଯୋଗୀ ନଥିଲା। ଏସବୁ କାରଣରୁ ଦୀର୍ଘ ୬୭ ବର୍ଷ ଧରି ବିସ୍ଥାପିତଙ୍କ ସମସ୍ୟାର ଅନ୍ତ ଘଟୁନି।

ଏଡିଏମ୍‌ ଅଫିସ ଆଗରେ ଧାରଣା ଦିଆଯାଉଛି। ଆର୍‌ପିଡିଏସି ବୈଠକ ବସୁଛି। ରାଜ୍ୟ ଓ କେନ୍ଦ୍ର ସ୍ତରରେ ଆଲୋଚନା ହେଉଛି, କିନ୍ତୁ ସମାଧାନର ବାଟ ବାହାରି ପାରୁନି। ସେପଟେ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଜାତୀୟ ଜନଜାତି କମିଶନ ଅନେକ ବାର ପ୍ରଶ୍ନ ଉଠାଉଛନ୍ତି। ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆର୍‌ଏସ୍‌ପିର ଅବ୍ୟବହୃତ ଜାଗାରେ କୌଣସି ପ୍ରକଳ୍ପ ନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଏସବୁ ବାଦ ବିବାଦରେ ଭିତରେ ସ୍ମାର୍ଟସିଟିରେ ଝୁଲୁଛି ଅନେକ ପ୍ରକଳ୍ପର ଭାଗ୍ୟ। କେବେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହେବ ? ବନ୍ଦ ପଡିଥିବା ପ୍ରକଳ୍ପଗୁଡ଼ିକର କାମ ଆଗେଇବ ? ଏହି ଉତ୍ତର କାହାରି ପାଖରେ ନାହିଁ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବହୁ ପ୍ରତୀକ୍ଷିତ ପାନପୋଷ ବାଲୁଘାଟ ହୋଲ୍‌ସେଲ୍‌ କୃ୍ଷକ ବଜାର, ଟ୍ରକ୍‌ ଟର୍ମିନାଲ, ସେକ୍ଟର-୧୩ ‌ଓମ୍‌ଫେଡ୍‌ ପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର, ସେକ୍ଟର-୨୦ ନେହେରୁ ପାଲିସ୍ଥତ ସ୍ମାର୍ଟ ପାର୍କ ଇତ୍ୟାଦି।

ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଦ୍ବାରା ଗତ ୨୦୧୪ରେ ପାନପୋଷ ବାଲୁଘାଟର ପ୍ରାୟ ୧୩ ଏକର ଜମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲ୍‌ସେଲ୍‌ କୃଷକ ବଜାରର ଶିଳାନ୍ୟାସ ଦେଇଥିଲେ। ଏ ବାବଦରେ ପ୍ରଥମ ପର୍ଯ୍ୟାୟରେ ୯୮. ୪୦ କୋଟି ଟଙ୍କା ମଞ୍ଜୁରି ହୋଇଥିଲା। ଶିଳାନ୍ୟାସର ପ୍ରାୟ ୫ ବର୍ଷ ପରେ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହାକୁ ବିସ୍ଥାପିତ ସଂଘ ପକ୍ଷରୁ କଡା ବିରୋଧ କରାଯାଇଥିଲା। ଫଳରେ ନିର୍ମାଣଧୀନ ପାଚେରୀ କାମ ଅଧାରୁ ବନ୍ଦ ପଡିଛି। ଆଗେଇ ପାରୁନି। ଏବେ ପୁଣି ଜିଲ୍ଲା ଖଣିଜ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର ହେବାକୁ ଯାଉଛି ବୋଲି କୁହାଯାଉଛି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ବିସ୍ଥାପତିଙ୍କୁ ବୁଝାଇ ନିର୍ମାଣ କାମକୁ ଆଗେଇ ନେବାରେ କେତେ ସଫଳ ହେଉଛି, ତାହା ଏକ ବଡ ପ୍ରଶ୍ନବାଚୀ ? ସେମିତି ଆଉ ଏକ ପ୍ରକଳ୍ପ ହେଲା କୃଷି ବିଜ୍ଞାନ କେନ୍ଦ୍ର। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୪ ବର୍ଷରୁ ଅଧିକ ସମୟ ଧରି ସେମିତି ଅଧପନ୍ତରିଆ ପାଚେରୀରେ ପଡିଛି। ସୁନ୍ଦରଗଡ ଜିଲ୍ଲାରେ କୃଷିର ବିକାଶ ପାଇଁ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ର (ଆଇସିଏଆର୍‌) ପକ୍ଷରୁ ରାଉରକେଲାରେ ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ଆରମ୍ଭ ହୋଇଥିଲା। ଏଥିପାଇଁ ସେକ୍ଟର-୧୩ ବାଙ୍କିଆରେ ଆର୍‌ଏସ୍‌ପିର ଅବ୍ୟବହୃ୍ତ ୫୦ ଏକର ଜମିକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିଲେ। ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଆଇସିଏଆର୍‌ ପକ୍ଷରୁ ୧ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଥିଲା। ଓଡ଼ିଶା କୃଷି ଏବଂ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟ (ଓୟୁଏଟି) ଭୁବନେଶ୍ବର ପକ୍ଷରୁ ପାଚେରୀ ନିର୍ମାଣ କାମକୁ ଜିଲ୍ଲା ଆଦିବାସୀ ମୂଳବାସୀ ବଚାଓ ମଞ୍ଚ ପକ୍ଷରୁ କଡା ବିରୋଧ କରାଯାଇଥିଲା। ବିସ୍ଥାପିତଙ୍କ ଆର୍‌ଏସ୍‌ପି ଚାଷ ଜମିରେ ବିଜ୍ଞାନ କେନ୍ଦ୍ର ଅନ୍ୟତ୍ର କରିବାକୁ ଦାବି କରିଥିଲେ। ଉତ୍ତେଜନା ସୃଷ୍ଟି ହେବାରୁ ଘଟଣାସ୍ଥଳରେ ୧୪୪ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଦିବାସୀ ସଂଘ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ମାମଲାକୁ ଗ୍ରହଣ କରି ରହିତାଦେଶ ଦେବାରୁ ନିର୍ମାଣ କାମ ଆଗେଇ ପାରୁନି।

ବାଲୁଘାଟ ତରକେରା ସ୍ଥିତ ଟ୍ରକ ଟର୍ମିନାଲରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ନିର୍ମାଣ କାମ ଆରମ୍ଭରୁ ଜଲଦାର ବସ୍ଥାପିତ ପରିବାର ପକ୍ଷରୁ ଏହାକୁ କଡା ବିରୋଧ କରିଛନ୍ତି। ସେମିତି ସେକ୍ଟର-୨୦ ସ୍ଥିତ ନେହେରୁପାଲୀରେ ସ୍ମାର୍ଟ ସିଟି ପକ୍ଷରୁ ହେବାକୁ ଯାଉଥିବା ଅତ୍ୟାଧୁନିକ ପାର୍କକୁ ମଧ୍ୟ ବିସ୍ଥାପିତ ସଂଘ ପକ୍ଷରୁ ବିରୋଧ କରାଯାଇଛି। କେବଳ ୪/୫ଟି ପ୍ରକଳ୍ପ ନୁହେଁ ସ୍ମାର୍ଟସିଟି ଓ ଆର୍‌ଏମ୍‌ସି ପକ୍ଷରୁ ଆଗାମି ଦିନରେ ହେବାକୁ ଯାଉଥିବା ଅନେକ ପ୍ରକଳ୍ପରେ ସେହି ସମାନ ସ୍ଥିତିର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ତେବେ ଜିଲ୍ଲାପ୍ରଶାସନ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରି ପଡିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଯାଉଥିବା ବିକାଶମୂଳକ କାମକୁ ଆଗେଇ ନେବାରେ କେତେଦୂର ସଫଳ ହେଉଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର