ଭୁବନେଶ୍ବର/ନୟାଗଡ଼ : ଧାନ ସଂଗ୍ରହରେ ନୟାଗଡ଼ ଚାଷୀଙ୍କ ଦୁର୍ଦ୍ଦଶା ସରିବାର ନାଁ ଧରୁନାହିଁ। ମାତ୍ରାଧିକ ପରିବହନ ଖର୍ଚ୍ଚ ବହନ କରି ପ୍ରଶାସନ ପକ୍ଷରୁ ସମ୍ବଲପୁରରୁ ୨୦ ମିଲର୍ଙ୍କୁ ଟ୍ୟାଗ୍ କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଣ୍ଡି ପାଖ ମାଡ଼ୁନାହାନ୍ତି।
ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ମଣ୍ଡିକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ସମୁଦାୟ ୫ହଜାର କ୍ବିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପରିମାଣ ବହୁତ କମ୍ ଥିବାରୁ ଆଶା ଥିଲା, ଧାନ ଉଠାଇବାରେ କୌଣସି ଅସୁବିଧା ହେବ ନାହିଁ। ମାତ୍ର ଜାନୁଆରିରେ ଧାନ ସଂଗ୍ରହ ଆରମ୍ଭ ହେବା ଦିନଠାରୁ ହିଁ ସେମାନଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଯାଇଥିଲା। ଧାନ ଉଠା ନଯିବାରୁ ସ୍ଥିତି ଏଭଳି ହେଲା ଯେ ଜାନୁଆରିରୁ ଫେବ୍ରୁଆରି ମଧ୍ୟରେ ଚାଷୀ ୩ଥର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ। ୧୫ ଦିନ ପୂର୍ବରୁ ତୃତୀୟଥର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ବଲପୁର ମିଲର ପହଞ୍ଚି ଧାନ ନେବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜଗନ୍ନାଥପ୍ରସାଦ ମଣ୍ଡିରେ ସମ୍ବଲପୁର ମିଲର୍ଙ୍କ ଦର୍ଶନ ମିଳି ନଥିବା ନବନିର୍ମାଣ ଚାଷୀ ସଙ୍ଗଠନର ରଣଜିତ ଦଳବେହେରା ଅଭିଯୋଗ କରିଛନ୍ତି।
ଜିଲ୍ଲାରେ ବର୍ତ୍ତମାନ ବି ଅଧିକାଂଶ ଚାଷୀଙ୍କ ଘର ଏବଂ ଖଳା ପାଇଁ ବିକ୍ରିଯୋଗ୍ୟ ଧାନ ପଡ଼ି ରହିଛି। ଫଳରେ ଚାଷୀଙ୍କ ଚିନ୍ତା ମଧ୍ୟ ବଢ଼ି ଚାଲିଛି। କିଛି ଦିନ ମଧ୍ୟରେ ମିଲର ନ ପହଞ୍ଚିଲେ, ଟୋକନ ଲାପ୍ସ ହୋଇଯିବା ନେଇ ଆଶଙ୍କା ରହିଛି। ନୂଆଗାଁ, ଦୁରୁଦୁରା, ରାଇବୁରୁ, ଶିମିଳିସାହି, ମାଳିସାହି, ଚକ୍ରଧରପ୍ରସାଦ, ଜଗନ୍ନାଥପ୍ରସାଦ, ଖଳିସାହି ସମେତ ଅନେକ ମଣ୍ଡିକୁ ଟ୍ୟାଗ୍ ହୋଇଥିବା ସମ୍ବଲପୁର ମିଲର୍ ଯାଉନଥିବାରୁ ଚାଷୀ ଏହିଭଳି ସମସ୍ୟାର ସାମ୍ନା କରୁଛନ୍ତି।
ଚକ୍ରଧରପ୍ରସାଦ ମଣ୍ଡି ଚାଷୀ ମମତାନାଥ କହନ୍ତି, ତାଙ୍କ ମଣ୍ଡିକୁ ମିଲର୍ ଆସୁ ନଥିବାରୁ ଜାନୁଆରିରେ ତାଙ୍କ ଟୋକନ୍ ଲ୍ୟାପ୍ସ ହୋଇଯାଇଥିଲା। ଏହାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଧାନବିକ୍ରିର ଅବଧି ତାରିଖକୁ ଫେବ୍ରୁଆରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନୟାଗଡ଼ ସିଏସଓଙ୍କ ସୂଚନାନୁସାରେ, ଜିଲ୍ଲାରେ ୧୪ ଲକ୍ଷ ୨୯ ହଜାର ଧାନ ସଂଗ୍ରହର ଲକ୍ଷ୍ୟ ରହିଛି। ଏଥିରୁ ନୟାଗଡ଼ ମିଲର୍ ଲକ୍ଷ୍ୟର ୯ଲକ୍ଷରୁ ୮ ଲକ୍ଷ ୭୪ ହଜାର ୪୬୧ କ୍ବିଣ୍ଟାଲ ଏବଂ ସମ୍ବଲପୁର ୪ ଲକ୍ଷ ୫୪ ହଜାର କ୍ବିଣ୍ଟାଲରୁ ୫୦ ହଜାର ୧୪୬ କ୍ବିଣ୍ଟାଲ ଧାନ କିଣିଛନ୍ତି। ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ମିଲର ଧାନ କିଣିବେ ବୋଲି କୁହାଯାଇଛି। ଚାଷୀଙ୍କ ପାଇଁ ସରକାର ମାତ୍ରାଧିକ ପରିବହନ ଖର୍ଚ୍ଚ କରୁଛନ୍ତି। ଏଣେ କିନ୍ତୁ ମିଲରଙ୍କ ଦେଖା ମିଳୁନଥିବାରୁ ଚାଷୀଙ୍କ ଦୁର୍ଦ୍ଦଶା ସରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/paddy-fff.jpg)