ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ ସମସ୍ୟା ଲାଗି ରହିଛି। ମଣ୍ଡିକୁ ମିଲର୍ସ ଯାଉନଥିବାରୁ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ଫଳର ଚାଷୀମାନେ ଆଜିକୁ ୧୫ ଦିନ ହେବ ମଣ୍ଡିରେ ଧାନକୁ ଜଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଚୁପ୍ ବସିଛନ୍ତି। ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ବିଜେପିର ଆହ୍ବାନକ୍ରମେ ନୂଆପଡ଼ା ଜିଲ୍ଲା ବିଜେପି ପ୍ରତିନିଧି ଦଳ ଚଳିତ ବର୍ଷ ୨୨ ତାରିଖରୁ ୭ ଦିନ ହେଲା ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଜିଲ୍ଲାର ୩୮ଟି ମଣ୍ଡିରେ ୧ ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।

Advertisment

ସେଥିମଧ୍ୟରୁ କୁରୁମପୁରୀ ମଣ୍ଡିରେ ୧୩  ହଜାର ବସ୍ତା, ସମରସିଂ ମଣ୍ଡିରେ ୧୦ ହଜାର, ଲଖନା ମଣ୍ଡିରେ ୧୦ ହଜାର, ଜଡ଼ାମୁଣ୍ଡା ମଣ୍ଡିରେ ୬ ହଜାର, ଧରମବନ୍ଧା ମଣ୍ଡିରେ ୧୩ ହଜାର,  କରପୋଡ଼ ମଣ୍ଡିରେ ୧୨ ହଜାର, କୁଲିଆବନ୍ଧା ମଣ୍ଡିରେ ୧୨ ହଜାର, ହାତୀବନ୍ଧା ମଣ୍ଡିରେ ୧୭ ହଜାର, ନିଲଜୀ ମଣ୍ଡିରେ ୧୪ ହଜାର, କୋମନା ମଣ୍ଡିରେ ୭ ହଜାର, କାଣ୍ଡେତରା ମଣ୍ଡିରେ ୮ ହଜାର, ପଣ୍ଡରାପଥର ମଣ୍ଡିରେ ୭ ହଜାର, ମିଛାପାଲି ମଣ୍ଡିରେ ୭ ହଜାର ବସ୍ତା ଧାନ ଆଜିକୁ ୧୫ ଦିନ ହେବ ପଡ଼ିରହିଛି। ଚାଷୀମାନେ ବାରମ୍ବାର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। କିଛି ଦିନ ତଲେ ବୁଢ଼ୀପାଲି ମଣ୍ଡିର ଚାଷୀ ଜିଲ୍ଲା ଯୋଗାଣ ଅଫିସ୍‌ ଘେରାଉ କରିବା ସହ ଧାନ ଉଠାଇବାକୁ ଦାବି କରିଥିଲେ।

୨ ଦିନ ମଧ୍ୟରେ ମଣ୍ଡିରୁ ଧାନ ଉଠାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଧାନ ସଂଗ୍ରହ ସମସ୍ୟା ବଢ଼ିବାରେ ଲାଗିଥିବାରୁ ବୁଧବାର ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଆଲୋଚନା କରିଥିଲେ। ଏନେଇ ଜିଲ୍ଲାପାଳ ଜିଲ୍ଲାରୁ ଚାଷୀଙ୍କ ଧାନ ଖୁବ୍‌ଶୀଘ୍ର ଉଠାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ  ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଏସ୍‌ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଦୃଷ୍ଟି ମାଝୀ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ମନିଜର ଆର୍ଯ୍ୟ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ତୁଲସ ପଟେଲ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସଦାନନ୍ଦ ଯୋଷୀ, କମଲେଶ ସିଂ ଠାକୁର, ବଞ୍ଜାରୀ ମଣ୍ଡଳ ସଭାପତି ଡମ୍ବରୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।