ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଓ କୋମନା ବ୍ଲକ୍ ମଧ୍ୟରେ ନିର୍ମାଣ ହୋଇଥିବା ତିଖାଲି ଡ୍ୟାମର ବୁଡ଼ି ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସମସ୍ୟାଗୁଡ଼ିକର ସମାଧାନ ନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଖଡ଼ିଆଳ ନିମ୍ନ ଇନ୍ଦ୍ର ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମ୍ନ ଜଳ ସେଚନ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଦଶ ଦଫା ଦାବି ପୂରଣ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ, ପ୍ରକଳ୍ପର ନୀତି ଅନୁସାରେ କ୍ଷତିଗ୍ରସ୍ତ ପରିବାରକୁ ବିସ୍ଥାପିତ ପରିବାରଙ୍କ ପରି ସମାନ ଗୋଟିଏ କଟ୍ଅଫ୍ ଡେଟ୍ ରଖାଯାଉ, ପ୍ରକଳ୍ପର ମୂଳ ବିସ୍ଥାପିତ ପରିବାରଙ୍କ ପରି ବଞ୍ଚିତ ହୋଇଥିବା
ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ମଧ୍ୟ ଏକ୍ସ ଗ୍ରାଟିଆ ଏବଂ ବିଜୁ ପକ୍କାଗୃହ ପ୍ରଦାନ କରାଯାଉ, ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଜମିର ବର୍ଦ୍ଧିତ ମୂଲ୍ୟର ତାଲିକା ପ୍ରସ୍ତୁତ କରି ଶୀଘ୍ର ସରକାରଙ୍କ ପାଖକୁ ମଞ୍ଜୁର ପାଇଁ ପଠାଯାଉ, ପେଣ୍ଡରାବନ୍ଧ, ବେଲଗାଁ (କରୁଆଁପଡା) ଓ ମାଠିଆପଦର ଗ୍ରାମକୁ ମଧ୍ୟ ବୁଡ଼ି ଗ୍ରାମ ଭାବେ ଘୋଷଣା କରାଯାଉ, ବିସ୍ଥାପିତ ପରିବାରଙ୍କ ସହାୟତା ରାଶି ପାଇଁ ପଠାଯାଇଥିବା ତାଲିକାକୁ ଯାଞ୍ଚ କରି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରାଯାଉ, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଓ ମଣ୍ଡଳ ଅଧିକାରୀ ମନମୁଖି କାର୍ଯ୍ୟ ଜାରି ରଖିଥିବାରୁ ତୁରନ୍ତ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ ଆଦି ଉଲ୍ଲେଖ ରହିଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ, ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଧାରଣାରେ ରାଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ପେଣ୍ଡରାବନ୍ଧ ସମିତିସଭ୍ୟ ହରିଶ୍ଚନ୍ଦ୍ର ମାଝୀ, ବରିଷ୍ଠ ସମାଜସେବୀ ପାସା ମହାନନ୍ଦ, ଗୋକୁଳ ନାଏକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ ଦାବିପତ୍ର ଗ୍ରହଣ କରି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।