ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ୁଥିବାବେଳେ ଘରକୁ ଘର ବୁଲି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଆଜିଠାରୁ ଇଣ୍ଟିଗ୍ରେଟେଡ୍ ସର୍ଭେଲାନ୍ସ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ କରୋନା ଆକ୍ରାନ୍ତଙ୍କ ସମେତ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, କୁଷ୍ଠ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ଲୋକଙ୍କୁ ସଚେତନ କରାଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ବଢ଼ିଥିଲେ ବି ହସ୍ପିଟାଲାଇଜେସନ୍ ବଢ଼ିନି। ତଥାପି ଇଣ୍ଟିଗ୍ରେଟେଡ୍ ସର୍ଭେଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢ଼ୁଛି ତାହାକୁ ଅନୁଧ୍ୟାନ କରାଯିବ। ଏହା ବାଦ୍ ଲୋକମାନଙ୍କୁ ଅପିଲ୍ କରୁଛୁ ଯେ ସେମାନେ ଧାର୍ଯ୍ୟ ସମୟରେ ସମସ୍ତ ଟିକା ନିଅନ୍ତୁ। ଏବେ ରାଜ୍ୟରେ ଯେଉଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସମସ୍ତଙ୍କ ଠାରେ ଓମିକ୍ରାନ୍ ଭାରିଆଣ୍ଟ ଅଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତିନି ମାସର ଏହି ଅଭିଯାନରେ ପ୍ରଥମ ଦୁଇ ମାସ ଆଶା କର୍ମୀ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ। ତୃତୀୟ ମାସରେ ଯେଉଁ ରୋଗୀ ଚିହ୍ନଟ ହୋଇଥିବେ ସେମାନଙ୍କର ସ୍ଥିତି ଅନୁଧ୍ୟାନ କରିବେ। ସପ୍ତାହକୁ ଅତିକମ୍ରେ ତିନି ଦିନ ଏହି କାର୍ଯ୍ୟକ୍ରମ ହେବା ସହ ପ୍ରତିଦିନ ୮/୧୦ଟି ଘରକୁ ବୁଲିବେ। ଏଥିରେ ଆଶା କର୍ମୀଙ୍କୁ ସହାୟତା କରିବେ ମୋବାଇଲ ହେଲ୍ଥ ୟୁନିଟ୍(ଏମ୍ଏଚ୍ୟୁ) ଓ ମୋବାଇଲ ହେଲ୍ଥ ଟିମ୍(ଏମ୍ଏଚ୍ଟି)। ଯେଉଁ ଘରେ ଡାଇରିଆ ରୋଗୀ ଚିହ୍ନଟ ହେବେ ସେମାନଙ୍କୁ ଓଆରଏସ୍ ଓ ଜିଙ୍କ ପ୍ରଦାନ କରାଯିବ। ସେହିପରି ଯେଉଁମାନଙ୍କର ଆଇଏଲଆଇ ଓ ଏସ୍ଏଆରଆଇ ଲକ୍ଷଣ ରହିଥିବ ସେମାନଙ୍କୁ ଚିହ୍ନଟ କରି ନିକଟସ୍ଥ ପିଏଚ୍ସି/ସିଏଚ୍ସିକୁ ରାଟ୍ ଟେଷ୍ଟ ପାଇଁ ପଠାଇବେ। ଯେଉଁମାନେ କୋଭିଡ ଟିକା ନେଇ ନ ଥିବେ ସେମାନଙ୍କୁ ଟିକା ନେବା ପାଇଁ ଆଶା କର୍ମୀ ସଚେତନ କରିବେ। ସେହିପରି ମ୍ୟାଲେରିଆ ସନ୍ଦିଗ୍ଧଙ୍କ ଆରଡିଟି ଜରିଆରେ ପରୀକ୍ଷା କରାଯିବା ସହ ମଶାର ଉତ୍ସକୁ ଚିହ୍ନଟ କରାଯାଇ ନଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ।