ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଥିଲା ସମସ୍ତ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ ହେବ। ତେଣୁ ସମସ୍ତ ଜମାକାରୀଙ୍କୁ କିପରି ଶୀଘ୍ର ସେମାନଙ୍କ ଜମା ଟଙ୍କା ଫେରସ୍ତ କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଓ ଜିଲ୍ଲାସ୍ତରକୁ ବିକେନ୍ଦ୍ରୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ୧,୨୬,୧୩୭ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରାଗଲାଣି।

Advertisment

ଜୋର୍‌ଦାର ହେଲା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା
ବର୍ଷକରେ ୧,୨୬,୧୩୭ ଜମାକାରୀ ପାଇଲେଣି ୪୭.୦୭ କୋଟି ଟଙ୍କା
ପୂର୍ବ ସରକାର ୧୦ବର୍ଷରେ ୨.୭୯ଲକ୍ଷଙ୍କୁ ୧୧୯କୋଟି ଫେରାଇଥିଲେ

ଆସନ୍ତା ୩ରୁ ୪ମାସ ମଧ୍ୟରେ ରାଜ୍ୟର ଆଉ ୫ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୪ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୧୦ବର୍ଷରେ ବିଜେଡି ସରକାର କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୧୧୯ କୋଟି ଟଙ୍କା ଫେରସ୍ତ କରିଥିଲେ। ଏବେ ଅଧିକରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଶୀଘ୍ର ଫେରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।